ପେଟ୍ରୋଲ ଦର ସୀମା ଟପିଲା
ପେଟ୍ରୋଲ ଦର ସୀମା ଟପିଲା
admin
Feb 5, 2021 - 12:10
Updated: Feb 5, 2021 - 12:10
ଭୁବନେଶ୍ବର : କିଛି ଦିନର ବିରତି ପରେ ଗୁରୁବାର ପୁଣି ତେଲଦର ବୃଦ୍ଧି ପାଇଛି । ଗୁରୁବାର ଉଭୟ ପେଟ୍ରୋଲ ଓ ଡିଜେଲ ଦର ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ଏହା ଫଳରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଏକ ନୂଆ ଉଚ୍ଚତାରେ ପହଞ୍ଚିଛି ।
ତେବେ ତେଲ କମ୍ପାନିମାନେ କହିଛନ୍ତି ଯେ, କେବଳ ସରକାର ହିଁ ଟିକସ ହ୍ରାସ କରି ଖାଉଟିଙ୍କ ମୁଣ୍ଡରୁ ବୋଝ ଲାଘବ କରିପାରିବେ । ନୂଆ ବଜେଟରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳକ କମାଇଥିବାବେଳେ କୃଷି ଭିତ୍ତିଭୂମି ସେସ ଲଗାଇଥିଲେ । ତେବେ ଏହା ଦ୍ବାରା ତେଲଦର ଅପରିବର୍ତ୍ତିତ ରହିଥିଲା । ଆଜିର ବୃଦ୍ଧି ପରେ ଗୁରୁବାର ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ଟ.୮୬.୬୫ ଓ ଡିଜେଲ ଲିଟର ପିଛା ଟ.୭୬.୮୩ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଟ.୮୭. ୩୨ ଓ ଡିଜେଲ ଟ. ୮୩.୭୧ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି । ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ଟ.୯୧.୯୮ ଓ ଡିଜେଲ ଟ.୮୮.୨୧ରେ ବିକ୍ରି ହେଉଛି । ସେହିପରି ସମ୍ବଲପୁରରେ ପେଟ୍ରୋଲ ଟ.୮୭.୮୮ ଓ ଡିଜେଲ ଟ. ୮୪.୨୬ ରେ ବିକ୍ରି ହେଉଛି ।