ଟିଭି ଚ୍ୟାନେଲ ମାଲିକ ଗିରଫ, ୨୦ ଲକ୍ଷ ଟଙ୍କା ଠକେଇ

ଟିଭି ଚ୍ୟାନେଲ ମାଲିକ ଗିରଫ, ୨୦ ଲକ୍ଷ ଟଙ୍କା ଠକେଇ

ଟିଭି ଚ୍ୟାନେଲ ମାଲିକ ଗିରଫ, ୨୦ ଲକ୍ଷ ଟଙ୍କା ଠକେଇ
କଟକ - ବନ୍ଦ ହୋଇଯାଇଥିବା ଟିଭି ଚ୍ୟାନେଲକୁ ପୁନଃ କାର୍ଯ୍ୟକ୍ଷମ କରିବା ପ୍ରଲୋଭନ ଦେଖାଇ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଠକି ନେବା ଅଭିଯୋଗରେ ମଙ୍ଗଳବାର ମର୍କତନଗର ପୁଲିସ ‘କାମିୟାବ’ ଟିଭିର ମାଲିକ ମନୋଜ ଦାସଙ୍କୁ ଗିରଫ କରିଛି । ଅଭିଯୋଗ ଆଧାରରେ ମଙ୍ଗଳବାର ସକାଳେ ଭୁବନେଶ୍ୱର ନୂଆପାଲି ଅଞ୍ଚଳରେ ଥିବା ଶ୍ରୀ ଦାସଙ୍କ ବାସଭବନ ଉପରେ ପୁଲିସର ଏକ ଦଳ ଚଢ଼ଉ କରିଥିଲା । କଟକ ଅଣାଯାଇ ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିଥିଲା । ଜାମିନ ନାମୁଞ୍ଜର ହୋଇଯିବାରୁ ତାଙ୍କୁ ସନ୍ଧ୍ୟାରେ ଜେଲକୁ ପଠାଇ ଦିଆଯାଇଥିବା ଇନ୍ସିପେକ୍ଟର ଆର ଏନ ମେହେର ସୂଚନା ଦେଇଛନ୍ତି । ପୁଲିସ ସୂଚନା ଅନୁଯାୟୀ କିଛି ବର୍ଷ ପୂର୍ବେ ଆର୍ଥିକ କ୍ଷତି କାରଣରୁ କାମିୟାବ ଟିଭି ଚ୍ୟାନେଲ ବନ୍ଦ ହୋଇଯାଇଥିଲା । ଋଣ କରି ପୁଣି ଚ୍ୟାନେଲକୁ କାର୍ଯ୍ୟକ୍ଷମ କରାଇବା ଲାଗି ମାଲିକ ମନୋଜ ବିଭିନ୍ନ ବ୍ୟାଙ୍କ ସହିତ ଯୋଗାଯୋଗ କରିଥିଲେ । କିନ୍ତୁ ଋଣ ଦେବାକୁ କେହି ରାଜି ହୋଇନଥିଲେ । କିଛି ମାସ ପୂର୍ବେ ମନୋଜ ତାଙ୍କର ଜଣେ ବନ୍ଧୁଙ୍କ ଜରିଆରେ ମର୍କତନଗର ସେକ୍ଟର-୯ ରେ ରହୁଥିବା ଅବସରପ୍ରାପ୍ତ ସେନା ଅଧିକାରୀ ବିଶେଶ୍ୱର ରାଉତଙ୍କ ସଂସ୍ପର୍ଶରେ ଆସିଥିଲେ । ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ଘନିଷ୍ଠ ହେବାରେ ଲାଗିଥିଲା । ମନୋଜ ନିଜର ଟିଭି ଚ୍ୟାନେଲ ସମ୍ପର୍କରେ ବିଶେଶ୍ୱରଙ୍କୁ ଜଣାଇବା ସହିତ ଟଙ୍କା ମାଗିଥିଲେ । ୨୦ ଲକ୍ଷ ହୋଇଗଲେ ଚ୍ୟାନେଲ ପୁନଃ କାର୍ଯ୍ୟକ୍ଷମ ହୋଇପାରିବ । ଏଥିରେ ଭଲ ଲାଭ ଅଛି ଏବଂ ଆପଣଙ୍କୁ ଏକ ଉଚ୍ଚ ପଦରେ ଅବସ୍ଥାପିତ କରିବେ ବୋଲି ତାଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହୋଇଥିଲେ । ଅବସର ପରେ କିଛି କାମ କରିବା ପାଇଁ ବିଶେଶ୍ୱରଙ୍କ ଇଚ୍ଛା ଥିବାରୁ ସେ ତାଙ୍କ କଥାରେ ରାଜି ହୋଇଯିବା ସହିତ ୨୦ ଲକ୍ଷ ଟଙ୍କା ମନୋଜକୁ ଦେଇଥିଲେ । ପରେ ମନୋଜ ଚ୍ୟାନେଲ ଖୋଲିବାର ସମୟ ଓ ଦିନ ଗଡାଇ ଚାଲିଥିଲେ । ଏଥିରେ ସନେ୍ଦହ କିର ବିଶେଶ୍ୱର ଦେଇଥିବା ଟଙ୍କା ଫେରାଇବା ପାଇଁ ତାଙ୍କୁ କହିଥିଲେ । ଏହା ଶୁଣିବା ପରେ ମନୋଜ ତାଙ୍କ ଠାରୁ ଦୂରେଇବା ସହିତ ଫୋନ ମଧ୍ୟ ଉଠାଇ ନଥିବା ବିଶେଶ୍ୱର ଅଭିଯୋଗ କରିଛନ୍ତି । ଅନ୍ୟ ଉପାୟ ନ ପାଇ ବିଶେଶ୍ୱର ଅନେକ ଥର ଟଙ୍କା ଫେରିପାଇବା ପାଇଁ ମନୋଜଙ୍କ ଭୁବନେଶ୍ୱର ସ୍ଥିତ ଘରକୁ ଯାଇଥିଲେ ହେଁ ସେଥିରେ ସଫଳ ହୋଇନଥିଲେ । ଶେଷରେ ବିଶେଶ୍ୱର ଘଟଣା ସଂକ୍ରାନ୍ତରେ କଟକ ଡିସିପିଙ୍କୁ ଜଣାଇବା ସହିତ ମର୍କତନଗର ଥାନାରେ ଏତଲା ଦେଇଥିଲେ । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇବା ସହିତ ଠକେଇ ଅଭିଯୋଗରେ ମନୋଜକୁ ଗିରଫ କରିଛି ।