ସୋନିଆଙ୍କ ପାଇଁ ଜେଟ୍ଲିଙ୍କ ଶେଷ ଉପହାର

ସୋନିଆଙ୍କ ପାଇଁ ଜେଟ୍ଲିଙ୍କ ଶେଷ ଉପହାର

ସୋନିଆଙ୍କ ପାଇଁ ଜେଟ୍ଲିଙ୍କ ଶେଷ ଉପହାର
ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ମୃତୁ୍ୟରେ ମାତ୍ର କିଛି ଦିନ ପୂର୍ବରୁ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀ ଉତ୍ତରପ୍ରଦେଶରେ ରାଏବରେଲିକୁ ଏକ ଉପହାର ଦେଇଚନ୍ତି । ଜେଟଲୀ ତାଙ୍କ ଏମପିଲାଡ ପାଣ୍ଠିରୁ ରାଏବରେଲିରେ ୨୦୦ ସୌର ଶକ୍ତି ସମ୍ପନ୍ନ ହାଇ ମାଷ୍ଟ ଲାଇଟ ଲଗାଇବା ପାଇଁ ରାଏବରେଲି ଜିଲ୍ଲାପାଳଙ୍କୁ ଏକ ପ୍ରସ୍ତାବ ଦେଇଥିଲେ । ଏ ନେଇ ପ୍ରଥମେ ଜେଟଲିଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବା ବେଳେ ଜୁଲାଇ ୩୦ ତାରିଖରେ ଜେଟଲୀ ଏକ ଚିଠି ଲେଖିଥିଲେ । ପରେ ଜେଟଲୀ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଏହି ସୁପାରିଶକୁ ରାଏବରେଲି ଜିଲ୍ଲାପାଳଙ୍କ ନିକଟରେ ଗତ ୧୭ ତାରିଖରେ ଦାଖଲ କରାଯାଇଥିଲା । ରାଏବରେଲି ଜିଲ୍ଲାପାଳ ନେହା ଶର୍ମା ମଧ୍ୟ ଏହି ସୁପାରିଶ ଗ୍ରହଣ କରିଥିବା କହିଛନ୍ତି । ଏମପିଲାଡ ଅଧୀନରେ ସାଂସଦମାନେ ସେମାନଙ୍କ ନିଜ ନିଜ ସଂସଦୀୟ କ୍ଷେତ୍ରରେ ବାର୍ଷିକ ୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । ସୂଚନାଅନୁଯାୟୀ ରାଏବରେଲିରେ ଜେଟ୍ଲିଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ପ୍ରକଳ୍ପକୁ ଖୁବ ଶୀଘ୍ର କାର୍ଯ୍ୟକାରୀ କରାଯିବ । ଡିଆରଡିଏ (ଜିଲ୍ଲା ଗ୍ରାମୀଣ ବିକାଶ ସଂସ୍ଥା) ଦ୍ୱାରା ଏହି କାର୍ଯ୍ୟ ସମ୍ପାଦନ କରାଯିବ ବୋଲି ଜଣାପଡ଼ିଛି ।