ପୁରୀ ରଥ ଖଳାରେ ବଢୁଛି କରୋନାର କାୟା : ଆଉ ୧୦ ଜଣ ପଜିଟିଭ ଚିହ୍ନଟ
ପୁରୀ ରଥ ଖଳାରେ ବଢୁଛି କରୋନାର କାୟା : ଆଉ ୧୦ ଜଣ ପଜିଟିଭ ଚିହ୍ନଟ
admin
May 21, 2021 - 10:50
Updated: May 21, 2021 - 10:50
ପୁରୀ: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ତେବେ ଏହାରି ଭିତରେ ପୁରୀ ରଥ ଖଳାରୁ ଆଉ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ବର୍ତ୍ତମାନ ସୁଦ୍ଧା ରଥଖଳାରୁ ମୋଟ ୧୮ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଗତକାଲି ରଥଖଳାରୁ ୮ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ମୋଟ ୧୮ ଜଣଙ୍କ ମଧ୍ୟରୁ ୧୨ ଜଣ ମହାରଣା ଓ ୬ ଜଣ ଭୋଇ ସେବାୟତ ଥିବା ଜଣାଯାଇଛି ।
ପ୍ରକାଶ ଯେ, ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରଦାର ଚାଲିଛି ରଥ ତିଆରି କାମ। ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କରୋନା ଲହର ଜାରି ରହିଥିବାରୁ କୋଭିଡ୍ କଟକଣା ମଧ୍ୟରେ ରଥ କାମ ଆଗେଇ ଚାଲିଛି। ତେବେ ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନୀତି ନିୟମାନୁସାରେ ରଥଯାତ୍ରା ହେବ। କିନ୍ତୁ କୋଭିଡ୍ ମହାମାରୀ ଯୋଗୁଁ ସତର୍କତା ରକ୍ଷା କରି ସବୁ ପ୍ରକାରର ପ୍ରସ୍ତୁତି କରାଯିବ।
ନିୟମାବଳୀ ଅନୁସାରେ ସବୁ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯିବ। ଯେଉଁ ମାନଙ୍କର ରିପୋର୍ଟ ନେଗେଟିଭ୍ ଆସିବ ସେହି ମାନଙ୍କୁ ହିଁ ରଥ କାମ ପାଇଁ ଅନୁମତି ମିଳିବ। ସେହପରି ରଥଖଳାରେ ପ୍ରବେଶ ଉପରେ ମଧ୍ୟ କଟକଣା ଲାଗିବ। ଏଥିସହ ରଥଖଳାରେ ବାୟୋ-ଡବଲ୍ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି। ଜିଲ୍ଲାପାଳ ପ୍ରତ୍ୟେକ ଦିନ ରଥକାମର ସମୀକ୍ଷା ରିପୋର୍ଟ ଦେବେ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।