ନଭେମ୍ବର ୩ରେ ବାଲେଶ୍ୱର, ତିର୍ତ୍ତାଲ ଭୋଟ
ନଭେମ୍ବର ୩ରେ ବାଲେଶ୍ୱର, ତିର୍ତ୍ତାଲ ଭୋଟ
admin
Sep 30, 2020 - 05:21
Updated: Sep 30, 2020 - 05:21
ଭୁବନେଶ୍ୱର: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ବାଜିଲା ବାଲେଶ୍ୱର ଓ ତିର୍ତ୍ତାଲ ନିର୍ବାଚନ ବିଗୁଲ । ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । ଭାରତୀୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ ଆରୋରା ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ନଭେମ୍ବର ୩ ତାରିଖରେ ଉଭୟ ନିର୍ବାଚନମଣ୍ଡଳୀ ପାଇଁ ଭୋଟ ଗ୍ରହଣ କରାଯିବ ବୋଲି ଶ୍ରୀ ଆରୋରା ଘୋଷଣା କରିଛନ୍ତି ।
ତାଙ୍କ ଘୋଷଣା ଅନୁଯାୟୀ ନଭେମ୍ବର ୩ ତାରିଖରେ ଉଭୟ ନିର୍ବାଚନମଣ୍ଡଳୀ ପାଇଁ ଭୋଟ ଗ୍ରହଣ କରାଯିବ । ନଭେମ୍ବର ୧୦ ତାରିଖରେ ଉଭୟ ନିର୍ବାଚନମଣ୍ଡଳୀର ଭୋଟ ଗଣତି କରାଯିବ । ଅକ୍ଟୋବର ୯ରେ ଉଭୟ ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୧୬ରେ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ । ଅକ୍ଟୋବର ୧୭ରେ ଯାଞ୍ଚ ଓ ୧୯ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।
ବାଲେଶ୍ୱର ଜିଲ୍ଲା ସଦର ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ମଦନ ମୋହନ ଦତ୍ତ ଓ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ଦେହାନ୍ତ ପରେ ଏହି ଦୁଇଟି ଆସନ ଖାଲି ପଡ଼ିଛି । ମଦନମୋହନ ବାଲେଶ୍ୱର ସଦର ବିଧାୟକ ଭାବେ ୨୦୧୯ ରେ ପ୍ରଥମ ଥର ନିର୍ବାଚିତ ହୋଇଥିଲେ । ଗତ ଜୁନ ୧୭ରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିଲା । ସେହିପରି ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁଦାସଙ୍କର ଚଳିତ ମାସ ୬ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିଲା । ବିଷ୍ଣୁ ୬ ଥର ବିଧାୟକ ଏବଂ ଥରେ ସ୍ୱଳ୍ପ ସମୟ ପାଇଁ ସାଂସଦ ହୋଇଥିଲେ । ସେ ଜଗତସିଂହପୁରରୁ ୫ ଥର ଏବଂ ତିର୍ତ୍ତୋଲରୁ ଥରେ ବିଧାୟକ ହୋଇଥିଲେ । ଉପନିର୍ବାଚନ ପାଇଁ ଉଭୟ ସିଟରୁ ଲଢ଼ିବା ପାଇଁ ବିଜେଡି, ବିଜେପି ଓ କଂଗ୍ରେସର ମାନସ ମନ୍ଥନ ଆରମ୍ଭ ହୋଇଯାଇଛି । ଦଳର ତୁଙ୍ଗ ନେତାମାନେ ଅଞ୍ଚଳକୁ ଗସ୍ତ କରି ବରିଷ୍ଠ ନେତାଙ୍କୁ ଅଲଗା ଅଲଗା ଭେଟି ଆଲୋଚନା କରିଛନ୍ତି । କାହାକୁ ଟିକେଟ ଦେଲେ ଦଳର ଜିତିବା ସମ୍ଭାବନା ଅଧିକ ରହିବ ତାହାକୁ ଗୁରୁତ୍ୱ ଦେଉଛନ୍ତି ।