ପୁଲିସ୍ ଅଧିକାରୀ ୫ଟି କୁ ଅନୁସରଣ କରିନଥିବା ସ୍ବୀକାର କଲେ ଆଇଜି

ପୁଲିସ୍ ଅଧିକାରୀ ୫ଟି କୁ ଅନୁସରଣ କରିନଥିବା ସ୍ବୀକାର କଲେ ଆଇଜି

ପୁଲିସ୍ ଅଧିକାରୀ ୫ଟି କୁ ଅନୁସରଣ କରିନଥିବା ସ୍ବୀକାର କଲେ ଆଇଜି
ବାରିପଦା( ଦିଲ୍ଲୀପ ମହାନ୍ତି)- ରାଇରଙ୍ଗପୁର କଲେଜ୍ ଅଧ୍ୟାପିକାଙ୍କ ମୃତ୍ୟୁ ଘଟଣାକୁ ନେଇ ତତ୍ପରତା ପ୍ରକାଶ କରିଛି ପୁଲିସ୍ ବିଭାଗ। ଆଜି ଦୁଷ୍କର୍ମ ପୀଡ଼ିତାଙ୍କ ପୈତୃକ ଘର ଝାରପୋଖରିଆ ଥାନା ଅନ୍ତର୍ଗତ ଉମାଦେଇପୁର ଗସ୍ତ କରି ପୀଡ଼ିତାଙ୍କ ପରିବାରକୁ ଭେଟିଛନ୍ତି ପୂର୍ବାଞ୍ଚଳ ଆଇଜି ଦିପ୍ତେଶ କୁମାର ପଟ୍ଟନାୟକ। ପୀଡ଼ିତାଙ୍କ ପିତାମାତା ସମେତ ପରିବାରକୁ ଭେଟି ଖୁବ ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଏହି ମାମଲାକୁ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର କରାଯିବା ସହିତ ଅଳ୍ପ ଦିନ ମଧ୍ୟରେ ଏହି ମାମଲାର ଚାର୍ଜସିଟ୍ ପ୍ରସ୍ତୁତ କରାଯିବା ନେଇ ପ୍ରକାଶ କରିଛନ୍ତି। ସେହିପରି ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରି ନିଲମ୍ବିତ ହୋଇଥିବା ତତ୍କାଳୀନ ଝାରପୋଖରିଆ ଥାନା ଆଇଆଇସି ଶରତ କୁମାର ମହାଳିକଙ୍କ ସମେତ ଏଏସ୍ଆଇ ପି କେ ସ୍ବାଇଁଙ୍କ ବିରୋଧରେ ତଦନ୍ତ ଚାଲିଛି । ଏହି ଦୁଇ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଜି ଶ୍ରୀ ପଟ୍ଟନାୟକ ପୀଡ଼ିତାଙ୍କ ପରିବାରକୁ ଆଶ୍ବାସନା ଦେଇଥିଲେ। ପୁଣି ପୁଲିସ୍ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ୫ଟି କାର୍ୟ୍ୟକାରୀ କରିବାରେ ଅବହେଳା କରାଯାଇଥିବା ସ୍ବୀକାର କରିଥିଲେ ଶ୍ରୀ ପଟ୍ଟନାୟକ। ତେବେ ଦୁଷ୍କର୍ମ ପୀଡ଼ିତା ମୃତ ଅଧ୍ୟାପିକାଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିତ୍ ପି. ପରମାର, ଝାରପୋଖରିଆ ଥାନା ଅଧିକାରୀ ସୁର୍ଦଶନ ଗାଙ୍ଗୋଇ ପ୍ରମୁଖ ସାମିଲ ଥିଲେ। ଏହାପରେ ରାଇରଙ୍ଗପୁର ଯାଇ ସେଠାରେ ଅଧ୍ୟାପିକାଙ୍କ ମହାବିଦ୍ୟାଳୟକୁ ଯାଇ ପ୍ରିନ୍ସପାଲ, ମେଟ୍ରନ , ଛାତ୍ରଛାତ୍ରୀ ଓ ଥାନା ଅଧିକାରୀଙ୍କୁ ଭେଟି ଆଲୋଚନା କରିଥିଲେ । ଗତକାଲି ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସମେତ ବିଜେପିର ଏକ ପ୍ରତିନିଧି ଦଳ ମୃତକଙ୍କ ପରିବାରକୁ ଭେଟିଥିଲେ।