ପ୍ରଜ୍ଞାଙ୍କୁ କଦାପି କ୍ଷମା କରିବିନି : ମୋଦି
ପ୍ରଜ୍ଞାଙ୍କୁ କଦାପି କ୍ଷମା କରିବିନି : ମୋଦି
admin
May 18, 2019 - 05:19
Updated: May 18, 2019 - 05:19
ଭୋପାଳ : ମହାତ୍ମାଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେଙ୍କୁ ଦେଶଭକ୍ତ ବୋଲି କହି ଅଡ଼ୁଆରେ ପଡ଼ିଯାଇଛନ୍ତି ଭୋପାଳର ବିଜେପି ପ୍ରାର୍ଥୀ ସ୍ୱାଧ୍ୱୀ ପ୍ରଜ୍ଞା ଠାକୁର । ଏଥିପାଇଁ ସେ କ୍ଷମା ମାଗିବା ପରେ ମଧ୍ୟ ବିରୋଧୀ ଦଳଗୁଡ଼ିକ ଜୋରଦାର ସମାଲୋଚନା ଜାରି ରଖିଛନ୍ତି । ଅପରପକ୍ଷରେ ଅକଳରେ ପଡ଼ିଥିବା ବିଜେପି ବି ଦଳର ଭାବମୂର୍ତି ଅକ୍ଷୁର୍ଣ୍ଣ ରଖିବା ପାଇଁ ଉଦ୍ୟମ କରୁଛି । ପ୍ରଜ୍ଞାଙ୍କ ଏଭଳି ମନ୍ତବ୍ୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନିନ୍ଦା କରିଛନ୍ତି ।
ମୋଦି କହିଛନ୍ତିଯେ, ପ୍ରଜ୍ଞା ତଥା ଅନ୍ୟାନ୍ୟ ଲୋକ ଯିଏ ବାପୁଙ୍କ ବିଷୟରେ ବୟାନବାଜି କରୁଛନ୍ତି ସେମାନେ ଖରାପ । ଯଦିଓ ପ୍ରଜ୍ଞା ଏଥିପାଇଁ କ୍ଷମା ମାଗି ସାରିଛନ୍ତି ତଥାପି ଏଥିପାଇଁ ହୃଦୟରୁ କେବେବି ମୁଁ ତାଙ୍କୁ କ୍ଷମା କରିପାରିବି ନାହିଁ । ଏକ ଗଣମାଧ୍ୟମ ସହ ସାକ୍ଷାତକାର ସମୟରେ ମୋଦି କହିଛନ୍ତି, ଗାନ୍ଧୀଙ୍କ ବାବଦରେ ପ୍ରଜ୍ଞା ଯାହାବି କହିଛନ୍ତି ତାହା ନିନ୍ଦନୀୟ । ସବୁ ପ୍ରକାର ସମାଲୋଚନା ପାଇଁ ଏହା ଯୋଗ୍ୟ । ଏଣୁ ସଭ୍ୟ ସମାଜରେ ଏଭଳି କଥା କୁହାଯାଇପାରିବ ନାହିଁ । ଏଭଳି କଥା କହୁଥିବା ଲୋକଙ୍କୁ ୧୦୦ ଥର ଭାବିବାକୁ ପଡ଼ିବ ବୋଲି ମୋଦି କହିଛନ୍ତି । ଅପରପକ୍ଷରେ ପ୍ରଜ୍ଞା, ଅନନ୍ତ ହେଗେଡ଼ ଓ ନଲିନ କାଟଲେଙ୍କୁ ଦଳ ପକ୍ଷରୁ ନୋଟିସ ଜାରି କରାଯାଇଥିବାବେଳେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶାହା କହିଛନ୍ତି ।