ହାଓଡି ମୋଦି କାର୍ଯ୍ୟକ୍ରମର ୨୪ ଘଣ୍ଟା ପୂରିନି ପାକିସ୍ତାନକୁ ଖୁସିକଲେ ଟ୍ରମ୍ପ

ହାଓଡି ମୋଦି କାର୍ଯ୍ୟକ୍ରମର ୨୪ ଘଣ୍ଟା ପୂରିନି ପାକିସ୍ତାନକୁ ଖୁସିକଲେ ଟ୍ରମ୍ପ

ହାଓଡି ମୋଦି କାର୍ଯ୍ୟକ୍ରମର ୨୪ ଘଣ୍ଟା ପୂରିନି ପାକିସ୍ତାନକୁ ଖୁସିକଲେ ଟ୍ରମ୍ପ
ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଗତକାଲି ହଷ୍ଟନର ଏନ୍ଆରଜି ଷ୍ଟାଡିୟମରେ ଆୟୋଜିତ ହାଓଡି ମୋଦୀ କାର୍ଯ୍ୟକ୍ରମରେ ଯୋଗଦେଇ ଇସଲାମ ଆତଙ୍କବାଦ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିବାର ୨୪ ଘଣ୍ଟା ପୂରଣ ହେବା ପୂର୍ବରୁ ଆଜି ପାକିସ୍ତାନକୁ ଖୁସି କରିବାକୁ ପ୍ରୟାସ କରିଛନ୍ତି । କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷ ମଧ୍ୟସ୍ଥତାକୁ ଗ୍ରହଣ କରାଯିବ ନାହିଁ ବୋଲି ଭାରତ ବାରମ୍ବାର କହି ଆସୁଥିଲେ ମଧ୍ୟ ଟ୍ରମ୍ପ ଆଜି ପୁଣି କଶ୍ମୀର ମାମଲାରେ ମଧ୍ୟସ୍ଥତା କରିବାକୁ ରାଜି ଅଛନ୍ତି ବୋଲି କହିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ଭେଟିବା ପୂର୍ବରୁ ଟ୍ରମ୍ପ ସାମ୍ବାଦିକ ମାନଙ୍କୁ କହିଛନ୍ତି, କଶ୍ମୀର ପ୍ରସଙ୍ଗରେ ସେ ମଧ୍ୟସ୍ଥତା କରନ୍ତୁ ବୋଲି ଯଦି ମୋଦି ଏବଂ ଇମ୍ରାନ ଚାହିଁବେ ତାହେଲେ ସେ ତାହା କରିବାକୁ ରାଜି ଏବଂ ପ୍ରସ୍ତୁତ ଅଛନ୍ତି । ଏଥିପାଇଁ ସମର୍ଥ ମଧ୍ୟ ବୋଲି ଟ୍ରମ୍ପ୍ କହିଛନ୍ତି । କେବଳ ସେତିକି ନୁହେଁ, ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ସେ ପାକିସ୍ତାନକୁ ଭରସା କରନ୍ତି । କଶ୍ମୀରରେ ସମସ୍ତେ ଭଲରେ ରୁହନ୍ତୁ ବୋଲି ସେ ଚାହାନ୍ତି । ମୋଦିଙ୍କ ସହିତ ମୋର ଉତ୍ତମ ସମ୍ପର୍କ ରହିଛି । ସେହଭଳି ଇମ୍ରାନଙ୍କ ସହିତ ମଧ୍ୟ ଭଲ ସମ୍ପର୍କ ରହିଛି । ଯଦି ଉଭୟ ନେତା କଶ୍ମୀର ସମସ୍ୟାର ସମାଧାନ ପାଇଁ କୁହନ୍ତି ତାହେଲେ ମୁଁ ଏହା କରିବାକୁ ପ୍ରସ୍ତୁତ ବୋଲି ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଛନ୍ତି । ମୁଁ ଭାବୁଛି ମୁଁ ଜଣେ ଅତ୍ୟନ୍ତ ଭଲ ମଧ୍ୟସ୍ଥ ହେବି ବୋଲି ଟ୍ରମ୍ପ କହିଛନ୍ତି । ସାମ୍ବାଦିକମାନଙ୍କୁ ଏହା କହିବାବେଳେ ଇମ୍ରାନ ତାଙ୍କ ନିକଟରେ ଉପସ୍ଥିତ ଥିଲେ । ଟ୍ରମ୍ପ ଗତକାଲି ହାଓଡି ମୋଦି କାର୍ଯ୍ୟକ୍ରମରେ ଯୋଗଦେଇ ଉଭୟ ପରସ୍ପରର ଉତ୍ତମ ବନ୍ଧୁ ବୋଲି କହିଥିଲେ । ଆତଙ୍କବାଦ ବିରୋଧରେ ଲଢ଼ିବା ନେଇ ସେମାନଙ୍କ ଦୃଷ୍ଟିକୋଣ ସମାନ ବୋଲି କହିଥିଲେ । କିନ୍ତୁ ଆଜି ଇମ୍ରାନଙ୍କୁ ଭେଟିବା ସମୟରେ ଟ୍ରମ୍ପ ଏଭଳି ମନ୍ତବ୍ୟ ଦେଇଥିବାରୁ ଟ୍ରମ୍ପଙ୍କ ଆଭିମୁଖ୍ୟ ଏବଂ ମତିଗତି କ'ଣ ତାହା ବୁଝାପଡ଼ୁନାହିଁ ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ଟ୍ରମ୍ପ ଦୁଇ ଥର ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲା ।