ଦ୍ରୁତ ଗତିରେ ବଢ଼ିଛି ଆଦାନିଙ୍କ ସମ୍ପତ୍ତି, ଏସିଆର ଦ୍ବିତୀୟ ବଡ଼ ଧନୀ

ଦ୍ରୁତ ଗତିରେ ବଢ଼ିଛି ଆଦାନିଙ୍କ ସମ୍ପତ୍ତି, ଏସିଆର ଦ୍ବିତୀୟ ବଡ଼ ଧନୀ

ଦ୍ରୁତ ଗତିରେ ବଢ଼ିଛି ଆଦାନିଙ୍କ ସମ୍ପତ୍ତି, ଏସିଆର ଦ୍ବିତୀୟ ବଡ଼ ଧନୀ

ନୂଆଦିଲ୍ଲୀ : ଦ୍ରୁତ ଗତିରେ ବଢ଼ୁଛି ଆଦାନିଙ୍କ ସମ୍ପତ୍ତି।  ଆଦାନି ଗ୍ରୁପର ମୁଖ୍ୟ ଗୌତମ ଆଦାନିଙ୍କ ଦୈନିକ ଆୟ ହେଉଛି ୧୦୦୨ କୋଟି ଟଙ୍କା । ସେ ଚୀନର ଝୋଙ୍ଗ ସାନସାନଙ୍କୁ ହଟାଇ ଏସିଆର ଦ୍ୱିତୀୟ ବଡ଼ ଧନୀ ଭାବେ ଉଭା ହୋଇଛନ୍ତି । ତାଙ୍କ ମୋଟ ସମ୍ପତ୍ତି ୫ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି ବୋଲି ଜାରି ହୋଇଥିବା ଆଇଆଇଏଫଏଲ ହୁରୁନ୍ ଭାରତୀୟ ଧନୀ ତାଲିକାରୁ ଜଣାପଡ଼ିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନି ୭,୧୮,୦୦୦ କୋଟି ଟଙ୍କାର ସମ୍ପତ୍ତି ସହ କ୍ରମାଗତ ଦଶମ ବର୍ଷ ଲାଗି ଭାରତର ଏକ ନମ୍ବର ଧନୀ ମାନ୍ୟତା ହାସଲ କରିଛନ୍ତି । ଶ୍ରେଷ୍ଠ ୧୦ ଧନୀଙ୍କ ଭିତରେ ଆର୍ସେଲର ମିତ୍ତଲର ଲକ୍ଷ୍ମୀ ଏନ୍ ମିତ୍ତଲ, ଆଦିତ୍ୟ ବିର୍ଲା ଗ୍ରୁପର କୁମାର ମଙ୍ଗଳମ୍ ବିର୍ଲାଙ୍କ ନାମ ମଧ୍ୟ ରହିଛି । କାଲିଫର୍ଣ୍ଣିଆରେ ଜେଡସ୍କାଲର ନାମକ ସାଇବର ନିରାପତ୍ତା ସଂସ୍ଥା ସ୍ଥାପନ କରିଥିବା ଜୟ ଚୌଧୁରୀ ପ୍ରଥମ ଥର ଲାଗି ଶ୍ରେଷ୍ଠ ୧୦ ଧନୀଙ୍କ ତାଲିକାରେ ପ୍ରବେଶ କରିଛନ୍ତି । ହୁରୁନ୍ ଧନୀ ତାଲିକା ୨୦୨୧ରୁ ଏଡିଏଜି ଗ୍ରୁପର ମୁଖ୍ୟ ଅନିଲ ଅମ୍ବାନି, କିଙ୍ଗଫିସରର ବିଜୟ ମାଲ୍ୟା, ଭିଡିଓକନର ବେଣୁଗୋପାଳ ଧୁତ, ୟେସ୍ ବ୍ୟାଙ୍କର ରାଣା କୁପର, ଫାୟାରଷ୍ଟାର ଡାଇମଣ୍ଡସର ନିରବ ମୋଦୀ, ଗୀତାଞ୍ଜଳିର ମେହୁଲ ଚୋକସି ଓ ରାନବାକ୍ସିର ଶିବିନ୍ଦର ସିଂହ ବିଦାୟ ନେଇଛନ୍ତି । ଏମାନଙ୍କୁ ଧନୀ ତାଲିକାରେ ସ୍ଥାନ ମିଳିନାହିଁ । ସଂଯୋଗର ବିଷୟ ହେଉଛି ଏହି ସମସ୍ତ ବ୍ୟକ୍ତି ଋଣ ଜାଲରେ ଛନ୍ଦି ହୋଇ ସମ୍ପତ୍ତି ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଋଣ ଠକେଇ କରି ନିନ୍ଦିତ ମଧ୍ୟ ହୋଇଛନ୍ତି । ଚଳିତ ବର୍ଷର ଧନୀ ତାଲିକାରେ ୧୩ ଜଣ ଯୁବବର୍ଗର ଉଦ୍ୟୋଗୀ ରହିଛନ୍ତି ଯେଉଁମାନେ ନବେ ଦଶକରେ ଜନ୍ମ ଗ୍ରହଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ସବୁଠୁ ସାନ ହେଉଛନ୍ତି ଭାରତପେ’ ଆପର ପ୍ରତିଷ୍ଠାତା ଦିଲ୍ଲୀର ୨୩ ବର୍ଷୀୟ ଯୁବକ ଶାଶ୍ୱତ ନାକରାନି । ଭାରତରେ ୧୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ମାଲିକଙ୍କ ସଂଖ୍ୟା ୧୦୦୭ରେ ପହଞ୍ଚିଛି । ସମ୍ପତ୍ତି ମାମଲାରେ ଚର୍ଚ୍ଚିତ ନିବେଶକ ରାକେଶ ଝୁନଝୁନୱାଲାଙ୍କୁ ବାଇଜୁସର ମୁଖ୍ୟ ବାଇଜୁ ରବିନ୍ଦ୍ରନ୍ ପଛରେ ପକାଇ ଦେଇଛନ୍ତି । ଧନୀ ତାଲିକାରେ ଥିବା ୮୯୪ ଜଣଙ୍କ ସମ୍ପତ୍ତି ଏବର୍ଷ ବୃଦ୍ଧି ପାଇଥିବା ବେଳେ ୧୧୩ ଜଣଙ୍କ ସମ୍ପତ୍ତି ହ୍ରାସ ପାଇଛି । ୫୧ ଜଣ ଧନୀ ତାଲିକାରୁ ବାହାରି ଯାଇଥିବା ବେଳେ ୨୨୯ଟି ନୂଆ ଚେହେରା ତାଲିକାରେ ପ୍ରବେଶ କରିଛନ୍ତି ଓ ୬ ଜଣଙ୍କର ପରଲୋକ ହୋଇଛି । ସର୍ବାଧିକ ଧନୀ ସୃଷ୍ଟି କରିବା ତାଲିକାରେ ମୁମ୍ବାଇ (୨୫୫) ପ୍ରଥମ ସ୍ଥାନରେ ଥିବା ବେଳେ ଦିଲ୍ଲୀ (୧୬୭) ଓ ବେଙ୍ଗାଲୁରୁ (୮୫) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛି । ଅହମ୍ମଦାବାଦକୁ ଚେନ୍ନାଇ ପଞ୍ଚମ ସ୍ଥାନରୁ ହଟାଇଛି । ସୋସିଆଲ୍ ମିଡିଆରେ ରତନ ଟାଟାଙ୍କ ସର୍ବାଧିକ ୧୦ ନିୟୁତ ଅନୁଗାମୀ ଥିବା ବେଳେ ୮.୫ ନିୟୁତ ଅନୁଗାମୀଙ୍କ ସହ ଆନନ୍ଦ ମହିନ୍ଦ୍ରା ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।