ପୁଣି ପୁଲିସ-ଜନତା ମୁହାଁମୁହିଁ

ପୁଣି ପୁଲିସ-ଜନତା ମୁହାଁମୁହିଁ

ପୁଣି ପୁଲିସ-ଜନତା ମୁହାଁମୁହିଁ
ମାଲକାନଗିରି: ପୁଣି ପୁଲିସ-ଜନତା ମୁହାଁମୁହିଁ । ଆଉ ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣର ଶିକାର ହୋଇଛନ୍ତି ପୁଲିସ । ପୁଲିସକୁ ଗୋଡ଼ାଇ ଗୋଡ଼ାଇ ଜନତା ପିଟିଛନ୍ତି । ଆଉ ଏହି ଅକ୍ରମଣରେ ୨ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ସ୍ୱାଭିମାନ ଅଞ୍ଚଳ ଯନ୍ତାପାଇରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପ୍ରକାଶ ଯେ, ସ୍ୱାଭିମାନ ଅଞ୍ଚଳ ଯନ୍ତାପାଇରେ ସନ୍ଦିଗ୍ଧ ଅବସ୍ଥାରେ ଜଣଙ୍କ ଶବ ମିଳିବାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ତେବେ ଯବାନମାନେ ତାଙ୍କୁ ହତ୍ୟା କରିଥିବା ଯନ୍ତାପାଇ ଲୋକେ ଅଭିଯୋଗ କରିଥିଲେ । ଏହାକୁ ନେଇ ପାପରମେଟଲା ଥାନା ପାଖରେ ଶବ ରଖି ଲୋକେ ମେଳି ବାନ୍ଧିଥିଲେ । ମୃତକ ଜଣକ ହେଲେ ରାଜୁ ହନ୍ତାଳ । ପ୍ରକାଶ ଯେ, ଗତ ଶୁକ୍ରବାର ଦିନ ଯନ୍ତାପାଇ ସାପ୍ତାହିକ ହାଟରେ ରାଜୁ ହନ୍ତାଳ ଥିଲେ । ଏହି ସମୟରେ ତାଙ୍କର ଦୁଇ ଝିଅ ମଧ୍ୟ ତାଙ୍କ ସହିତ ଥିଲେ । ଦୁଇ ଜଣ ଲୋକ ବିଏସ୍‌ଏଫ୍‌ ଯବାନ ପରିଚୟ ଦେଇ ରାଜୁଙ୍କୁ ଡାକି ନେଇଥିଲେ । ଏହା ପରେ ସେ ଘରକୁ ନ ଫେରିବାରୁ ପରିବାର ଲୋକ ବିଏସ୍‌ଏଫ୍‌ କ୍ୟାମ୍ପକୁ ଯାଇଥିଲେ । ସେଠାରେ କିଛି ଖବର ନ ପାଇ ନିରାଶ ହୋଇ ଫେରିଥିଲେ । ତେବେ ଶନିବାର ଦିନ ଏକ ଅଙ୍ଗନବାଡ଼ି କେନ୍ଦ୍ରରୁ ତାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିଲା । ଏ ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ କରାଇଛି । କିନ୍ତୁ ପରିବାର ଲୋକ ମୃତ ଦେହକୁ ଗ୍ରହଣ କରୁ ନାହାଁନ୍ତି । ରାଜୁଙ୍କୁ ଯବାନମାନେ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଗତକାଲି ପାପରମେଟଲା ଥାନା ଘେରାଉ କରିଥିଲେ ଗ୍ରାମାବାସୀ । କିଏ ତାଙ୍କୁ ଡାକି ନେଇଥିଲା, ସଂପୃକ୍ତ ଯବାନକୁ ଗିରଫ କରିବାକୁ ଦାବି କରାଯାଇଛି ।