ସୂର୍ୟ୍ୟଙ୍କ ପ୍ରସ୍ତାବ: ହୋ’ହଲ୍ଲା କଲେ ନିଲମ୍ବନ

ସୂର୍ୟ୍ୟଙ୍କ ପ୍ରସ୍ତାବ: ହୋ’ହଲ୍ଲା କଲେ ନିଲମ୍ବନ

ସୂର୍ୟ୍ୟଙ୍କ ପ୍ରସ୍ତାବ: ହୋ’ହଲ୍ଲା କଲେ ନିଲମ୍ବନ
ନୂଆଦିଲ୍ଲୀ : ବିଧାନସଭାରେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ବହୁ ପ୍ରଭାବୀ ଢଙ୍ଗରେ ଗୃହ ପରିଚାଳନା କରି ନଜିର ସୃଷ୍ଟି କରିଛନ୍ତି । ତେବେ ବାଚସ୍ପତି ଶ୍ରୀ ପାତ୍ର ଏକ ନିଆରା ପ୍ରସ୍ତାବ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ବିଧାନସଭା ବାଚସ୍ପତିମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ଯୋଗ ଦେଇଥିଲେ । ଗୃହର ମଧ୍ୟଭାଗକୁ ଆସି ହୋ’ହଲ୍ଲା କରୁଥିବା ସଦସ୍ୟମାନଙ୍କୁ ନିଲମ୍ବନ କରାଯିବାର ବ୍ୟବସ୍ଥା ହେବା ଦରକାର ବୋଲି ଶ୍ରୀ ପାତ୍ର ପରାମର୍ଶ ଦେଇଛନ୍ତି । ସୂଚନା ଅନୁସାରେ ଇ-ବିଧାନସଭା ପ୍ରସଙ୍ଗରେ ତଥା ବିଧାନସଭାରେ ସଦସ୍ୟମାନଙ୍କର ହଟ୍ଟଗୋଳ ଦ୍ୱାରା ଗୃହ କାର୍ୟ୍ୟରେ ଦେଖା ଦେଉଥିବା ପ୍ରତିବନ୍ଧକର ସ୍ଥାୟୀ ସମାଧାନ ପାଇଁ ଶ୍ରୀ ପାତ୍ର ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ । ଶ୍ରୀ ପାତ୍ର କହିଥିଲେ ଯେ, ଗୃହର ଅଧିବେଶନ ସମୟରେ ସଦସ୍ୟମାନଙ୍କ ଦ୍ୱାରା ହଟ୍ଟଗୋଳ, ପାଟିତୁଣ୍ଡ ଯୋଗୁଁ ଗୃହକାର୍ୟ୍ୟରେ ବାଧାସୃଷ୍ଟି ହେଉଥିବାରୁ ପ୍ରକୃତ ପ୍ରସଙ୍ଗ ଦିଗହରା ହେଉଛି । ଯେଉଁଥିପାଇଁ ବିଧାନସଭାକୁ ବାରମ୍ବାର ମୁଲତବୀ କରାଯାଉଛି । ଏଭଳି ସମସ୍ୟା ତ୍ୱରିତ ସମାଧାନ ହେବା ଉଚିତ । ଗୃହର ମଧ୍ୟଭାଗକୁ ଆସି ହୋ’ହଲ୍ଲା କରୁ୍ଥିବା ସଦସ୍ୟମାନଙ୍କୁ ନିଲମ୍ବନ କରାଯିବାର ବ୍ୟବସ୍ଥା ହେବା ଦରକାର ବୋଲି ଶ୍ରୀ ପାତ୍ର କହିଥିଲେ । ଏ ସମ୍ପର୍କରେ ସୂଚନା ଦେଇ ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି ଯେ, ତାଙ୍କ ପରାମର୍ଶକୁ ଉପସ୍ଥିତ ଥିବା ରାଜ୍ୟ ବାଚସ୍ପତିମାନଙ୍କ ଦ୍ୱାରା ସମର୍ଥନ କରାଯାଇଥିଲା । ଏକ ସ୍ଥାୟୀ ବ୍ୟବସ୍ଥା ପାଇଁ ସମସ୍ତେ ସହମତି ପ୍ରକାଶ କରିଥିଲେ । ଅନ୍ୟ ପକ୍ଷରେ ଆସନ୍ତା ନଭେମ୍ବର ୧୨-୧୩ ତାରିଖରେ ଉତ୍ତରାଖଣ୍ଡର ଡେରାଡୁନ ଠାରେ ରାଜ୍ୟ ବିଧାନସଭା ବାଚସ୍ପତିମାନଙ୍କର ବୈଠକ ଅନୁଷ୍ଠିତ ହେବା ସେହି ବୈଠକରେ ଗୃହରେ ହଟ୍ଟଗୋଳ କରୁଥିବା ସଦସ୍ୟଙ୍କ ନିଲମ୍ବନ ସମ୍ପର୍କରେ ବିଚାର କରିବାକୁ ଏକ କମିଟି ଗଠନ କରାଯିବ । କମିଟିର ସୁପାରିସକୁ ସମସ୍ତ ବିଧାନସଭାର ବାଚସ୍ପତିମାନଙ୍କ ଦ୍ୱାରା ସ୍ୱୀକୃତି ପ୍ରଦାନ କରାଯାଇ ୟୁନିଭର୍ସାଲ କୋର୍ଡ ଅଫ କଣ୍ଡକ୍ଟ ଗଠନ କରାଯିବ । ଯାହା ଦ୍ୱାରା ଗୃହରେ ହୋ’ହଲ୍ଲା କରୁଥିବା ସଦସ୍ୟମାନେ ଆପେ ନିଲମ୍ବନ ହେବେ । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଲୋକସଭା ଓ ବିଧାନସଭା ମାନଙ୍କରେ ବାଚସ୍ପତିମାନଙ୍କର କ୍ଷମତା ଅନୁସାରେ ନିଲମ୍ବନର ନିଷ୍ପତ୍ତି ନିଆଯାଇଥାଏ ।