ପୁଣିଥରେ କଂଗ୍ରେସ

ପୁଣିଥରେ କଂଗ୍ରେସ

ପୁଣିଥରେ କଂଗ୍ରେସ
ବିଜେପି ୨୦୧୯ରେ ପୁଣିଥରେ ଆଉ ଗୋଟିଏ ବିଧାନସଭା ନିର୍ବାଚନରେ ପରାସ୍ତ ହୋଇଛି। ଝାରଖଣ୍ଡରେ ଜେଏମଏମ, କଂଗ୍ରେସ ଓ ଆରଜେଡି ମେଣ୍ଟ ବିଜେପିକୁ ଶାସନ ଗାଦିରୁ ହଟାଇ ଦେଇଛନ୍ତି। ଝାରଖଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଣ୍ଡ କୋ ବେଶ ଆରାମରେ ସରକାର ଗଠନ କରିବେ ବୋଲି ସ୍ୱପ୍ନ ଦେଖିଥିଲେ। ହେଲେ ଦଳ ମ୍ୟାଜିକ ନମ୍ବର ୪୧ ଠାରୁ ବହୁ ଦୂରରେ ରହିଯାଇଛି। ହଁ ଅବଶ୍ୟ ମ୍ୟାଜିକ ନମ୍ବର ପାଖାପାଖି ପହଞ୍ଚିଥିଲେ ଦଳ ଭଙ୍ଗାଭଙ୍ଗି ରାଜନୀତିରେ ଧୂରନ୍ଧର ଥିବାରୁ ଯେମିତି ହେଲେ ବି ସରକାର ଗଠନ କରି ନେଇଥାଆନ୍ତା। ହେଲେ ଝାରଖଣ୍ଡବାସୀ ବିଜେପିକୁ କେବଳ ୨୫ଟି ଆସନ ଦେଇଛନ୍ତି। ତେଣୁ ଏହି ବିକଳ୍ପଟି ବି ଦଳ ଆଉ କାର୍ଯ୍ୟକାରୀ କରିପାରିନାହିଁ। ଏହାପୂର୍ବରୁ ମହାରାଷ୍ଟ୍ରରେ ବି ଦଳ ସରକାର ଗଠନ କରିବାକୁ ଅକ୍ଷମ ହୋଇଥିଲା। ଦିନକୁ ଦିନ ରାଜ୍ୟ ରାଜନୀତିରେ ବିଜେପିର ସଂଖ୍ୟା ହ୍ରାସ ପାଉଥିଲେ ହେଁ କଂଗ୍ରେସ ଉନ୍ନତ ପ୍ରଦର୍ଶନ କରିବାରେ ଲାଗିଛି। ୭ ମାସ ତଳେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ବିଜେପି ୨୦୧୪ ତୁଳନାରେ ଅଧିକ ଆସନ ଦଖଲ କରି କେନ୍ଦ୍ରରେ ସରକାର ଗଠନ କରିଥିଲା। ତେଣୁ ଦଳ ମହାରାଷ୍ଟ୍ର, ହରିଆଣା ଓ ଝାରଖଣ୍ଡରେ ବି ନିଜର ଦବଦବା ଦେଖାଇବ ବୋଲି ଆଶା କରିଥିଲା। ହେଲେ ମୋଦି-ଶାହ ଯୋଡ଼ିଙ୍କ ସବୁ ପ୍ଲାନ ଫସର ଫାଟିଛି। ଗତବର୍ଷ ଡିସେମ୍ବରରେ ବିଜେପି ଠାରୁ କଂଗ୍ରେସ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଛଡ଼ାଇ ନେଇଥିଲା। ଚଳିତ ବର୍ଷ ଦଳ ଶିବସେନା ସହ ମତପାର୍ଥକ୍ୟ ଯୋଗୁ ମହାରାଷ୍ଟ୍ର ହରାଇଥିଲା। ହରିଆଣାରେ ବି ଦଳ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରିପାରି ନଥିଲା। ହେଲେ ଶେଷ ମୁହୂର୍ତ୍ତରେ ଦୁଷ୍ୟନ୍ତ ଚୌତାଲାଙ୍କ ଜେଜେପି ସହ ବୁଝାମଣା କରି ଦଳ କ୍ଷମତା ଦଖଲ କରିବାକୁ ସକ୍ଷମ ହୋଇଥିଲା। ଚଳିତ ବର୍ଷ ଯେଉଁ ସବୁ ରାଜ୍ୟରେ ଭୋଟ ହୋଇଛି ବିଜେପିର ଆସନ ସଂଖ୍ୟା ଗତଥର ଅପେକ୍ଷା ହ୍ରାସ ପାଇଛି। ମହାରାଷ୍ଟ୍ରରେ ୨୦୧୪ରେ ବିଜେପି ୧୨୨ଟି ଆସନ ଜିତିଥିବା ବେଳେ ଏଥର ଏହା ୧୦୫କୁ ଖସି ଆସିଛି। ହରିଆଣାରେ ୭ଟି ଓ ଝାରଖଣ୍ଡରେ ୧୨ଟି ଆସନ ବିଜେପି ହାତରୁ ଖସି ଯାଇଛି। ବିଜେପି ତୁଳନାରେ କଂଗ୍ରେସର ଆସନ ସଂଖ୍ୟା ବିଧାନସଭା ନିର୍ବାଚନରେ ବୃଦ୍ଧି ପାଇଛି। ଦଳ ମହାରାଷ୍ଟ୍ରରେ ୪୨ରୁ ୪୪ରେ ପହଞ୍ଚିଥିବା ବେଳେ ହରିଆଣାରେ ଅତିରିକ୍ତ ୧୬ଟି ଆସନ ଦଖଲ କରିଛି। ଝାରଖଣ୍ଡରେ ଦଳ ୨୦୧୪ରେ ୬ଟି ଆସନ ଜିତିଥିଲା। ହେଲେ ଏଥର ଏହା ୧୬ରେ ପହଞ୍ଚି ଯାଇଛି। ବିଜେପି ଲୋକସଭା ନିର୍ବାଚନରେ ମହାରାଷ୍ଟ୍ର, ହରିଆଣା ଓ ଝାରଖଣ୍ଡରେ ଜବରଦସ୍ତ ପ୍ରଦର୍ଶନ କରିଥିଲା। ମହାରାଷ୍ଟ୍ରର ୪୮ଟି ଆସନରୁ ଦଳ ୪୧ଟିରେ ଜିତିଥିଲା। ସେହିପରି ହରିଆଣାରେ କ୍ଲିନସୁଇପ କରିଥିଲା ଓ ଝାରଖଣ୍ଡର ୧୪ଟି ଆସନରୁ ୧୨ଟିରେ ବାଜିମାତ କରିଥିଲା। ଅବଶ୍ୟ କର୍ଣ୍ଣାଟକାରେ ଦଳ କ୍ଷମତାକୁ ଫେରିଛି। ହେଲେ ୧୭ ବିଧାୟକଙ୍କୁ ପ୍ରଥମେ ଘୋଡ଼ା ବେପାର ଜରିଆରେ ଅଯୋଗ୍ୟ ଘୋଷଣା କରିବା ପରେ ହିଁ ଦଳ କର୍ଣ୍ଣାଟକାରେ ସରକାର ଗଠନ କରିବାକୁ ସକ୍ଷମ ହୋଇଥିବା ଅଭିଯୋଗ ହୋଇଛି।