ପ୍ରତି ପଞ୍ଚାୟତରେ ହେବ କୋଭିଡ କେୟାର ହୋମ ।
ପ୍ରତି ପଞ୍ଚାୟତରେ ହେବ କୋଭିଡ କେୟାର ହୋମ ।
admin
Jun 17, 2020 - 09:48
Updated: Jun 17, 2020 - 09:48
ଭୁବନେଶ୍ୱର: ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାର ଗତିରେ ଓଡ଼ିଶା ଫେରନ୍ତା ପ୍ରବାସୀମାନେ ସାମିଲ ହେବା ଫଳରେ ନିଆଁରେ ଘିଅ ଢାଳିବା ସଦୃଶ ମହାମାରୀ ବ୍ୟାପିରେ ଲାଗିଛି । ପ୍ରବାସୀମାନେ ଏବେ କରୋନା ଭୂତାଣୁକୁ ସାଙ୍ଗରେ ଆଣି ଆସିଥିବାରୁ ସେମାନଙ୍କୁ କିଭଳି ଠିକଣା ସମୟରେ ଚିହ୍ନଟ କରାଯିବ ଓ ସଙ୍ଗରୋଧରେ ଶୃଙ୍ଖଳିତଭାବେ ରଖାଯିବ ତାହା ରାଜ୍ୟ ସରକାରଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି । ତେବେ କରୋନା ମୁକାବିଲା ପାଇଁ ପରବର୍ତ୍ତୀ ରଣକୌଶଳ ସମ୍ପର୍କରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି । ତାହା ହେଲା ଏଣିକି ରାଜ୍ୟର ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ ପ୍ରତିଷ୍ଠା କରାଯିବ ।
କୋଭିଡ କେୟାର ହୋମରେ ୧୦ରୁ ୨୦ ଜଣ ବ୍ୟକ୍ତି ରହିପାରିବେ । କୋଭିଡ କେୟାର ହୋମରେ ରାଜ୍ୟର ଗ୍ରାମାଞ୍ଚଳରେ ପ୍ରାୟ ୭୦ ହଜାର ଲୋକ ରହିପାରିବେ । ପ୍ରାଥମିକ ଲକ୍ଷଣ ଥିବା ଲୋକଙ୍କୁ ହସ୍ପିଟାଲ ନିଆନଯାଇ ଉକ୍ତ କୋଭିଡ କେୟାର ହୋମରେ ରଖାଯିବ । ଥଣ୍ଡା, ଜ୍ୱର, କାଶ ହେଉଥିବା ଲୋକଙ୍କୁ ପ୍ରଥମେ ଉକ୍ତ ହୋମରେ ରଖାଯିବ । ଟେଷ୍ଟିଂ ପରେ ପଜିଟିଭ ଆସିଲେ କୋଭିଡ ହସ୍ପିଟାଲକୁ ନିଆଯିବ ।
କୋଭିଡ କେୟାର ହୋମ ପରିଚାଳନା ଦାୟିତ୍ୱ ସରପଞ୍ଚଙ୍କ ହାତରେ ରହିବ । କୋଭିଡ ପରିଚାଳନା ବିକେନ୍ଦ୍ରୀକରଣ ପାଇଁ ୱାର୍ଡ କମିଟି ଗଠନ କରାଯିବ । କମିଟିରେ ୱାର୍ଡସ୍ତରୀୟ ପ୍ରତିନିଧିଙ୍କ ସହ ଆଶା ଓ ଅଙ୍ଗନବାଡ଼ି କର୍ମୀ ରହିବେ । କମିଟିରେ ଆଶା, ଅଙ୍ଗନବାଡ଼ି କର୍ମୀ, ଏଏନଏମ ଓ ଏସଏଚଜି ସଦସ୍ୟା ବି ରହିବେ । ପ୍ରତି କମିଟିକୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବା ପାଇଁ କ୍ଷମତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ଅନ୍ୟପକ୍ଷରେ ସହରାଞ୍ଚଳ ୱାର୍ଡ କମିଟି ୱାର୍ଡ ଅଫିସରଙ୍କ ଦ୍ୱାରା ପରିଚାଳିତ ହେବ । ସହରାଞ୍ଚଳରେ ବଡ଼ ବଡ଼ ବସ୍ତିରେ କୋଭିଡ କେୟାର ହୋବ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
-ଥଣ୍ଡା, ଜ୍ୱର, କାଶ ହେଉଥିବା ଲୋକଙ୍କୁ ପ୍ରଥମେ ଉକ୍ତ ହୋମରେ ରଖାଯିବ
-ଟେଷ୍ଟିଂ ପରେ ପଜିଟିଭ ଆସିଲେ କୋଭିଡ ହସ୍ପିଟାଲକୁ ନିଆଯିବ
-ସରପଞ୍ଚଙ୍କ ହାତରେ ରହିବ ହୋମ ପରିଚାଳନା ଦାୟିତ୍ୱ
-ସହରାଞ୍ଚଳରେ ବଡ଼ ବଡ଼ ବସ୍ତିରେ କୋଭିଡ କେୟାର ହୋବ ପ୍ରତିଷ୍ଠା କରାଯିବ