୨୭ ବ୍ଲକ ଓ ପୌରପାଳିକା ଘେରିବ ବିଜେପି
୨୭ ବ୍ଲକ ଓ ପୌରପାଳିକା ଘେରିବ ବିଜେପି
admin
Sep 24, 2019 - 07:46
Updated: Sep 24, 2019 - 07:46
ଭୁବନେଶ୍ୱର : ରାଜ୍ୟ ସରକାର କ୍ରମାଗତ ଭାବେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ନିଜ ନାଁରେ କରି ରାଜ୍ୟବାସୀଙ୍କୁ ଭୂଅାଁ ବୁଲାଇ ଚାଲିଛନ୍ତି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ପକ୍କା ଘର ସବୁକୁ ‘ବିଜୁ ପକ୍କା ଘର’ ଯୋଜନାରେ ହେଉଛି ବୋଲି କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି । ମୋଦି ସରକାର ଦେଶର ବିଭିନ୍ନ ଜନହିତକର ଯୋଜନା ଲାଗୁ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏଠି କେବଳ କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରି ବାହା ବାହା ନେବାକୁ ବସିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଆସନ୍ତା ୨୭ ତାରିଖରେ ସମସ୍ତ ବ୍ଲକ ଓ ପୌରପାଳିକା ଘେରାଉ କରାଯିବା ସହ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ଦାବି ପତ୍ର ପ୍ରଦାନ କରାଯିବ ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି, ୨୦୧୧ ଜନଗଣନା ଅନୁଯର ଏସଇସିସି ତାଲିକା ଭିତ୍ତିରେ ସ୍ଥାନୀୟ ପଞ୍ଚାୟତ ଅଧିକାରୀ ଗରିବ ହିତାଧିକାରୀ ସୂଚୀ ତଦାରଖ କରିବା କଥା । କିନ୍ତୁ ଏହି ସୂଚୀକୁ ଦଳୀୟ ଆଧାରରେ ତିଆରି କରି ପ୍ରକୃତ ହିତାଧିକାରୀଙ୍କୁ ବଞ୍ଚିତ କରାଯାଉଛି । ଗୋଟିଏ ପରିବାରରେ ୨/୩ ଜଣଙ୍କ ନାଁରେ ପକ୍କା ଘର ଦିଆଯାଉଛି । କାର୍ଯ୍ୟାଦେଶ ପାଇବା ପାଇଁ ବ୍ୟାପକ ଅର୍ଥ କାରବାର ହେବା ନଜରକୁ ଆସିଛି । ସେହିପରି ଏହି କାର୍ଯ୍ୟାଦେଶରେ ପ୍ରଧାନମନ୍ତ୍ରୀ ଆବାସ ବୋଲି ଉଲ୍ଲେଖ ହେବା ଆବଶ୍ୟକ । କାର୍ଯ୍ୟାଦେଶକୁ ପଞ୍ଚାୟତ / ବ୍ଲକରେ ଦିଆ ନ ଯାଇ ବିଧାୟକଙ୍କ ସମୟ ସୁବିଧା ଅନୁସାରେ ବଣ୍ଟାଯିବା ପାଇଁ ସ୍ଥଗିତ ରଖାଯାଉଛି । ଏହା ଫଳରେ ସମୟାନୁଯାୟୀ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ହାଉସିଂ ଫର ଅଲ-୨୦୨୨’ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବ ବୋଲି କହିଛନ୍ତି । ସେଥିପାଇଁ ଓଡ଼ିଶାକୁ ଅଧିକ ଅଇର୍ ଆସୁଛି । କିନ୍ତୁ ଏଠି ରାଜ୍ୟ ସରକାର କେନ୍ଦ୍ର ସରକାଙ୍କ ନାଁ ଧରୁ ନାହାନ୍ତି । ଚଳିତ ବଜେଟରେ ବିଜୁ ପକ୍କା ଘର ଯୋଜନାରେ ଟଙ୍କାଟିଏ ଅର୍ଥ ବରାଦ ନାହିଁ । ରାଜ୍ୟର ଗରିବ ଲୋକଙ୍କୁ ମିଳୁଥିବା ସମସ୍ତ ପକ୍କା ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେଉଛି । ୨୦୧୮ ସେପ୍ଟେମ୍ବରରେ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟ ସରକାର ଜଣାଇଥିଲେ ଯେ ରାଜ୍ୟର ମୋଟ ୨୦ ଲକ୍ଷ ପକ୍କା ଘରରୁ ୩ ଲକ୍ଷ ୭୭ ହଜାର ହେଉଛି ବିଜୁ ପକ୍କା ଘର ଓ ବାକି ୧୬ ଲକ୍ଷ ୨୩ ହଜାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଛି । ତେଣୁ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ବିଭ୍ରାନ୍ତ ନ କରି ପ୍ରକୃତ ହିତାଧିକାରୀଙ୍କୁ ପକ୍କା ଘର ବାଣ୍ଟିବାକୁ ଦାବି କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଓ ମହିଳା ମୋର୍ଚ୍ଚା ସଭାପେତ୍ରୀ ପ୍ରଭାତି ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।