ପ୍ରଦୀପ, ଭକ୍ତ ଓ ସପ୍ତଗିରିଙ୍କ ଉପରେ ମୋହର

ପ୍ରଦୀପ, ଭକ୍ତ ଓ ସପ୍ତଗିରିଙ୍କ ଉପରେ ମୋହର

ପ୍ରଦୀପ, ଭକ୍ତ ଓ ସପ୍ତଗିରିଙ୍କ ଉପରେ ମୋହର
ଭୁବନେଶ୍ୱର : ଆଜି ନୂଆଦିଲ୍ଳୀରେ ଓଡ଼ିଶା କଂଗ୍ରେସ ଦଳର ବୈଠକରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରାର୍ଥୀ ତାଲିକା ଚୂଡାନ୍ତ ହେବାକୁ ଯାଉଛି । ଏଥିପାଇଁ ସ୍ରିନିଂ କମିଟିର ମାରାଥନ ବୈଠକ ଦିନ ୧୧ଟାରୁ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିଥିବବା ସୂଚନା ମିଳିଥିଲେ ମଧ୍ୟ ଚୂଡାନ୍ତ ତାଲିକା ପ୍ରକାଶ ହୋଇନାହିଁ କିମ୍ବା ବିଧିବଦ୍ଧ ଦଳୀୟ ପ୍ରାର୍ଥୀଙ୍କର ନାମ ଘୋଷଣା କରାଯାଇନାହିଁ । ତେବେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ନବରଙ୍ଗପୁରରୁ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, କଳାହାଣ୍ଡିରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ଓ କୋରାପୁଟରୁ ସପ୍ତଗିରି ଉଲାକାଙ୍କ ନାମରେ ମୋହର ମରାହେବାର ସମ୍ଭାବନା ରହିଛି । ବ୍ରହ୍ମପୁର ଅସନ ନିମନ୍ତେ ଏକାଧିକ ପ୍ରାର୍ଥୀଙ୍କ ନାମ ନେଇ ଚର୍ଚ୍ଚା ହେଉଥିବାର ଜଣାପଡିଛି । ଆସ୍କା ଓ ଭୁବନେଶ୍ୱର ଲୋକସଭା ଆସନ ନିମନ୍ତେ ଯଥାକ୍ରମେ ସିପିଆଇ ଓ ସିପିଆଇ (ଏମ୍)ର ପ୍ରାର୍ଥୀଙ୍କ ପାଇଁ ଛାଡିଦିଆଯିବାର ସମ୍ଭାବନା ରହିଛି । ରାଜ୍ୟସଭା ସାଂସଦ ଡ.କେ.ଭି.ପି. ରାମଚନ୍ଦ୍ର ରାଓଙ୍କ ବାସଭବନରେ ହୋଇଥିବା ବୈଠକରେ ଓଡ଼ିଶା ସ୍ରିନିଂ କମିଟି ଅଧ୍ୟକ୍ଷ ଭି.ଡି.ସାଥିସାନ୍ଙ୍କ ସହିତ ଜିତିନ୍ ପ୍ରସାଦ ଓ ନୌସାଦ ସୋଲାଙ୍କୀଙ୍କ ସମେତ ଏଆଇସିସି ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ , ଟି. ସିଂହଦେଓ, ରୁଦ୍ର ରାଜୁ , ଅନୀଲ ଚୌଧୁରୀ ଓ ସେକ୍ ମସ୍ତାନ ଅଲ୍ଲୀ, ଆଦିତ୍ୟ ଶର୍ମା, ପିସିସି ସଭାପତି ନିରଜଂନ ପଟ୍ଟନାୟକ, ବିରୋଧି ଦଳ ନେତା ନରସିଂହ ମିଶ୍ର, ପ୍ରଦୀପ ମାଝୀ ଓ ଚିରଂଜୀବୀ ବିଶ୍ୱାଳ ପ୍ରମୁଖ ଅଂଶଗ୍ରହଣ କରିଥିବା ଜଣାପଡିଛି । ପିସିସି ସଭାପତି ନିରଜଂନ ପଟ୍ଟନାୟକ ଦେଇଥିବା ସୂଚନା ଅନୁସାରେ ଦୁଇଦିନ ମଧ୍ୟରେ ସ୍ରିନିଂ କମିଟି ପ୍ରାର୍ଥିୀମାନଙ୍କର ଚୂଡାନ୍ତ ତାଲିକା ପ୍ରକାଶ କରି କେନ୍ଦ୍ରୀୟ ନିର୍ବାଚନ କମିଶନଙ୍କ ନିକଟକୁ ପଠାଇବ । ଏହି ବୈଠକରେ କିଛି ଆସନ ପାଇଁ ପ୍ରାର୍ଥୀମାନଙ୍କ ନାମ ଚୂଡାନ୍ତ ହୋଇଛି ଓ ଅନ୍ୟ କିଛି ଆସନରେ ପ୍ରାର୍ଥୀ ତାଲିକା ଚୂଡାନ୍ତ ନିମନ୍ତେ ଆଲୋଚନା ଜାରି ରହିଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ସୁନ୍ଦରଗଡ ଲୋକସଭା ଆସନରୁ ଜର୍ଜ ତିର୍କୀ ଓ ଡା. ପ୍ରଫୁଲ୍ଲ ମାଝୀ, କଟକ ନିମନ୍ତେ ବିଜୟଲକ୍ଷ୍ମୀ ସାହୁ ଓ ପଚାଂନନ କାନୁନ୍ଗୋ, ଜଗତ୍ସିଂହପୁର ନିମନ୍ତେ ପ୍ରଶାନ୍ତ ମଲ୍ଲିକ ଓ ବିଭୁପ୍ରସାନ ତରାଇ ଏବଂ ବ୍ରହ୍ମପୁର ଆସନ ନିମନ୍ତେ ଜିଲ୍ଲା କଂଗ୍ରେସ ସଭାପତି ଓ ଅନ୍ୟ ଜଣେ ଆଶାୟୀଙ୍କ ନାମ ସମ୍ପର୍କରେ ଆଲୋଚନା ଜାରି ରହିଛି ।