ପତ୍ନୀଙ୍କୁ ପିଟିପିଟି ହତ୍ୟା, ସ୍ୱାମୀ ଗିରଫ

ପତ୍ନୀଙ୍କୁ ପିଟିପିଟି ହତ୍ୟା, ସ୍ୱାମୀ ଗିରଫ

ପତ୍ନୀଙ୍କୁ ପିଟିପିଟି ହତ୍ୟା, ସ୍ୱାମୀ ଗିରଫ
ଚିତ୍ରଡ଼ା : ଘରେ ସଉଦାପତ୍ର ନଥିଲା । ଯାହାକୁ କେନ୍ଦ୍ର କରି ପତି ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଲାଗିଲା । ପତିର ମୁଣ୍ଡକୁ ଏମିତି ରାଗ ଚଢ଼ିଲା ଯେ ସେ ହିତାହିତ ଜ୍ଞାନ ଭୁଲି ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା । ଆଉ ପ୍ରମାଣ ଲୁଚାଇବାକୁ ଶବକୁ ଜଙ୍ଗଲରେ ପକାଇ ଦେଇ ଆସିଲା । ଏପରି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଧୀନ ଜୁଆଳିଭଙ୍ଗା ପଞ୍ଚାୟତ ପୂର୍ଣ୍ଣଚନ୍ଦ୍ରପୁର ଲୋଧା ଗ୍ରାମରେ । ପୁଲିସ ଏହି ମାମଲାର ତଦନ୍ତ କରି ଅଭିଯୁକ୍ତ ସ୍ୱାମୀ ଜେନା ଭକ୍ତାକୁ ଗିରଫ କରିଛି । ଗତ ରବିବାର ଘଟଣା । ଘରେ ଡାଲି ଓ ତେଲ ନଥିଲା । ଫଳରେ ଜେନା ଭକ୍ତା (୩୦) ଓ ତାଙ୍କ ପତ୍ନୀ ଗୋଲାପି ଭକ୍ତା (୨୮)ଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ଏହି ସମୟରେ ନିଶାରେ ଥିବା ଜେନା ଉତ୍ତ୍ୟକ୍ତ ହୋଇ ଗୋଲାପିଙ୍କୁ ପିଟିପିଟି ହତ୍ୟା କରିଥିଲା । ତେବେ ଆଜି ଜଙ୍ଗଲରେ ଏକ ଶବ ପଡ଼ିଥିବା ଖବର ପ୍ରଚାରିତ ହେବା ପରେ ମୋରଡ଼ା ଥାନା ଆଇଆଇସି ଯୋଗେନ୍ଦ୍ର ମଲ୍ଲିକ, ବେତନଟୀ ଏସଡିପିଓ ଲଳିତ କୁମାର ପଟ୍ଟନାୟକ ଓ ମାଜିଷ୍ଟ୍ରେଟ ଭାବେ ତହସିଲଦାର ସମ୍ବିତ ସଂଗ୍ରାମ ଜିତ ସାହୁ ସାଇଣ୍ଟିଫିକ ଟିମ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପରେ ଶବଟି ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମର ଗୋଲାପିଙ୍କର ବୋଲି ଜଣାପଡ଼ିଥିଲା । ପୁଲିସ ୬୭/୧୯ ନମ୍ବରରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଇଥିଲା । ଅନ୍ୟପଟେ ମୃତ ମହିଳାଙ୍କ ପତି ଜେନାଙ୍କୁ ଥାନାରେ ଅଟକ ରଖି ଜେରା ପରେ ସେ ହତ୍ୟା କରିଥିବା ମାନି ଯାଇଥିଲା । ଫଳରେପୁଲିସ ତାକୁ ଗିରଫ କରିଥିଲା । ସୂଚନା ଯୋଗ୍ୟ ମୃତ ଗୋଲାପିଙ୍କ ବାପଘର ପାରାଦୀପ ଅଞ୍ଚଳରେ । ସେଠାରେ ଜେନା ଶ୍ରମିକ ଭାବେ କାର୍ଯ୍ୟ କରିବା ସମୟରେ ଗୋଲାପିଙ୍କୁ ପ୍ରେମ ବିବାହ କରି ପୂର୍ଣ୍ଣଚନ୍ଦ୍ରପୁରକୁ ନେଇ ଆସିଥିଲା ।