ଫୋକସରେ ନବରଙ୍ଗପୁର ଲୋକସଭା ଆସନ

ଫୋକସରେ ନବରଙ୍ଗପୁର ଲୋକସଭା ଆସନ

ଫୋକସରେ ନବରଙ୍ଗପୁର ଲୋକସଭା ଆସନ
ଭୁବନେଶ୍ୱର: ନବରଙ୍ଗପୁର ଲୋକସଭା ଆସନରେ ନୂଆ ସମୀକରଣ । ଝରିଗାଁ ଆସନରୁ ବିଧାୟକ ହୋଇ ମନ୍ତ୍ରୀ ହୋଇଥିବା ରମେଶ ଚନ୍ଦ୍ର ମାଝିଙ୍କୁ ଏଥର ଲୋକସଭା ଆସନରୁ ଟିକେଟ ମିଳୁଥିବା ଜଣାପଡ଼ିବା ପରେ ବିଜେଡି ଛାଡ଼ିଛନ୍ତି ସାଂସଦ ବଳଭଦ୍ର ମାଝି । ତେଣୁ ଆଗାମୀ ନିର୍ବାଚନରେ ଏହି ଆସନରୁ ମୁହାଁମୁହିଁ ହେବାକୁ ଯାଉଛନ୍ତି ରାଜ୍ୟ ରାଜନୀତିର ଦୁଇ ହେଭିୱେଟ ନେତା ପୂର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏବଂ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ । ଯଦିଓ ରମେଶ ଏଠାରୁ ପ୍ରାର୍ଥୀ ହେଉଥବବା ସମ୍ପର୍କରେ ବିଧିବଦ୍ଧଭାବେ ଘୋଷଣା କରାଯାଇନାହିଁ, ତଥାପି ବଳଭଦ୍ର ଦଳ ଛାଡ଼ିବା ପରେ ତାହା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ଯଦି ଉପରୋକ୍ତ ସମୀକରଣ ରୁହେ, ତାହେଲେ ଉଭୟ ଯୁବ ନେତାଙ୍କ ପାଇଁ ୨୦୧୯ ନିର୍ବାଚନ ଏକ ବଡ଼ ଚ୍ୟଲେଞ୍ଜ ହେବ । କାରଣ ଆଗରୁ ଦୁହେଁ ପରୋକ୍ଷରେ ଲଢୁଥିଲେ । କିନ୍ତୁ ପ୍ରଥମ ଥର ପାଇଁ ଦୁଇ ପାରମ୍ପାରିକ ଶତ୍ରୁ ସିଧାସଳଖ ମଇଦାନରେ ଲଢିବେ । ଏଥର ଏହି ଆସନରରେ ନିର୍ବାଚନ ଦମଦାର ହେବ । ପ୍ରକାଶ ଯେ, ଡାବୁଗାଁ ଓ ଝରିଗାଁ ନିର୍ବାଚନମଣ୍ଡଳୀରେ ମନ୍ତ୍ରୀ ରମେଶ ହ୍ୟାଟ୍ରିକ କରିଥିଲେ । ବହୁ ବିଭାଗର ମନ୍ତ୍ରୀ ହେବା ପରେ ଏବେ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି । ଝରିଗାଁ ନିର୍ବାଚନମଣ୍ଡଳୀର ଚନ୍ଦାହାଣ୍ଡି ବ୍ଲକରେ ସବୁବେଳେ ତାଙ୍କୁ ଏକପାଖିଆଭାବେ ଭୋଟ ମିଳୁଥିଲା । ନିଜ ନିର୍ବାଚନମଣ୍ଡଳୀରେ ବି ତାଙ୍କର ଦବଦବା ରହିଛି । ଅନ୍ୟପକ୍ଷରେ ଝରିଗାଁ ଡଙ୍ଗାରୀଗୁଡ଼ା ଶିଶୁ ମୃତୁ୍ୟ ଘଟଣାକୁ ମୁଖ୍ୟ ପ୍ରସଙ୍ଗ କରି ପୂର୍ବତନ ସାଂସଦ ପ୍ରଦୀପ ରାଜ୍ୟ ରାଜନୀତିରେ ଆରମ୍ଭ ହଇଚଇ ସୃଷ୍ଟି କରିଥିଲେ । ପ୍ରଥମେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହୋଇଥିଲେ । ୨୦୦୯ରେ ପ୍ରଦୀପ କଂଗ୍ରେସ ସାଂସଦଭାବେ ନିର୍ବାଚିତ ହୋଇଥିଲେ । ଏବେ ରାଜ୍ୟ ରାଜନୀତିରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛନ୍ତି । ୨୦୧୪ ନିର୍ବାଚନରେ ବିଜେଡିର ସାଂସଦ ବଳଭଦ୍ର ମାଝୀ ତାଙ୍କୁ ମାତ୍ର ୨ ହଜାର ୪୨ ଖଣ୍ଡ ଭୋଟି ବ୍ୟବଧାନରେ ହରାଇଥିଲେ । କଂଗ୍ରେସରୁ ଏଥର ବି ପ୍ରଦୀପ ପ୍ରାର୍ଥୀ ହେବା ସ୍ପଷ୍ଟ । ବିଜେଡିରୁ ମନ୍ତ୍ରୀ ରମେଶ ଏବଂ ବିଜେପିରୁ ଆଶାୟୀ ତାଲିକାରେ ଥିବା ପର୍ଶୁରାମ ମାଝୀ ପ୍ରାର୍ଥୀ ହେଉଥିବା କୁହାଯାଉଛି । ଏ ସମ୍ପର୍କରେ ବିଧିବଦ୍ଧ ଘୋାଷଣା କରାଯିବା ପରେ ନବରଙ୍ଗପୁର ଲୋକସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ଚିତ୍ର ସ୍ପଷ୍ଟ ହୋଇଯିବ ।