ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନ ରଦ୍ଦ କର: ମମତା
ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନ ରଦ୍ଦ କର: ମମତା
admin
May 1, 2019 - 06:16
Updated: May 1, 2019 - 06:16
କୋଲକାତା: ପଶ୍ଚିମବଙ୍ଗର ସେରମପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ବୟାନ ଦେଇଥିଲେ ତାହାକୁ ତୀବ୍ର ବିରୋଧ କରି ଟିଏମସି ଆଜି ନିର୍ବାଚନ କମିଶନ ଇସିଙ୍କ ନିକଟରେ ଫରାଦ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ବାରାଣସୀ ନାମାଙ୍କନଙ୍କୁ ତୁରନ୍ତ ରଦ୍ଦ କରିବା ଲାଗି ଦଳ ପକ୍ଷରୁ ଦାବି କରାଯାଇଛି । ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ମଧ୍ୟ ମୋଦିଙ୍କୁ ଭର୍ତ୍ସନା କରିଛନ୍ତି । ସେ କହିଛନ୍ତି ଟିଏମସିର ସମସ୍ତ ନେତା ସମର୍ପିତ । ଅର୍ଥ ବଳରେ ବିଜେପି ଏମାନଙ୍କୁ କିଣିପାରିବ ନାହିଁ । ଏମିତିକି ମମତା ମୋଦିଙ୍କୁ ନିର୍ଲଜ୍ଜ ବୋଲି କହିଛନ୍ତି । ନିର୍ବାଚନ କମିଶନଙ୍କ ନିକଟକୁ ଚିଠି ଲେଖି ତୃଣମୂଳ କଂଗ୍ରେସ କହିଛି, ମୋଦି ଖୋଲାଖୋଲି ଭାବେ ଆଚରଣବିଧି ଉଲ୍ଲଂଘନ କରୁଛନ୍ତି । ଟିଏମସି ବିଧାୟକ ବିଜେପିରେ ସାମିଲ ହେବା ନେଇ ବିବୃତି ରଖି ମୋଦି ଘୋଡା ବେପାରକୁ ପ୍ରୋତ୍ସାହିତ କରୁଛନ୍ତି । ମୋଦି ଏଭଳି ବୟାନ ମତଦାତାଙ୍କୁ ପ୍ରଭାବିତ କରିବ ଏବଂ ଏହାଦ୍ୱାରା ଭୋଟରମାନେ ବିଜେପି ଆଡକୁ ଢଳିପାରନ୍ତି । ଟିଏମସି ଏହି ଚିଠିରେ ଦର୍ଶାଇଛନ୍ତି ଯେ ମୋଦି ପଶ୍ଚିମବଙ୍ଗରେ ଯେଉଁ ଭାଷଣ ଦେଇଥିଲେ ତାହାର ପ୍ରମାଣ ହାସଲ କରାଯାଉ । ମୋଦି ଭାଷଣ ନିର୍ବାଚନ ଆଚରଣବିଧି ଉଲ୍ଲଘନ କରୁଛି କି ନାହିଁ ତାହା ଯାଂଚ ହେଉ । ପ୍ରକୃତରେ ମୋଦି ଏଭଳି ବୟାନ ଦେଇ ମତଦାନକୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରିଥିବା ଆମେ ଦାବି କରୁଛୁ । ମମତା କହଛନ୍ତି, ଆମ ନେତାମାନେ ଦଳ ପାଇଁ ରକ୍ତ ବୁହାଇବାକୁ ପ୍ରସ୍ତୁତ । ତେଣୁ ସେମାନଙ୍କୁ ବିଜେପି କିଣିପାରିବ ନାହିଁ । ମୋଦିଙ୍କ ନାମାଙ୍କନଙ୍କୁ ରଦ୍ଦ କରାଯିବା ଆବଶ୍ୟକ । କାରଣ ସେ ଲୋକଙ୍କୁ ଟଙ୍କା ଦେଇ କିଣିବା କଥା କହି ସମ୍ବିଧାନ ପ୍ରତି ଆଘାତ ପହଚାଂଇନ୍ତି । ତେବେ ପଶ୍ଚିମ ବଙ୍ଗ ଲୋକ କଦାପି ବିଜେପିକୁ ସ୍ୱୀକାର କରିବେ ନାହିଁ ।