ଦେହଜୀବୀଙ୍କୁ ନେଇ ଆସିଲା ବଡ଼ ଖବର
ଦେହଜୀବୀଙ୍କୁ ନେଇ ଆସିଲା ବଡ଼ ଖବର
ନୂଆଦିଲ୍ଲୀ: ଦେହଜୀବୀମାନେ ବି ଆମ ପରି ଦେଶର ନାଗରିକ। ତାଙ୍କର ବି ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି। ତେଣୁ ଏପରି ମାମଲା ସାମନାକୁ ଆସିଲେ ପୁଲିସ୍ ସେମାନଙ୍କୁ ସମ୍ମାନର ସହ ବ୍ୟବହାର କରିବା ଉଚିତ। ମୌଖିକ କିମ୍ବା ଶାରୀରିକ ରୂପେ ପୁଲିସ୍ ଦେହଜୀବୀଙ୍କୁ ଦୁର୍ବ୍ୟବହାର କରିପାରିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
କରୋନା ସମୟରେ ସେକ୍ସ ୱାର୍କର ନିଜ ଦୈନଦିନ ଆବଶ୍ୟକତା ମେଣ୍ଟାଇବାକୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏନେଇ ସୁପ୍ରିମକୋର୍ଟରେ ଏକ ଅପିଲ ଦାଖଲ ହୋଇଥିଲା। ସେକ୍ସ ୱାର୍କରଙ୍କ ଥଇଥାନ ପାଇଁ ଗଠିତ ପ୍ୟାନେଲର ସୁପାରିସରେ ଶୁଣାଣି ଚାଲିଥିବା ବେଳେ ଏପରି ରାୟ ଦେଇଛନ୍ତି ଖଣ୍ଡପୀଠ। ସୁପ୍ରିମକୋର୍ଟ ବିଚାରପତି ଏଲ. ନାଗେଶ୍ୱର ରାଓ, ବିଆର ଗାଭାଇ ଓ ଏସ୍ ବୋପାନ୍ନାଙ୍କ ମିଳିତ ଖଣ୍ଡପୀଠ ଏପରି ରାୟ ଦେଇଛନ୍ତି।
ଏନେଇ ସେମାନେ କହିଛନ୍ତି, ଭାରତ ବର୍ଷରେ ସମସ୍ତ ନାଗରିକଙ୍କ ସାମ୍ବିଧାନିକ ଅଧିକାର ଯେପରି ଅକ୍ଷୁର୍ଣ୍ଣ ରହିବ ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ଉଚିତ। କୋର୍ଟ କହିଛନ୍ତି, ଯଦି କୌଣସି ଦେହଜୀବୀ ଯୌନ ଉତ୍ପୀଡ଼ନର ଶିକାର ହେଉଛନ୍ତି ତାଙ୍କୁ ତୁରନ୍ତ ମେଡିକାଲ ସହାୟତା ପ୍ରଦାନ କରିବା ଉଚିତ। ଏଥିସହ ଯୌନ ପୀଡ଼ିତାଙ୍କୁ ମିଳୁଥିବା ଆଇନଗତ ସବୁ ପ୍ରକାର ସହାୟତା ସେମାନଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବା ଦରକାର। ଅଧିକାଂଶ ସମୟରେ ଦେଖିବାକୁ ମିଳୁଛି, ଦେହଜୀବୀଙ୍କୁ ପୁଲିସ୍ ଖରାପ ବ୍ୟବହାର ପ୍ରଦର୍ଶନ କରୁଛି। ପୁଲିସ୍, କୋର୍ଟ ଓ ଅନ୍ୟ ଲିଗାଲ ସେଲ୍ ସେମାନଙ୍କ ଅଧିକାର ପ୍ରତି ସମ୍ବେଦନଶୀଳ ହେବା ଉଚିତ।ଇୟଗ୍ଦ ଭଚ୍ଚ
ଗଣମାଧ୍ୟମରେ ଖବର ପ୍ରସାରଣ ବେଳେ ସେକ୍ସ ୱାର୍କରଙ୍କ ପରିଚୟ ଯେପରି ଗୁପ୍ତ ରହେ ସେ ଦିଗରେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ସହ ମଧ୍ୟ ଯୋଗାଯୋଗ କରାଯାଇ ନିର୍ଦ୍ଦେଶାବଳୀ ଜାରି କରିବାକୁ କୁହାଯାଇଛି। ଏହାଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ାଉ, ଗିରଫଦାରୀ ବେଳେ ଖବର ପ୍ରସାରଣ ସମୟରେ ଯେପରି ସତର୍କତା ଅବଲମ୍ବନ କରାଯାଏ ସେ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି।
ଦେହଜୀବୀଙ୍କ ଲାଗି ୱାର୍କଶପ୍ କରିବାକୁ ଉଚ୍ଚତମ ନ୍ୟାୟାଳୟ ବିଭିନ୍ନ ରାଜ୍ୟ ସରକାର ଓ ଲିଗାଲ ସର୍ଭିସ ଅଥରିଟିଙ୍କୁ କହିଥିବା ବେଳେ ଏହାଦ୍ୱାରା ଦେହଜୀବୀମାନେ ସେମାନଙ୍କ ଅଧିକାର ସମ୍ପର୍କରେ ଜାଣିପାରିବେ ବୋଲି ଉଲ୍ଲେଖ କରିଛନ୍ତି। ଆଇନ ଅନୁଯାୟୀ ଦେହଜୀବୀଙ୍କୁ କ’ଣ ଅନୁମତି ମିଳିଛି ଓ କ’ଣ ନାହିଁ ସେ ସମ୍ପର୍କରେ ସେମାନଙ୍କୁ ସଚେତନ କରାଯାଇପାରିବ। ଏହାଦ୍ୱାରା ସେମାନେ କିପରି ପୁଲିସ୍ ଉତ୍ପୀଡନରୁ ବଞ୍ଚିପାରିବେ ଓ ନିଜ ନ୍ୟାୟିକ ଲଢ଼େଇ ଲଢ଼ିପାରିବେ ସେ ସମ୍ପର୍କରେ ଜ୍ଞାନ ଆହରଣ କରିପାରିବେ। କାରଣ, ଭାରତ ବର୍ଷରେ ସମସ୍ତଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାର ଅଛି।




admin 