ଦ୍ୱିତୀୟ ଦିନରେ ପୁରୀ ଏମାର ମଠର ଉଛେଦ ଜାରି

ଦ୍ୱିତୀୟ ଦିନରେ ପୁରୀ ଏମାର ମଠର ଉଛେଦ ଜାରି

ଦ୍ୱିତୀୟ ଦିନରେ ପୁରୀ ଏମାର ମଠର ଉଛେଦ ଜାରି
ପୁରୀ : ପୁରୀରେ ଦ୍ୱିତୀୟ ଦିନ ପାଇଁ ଚାଲିଛି ବହୁ ଚର୍ଚ୍ଚିତ ଏମାର ମଠର ଉଛେଦ କାମ। ଗତକାଲି ମଠର ପଛ ପାଶ୍ୱର୍ର ଉଛେଦ କାମ ହୋଇଛି। ଆଜି ଏହି ଉଛେଦ ଆଗକୁ ବଢ଼ିଛି। ସେପଟେ ଉଛେଦ ବିରୋଧରେ ଗତକାଲି ମଠର ମହନ୍ତ ରାଜଗୋପାଳ ରାମାନୁଜ ଦାଶ ଗୋଟିଏ ଘରେ ଏକାକୀ ଧ୍ୟାନରେ ବସିଥିବାରୁ ଏହାକୁ ଭଙ୍ଗା ଯାଇ ପାରିନଥିଲା। ତେବେ ଏହା ମଧ୍ୟରେ ପ୍ରଶାସନ ତାଙ୍କ ସହିତ ଆଲୋଚନା କରି ତାଙ୍କୁ ମନେଇବାରେ ସଫଳ ହୋଇଛି। ତେଣୁ ଆଜି ୯ ଶହ ବର୍ଷର ଏହି ପୁରୁଣା ମଠ ଉଛେଦ କାମ ଆଗକୁ ବଢ଼ିଚାଲିଛି। ମଠ ଭାଙ୍ଗିବା ବେଳେ ସମସ୍ତଙ୍କ କୌତୁହଳ ବି ବଢ଼ୁଛି ବାସ୍ତବରେ ଏହା ମଧ୍ୟରେ କଣ ସବୁ ରହିଛି। ଗତକାଲି ମଠର ପଛ ପାର୍ଶ୍ୱ କାନ୍ଥକୁ ବୁଲଡୋଜର ଭାଙ୍ଗି ଭାଙ୍ଗି ଯାଉଥିବା ବେଳେ ଦେଖିବାକୁ ମିଳିଲା, ମାଟି ତଳେ ଲୁଚି ରହିଥିବା ଏକ ଗୁପ୍ତ କୋଠରୀ। ଯାହା ଭିତରକୁ ସ୍ନେକ ହେଲ୍ପଲାଇନର ସଦସ୍ୟମାନେ ଯାଇ ଯାଞ୍ଚ କରିଥିଲେ। ଗତକାଲି ସଂଧ୍ୟା ବେଳେ ସାମନାକୁ ଆସିଥିଲା, ସୁଢ଼ଙ୍ଗ ଭଳି ଦେଖା ଯାଉଥିବା ଏକ ଭୂତଳ କୋଠରୀ। ଯାହା କେତେ ବାଟ ପର୍ଯ୍ୟନ୍ତ ଲମ୍ବିଛି, ତାହା ଏବେ ବି ରହସ୍ୟ ଘେରରେ ରହିଛି। ଆଜି ଉଛେଦ ଆଗକୁ ବଢିଲେ ଏହା ନେଇ ଅଧିକ ସୂଚନା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।