ନବୀନ ଓ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ
ନବୀନ ଓ ମୋଦିଙ୍କ ଉପରେ ବର୍ଷିଲେ ରାହୁଲ
admin
Mar 15, 2019 - 10:08
Updated: Mar 15, 2019 - 10:08
ଭୁବନେଶ୍ୱର : ବରଗଡର ସରସରା ପଡିଆରେ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି । ଉଭୟ ସରକାର ଦୁର୍ନୀତିଗ୍ରସ୍ତ ହୋଇଥିବାବେଳେ କଂଗ୍ରେସକୁ ଭୋଟ ଦେବା ପାଇଁ ସେ ଆହ୍ୱାନ ଦେଇଛନ୍ତି । ସେହିପରି ଚାଷୀଙ୍କ ବିକାଶ ସହ ଦେଶରୁ ବେକାରୀ ହଟାଇବା ପାଇଁ କଂଗ୍ରେସ ସଂକଳ୍ପବଦ୍ଧ ବୋଲି ରାହୁଲ କହିଥିଲେ ।
ରାହୁଲ ଗାନ୍ଧୀ କହିଲେଯେ, ବରଗଡ ଓଡିଶାର ଭାତ ହାଣ୍ଡି । ଆଜି ଏଠାକାର ଚାଷୀ ପ୍ରତିଦିନ ଆତ୍ମହତ୍ୟା କରୁଛନ୍ତି । ଏମିତି ଏକ ଦିନ ନାହିଁ ଯେଉଁଦିନ ଭାରତ ବା ଓଡିଶାର ଚାଷୀ ଆତ୍ମହତ୍ୟା କରୁନାହାନ୍ତି । ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛନ୍ତି । ନବୀନ ପଟ୍ଟନାୟକ କହିଥିଲେ, ସେ ଶୀତଳ ଭଣ୍ଡାର କରିବେ । ସେ ଜଳସେଚନର ପ୍ରତିଶ୍ରୁତି ଦେଇଥିଲେ । ସବୁ ଭାଷଣରେ ମୋଦି ଚାଷୀଙ୍କ କଥା କହୁଛନ୍ତି । ଗତ ପାଂଚ ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦି ଦେଶର ଧନୀମାନଙ୍କ ସାଢ଼େ ୩ ଲକ୍ଷ କୋଟି ଟଙ୍କାର ଋଣ ଛାଡ କଲେ । ବିଜୟ ମାଲ୍ୟା, ନୀରବ ମୋଦି, ମେହୁଲ ଚୋସ୍କି, ଲଳିତ ମୋଦି, ଅନୀଲ ଅମ୍ବାନୀ ଭଳି ଶିଳ୍ପପତିମାନେ ଲାଭମାନ ହୋଇଛନ୍ତି । ହେଲେ ମୋଦି କି ନବୀନ ଚାଷୀଙ୍କ ଋଣ ଛାଡ କରୁନାହାନ୍ତି । ଛତିଶଗଡ଼ରେ ଆମେ ଚାଷୀଙ୍କ ପାଇଁ ଋଣ ଛାଡ, କାରଖାନା ପାଇଁ ନିଆଯାଇଥିବା ଜମିରେ ଯଦି ୫ ବର୍ଷରେ କାରଖାନା ନହେଲା ତେବେ ଚାଷୀଙ୍କୁ ଜମି ଫେରସ୍ତ ଓ ଧାନର ଏମଏସପି ୨୫ ଶହ ଟଙ୍କା କରିବାକୁ ପ୍ରତିଶ୍ରୁତି ଦେଇଥିଲୁ । ତାହା ଆମେ ପୂରଣ କରିଛୁ । ଟାଟା ନେଇଥିବା ଜମି ଫେରାଇ ଆଣି ଲୋକଙ୍କୁ ଦେବା ଭଳି ଐତିହାସିକ କାର୍ଯ୍ୟ କରିଛୁ । ପ୍ରତି ଆକାଉଂଟରେ ୧୫ ଲକ୍ଷ ଟଙ୍କା ଦେବା, ୨ କୋଟି ରୋଜଗାର ଦେବା ଭଳି ମିଛ କହିବାକୁ ଚାହେଁନାହିଁ । କୌଣସି ଭାଷଣରେ ମୁଁ ମିଛ ପ୍ରତିଶ୍ରୁତି ଦେଇଥିବା ଶୁଣିବାକୁ ପାଇବେ ନାହିଁ ବୋଲି ସେ କହିଥିଲେ ।
ରାହୁଲ କହିଲେଯେ, ଓଡିଶା ବେରୋଜଗାରୀର ସେଂଟର । ହେଲେ ନବୀନ ପଟ୍ଟନାୟକ କି ନରେନ୍ଦ୍ର ମୋଦି ନିଯୁକ୍ତି ଦେଇନାହାନ୍ତି । ମୋଦି କହୁଛନ୍ତି ସେ ଚୌକିଦାର । ମୋଦି ଗବର ସିଂହ ଟ୍ୟାକ୍ସ ଲଗାଇ ଛୋଟ ଛୋଟ ଦୋକାନୀଙ୍କୁ ବେକାରୀ କରିଦେଲେ । ହେଲେ ଆମେ ଆସିଲେ ପ୍ରକୃତ ଏକକ ଟିକସ ଲଗାଇବୁ । ମୋଦିଙ୍କ ଭଳି ନବୀନ ମଧ୍ୟ ଭ୍ରଷ୍ଟାଚାର କରୁଛନ୍ତି । ଆମେ ସବୁ ଲୋକଙ୍କୁ ସ୍ୱାସ୍ଥ୍ୟ ଅଧିକାର ଦେବୁ ବୋଲି ରାହୁଲ କହିଛନ୍ତି । ଆମେ ପ୍ରେମର ବାର୍ତା ଦେଉଛୁ ହେଲେ ମୋଦି ଘୃଣାର ବିସ୍ତାର କରୁଛନ୍ତି ।
ଏହି ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେଯେ, ଓଡିଶାରେ କଂଗ୍ରେସର ସରକାର ଆସିଲେ ଧାନ କୁଇଂଟାଲ ପିଛା ୨୬ ଶହ ଟଙ୍କା ଦିଆଯିବ । ୫ ବର୍ଷ ଧରି ଚାଷୀଙ୍କୁ ଆର୍ଥିକ ସହାୟତା ମିଳିବ । କୃଷି ଋଣ ଛାଡ କରିବା ପାଇଁ ରାହୁଲ ଗାନ୍ଧୀ ଘୋଷଣା କରିସାରିଛନ୍ତି । ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଋଣ ଛାଡ କରାଯାଇଛି । ଚାଷୀଙ୍କୁ ସବୁଦିନିଆ ଜଳସେଚନର ସୁବିଧା ଦେବା ପାଇଁ ସୋଲାର ପମ୍ପ ମଧ୍ୟ ଯୋଗାଇ ଦିଆଯିବ । ଏହାଦ୍ୱାରା ଚାଷୀଙ୍କ ବିକାଶ ହୋଇପାରିବ ବୋଲି ନିରଞ୍ଜନ କହିଥିଲେ । ସେହିପରି ରାଜ୍ୟର ବେକାରୀଙ୍କୁ ନିଯୁକ୍ତି ଦେବା ପାଇଁ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ବୋଲି ସେ କହିଛନ୍ତି ।