ବିଭିନ୍ନ ପାଞ୍ଜି କହୁଛି ବିଭିନ୍ନ କଥା, କାହାକୁ ମାନିବେ ଲୋକ, ଚିନ୍ତାରେ ଶ୍ରୀମନ୍ଦିର ପ୍ରଶାସନ
ପଞ୍ଜିକାରେ ଦ୍ଵୀମତ ଯୋଗୁଁ, ପର୍ବ ପାଳନକୁ ଦ୍ଵନ୍ଦରେ ଲୋକେ । ଜଗନ୍ନାଥ ସଂସ୍କୃତି ଅନୁଯାୟୀ ଶ୍ରୀମନ୍ଦିରରେ ପାଳିତ ତିଥି ଅନୁଯାୟୀ ପର୍ବ ପାଳନ କରନ୍ତି ଓଡ଼ିଆ । କିନ୍ତୁ ବେଶ କିଛି ବର୍ଷ ବିଭିନ୍ନ ପଞ୍ଜିକାରେ ରହୁଥିବା ତିଥି ସଂକ୍ରାନ୍ତୀୟ ତଥ୍ୟରେ ରହୁନି ମେଳକ । ଏପରିକି ଶ୍ରୀମନ୍ଦିର ପ୍ରଶାସନ ସ୍ଵୀକୃତି ପ୍ରାପ୍ତ ବିଭିନ୍ନ ପଞ୍ଜିକାରେ ବି ତିଥିକୁ ନେଇ ଦ୍ଵିମତ ସମୟ ସମୟରେ ଲୋକଙ୍କୁ ଅଡ଼ୁଆରେ ପକାଇଛି । ଚଳିତବର୍ଷ ଦୀପାବଳି ଓ ଅମାବାସ୍ୟା ପାଳନ ବି ଏ ପ୍ରକାରନ୍ତରେ ଦୁଇଦିନ ପାଳନ କରିଛନ୍ତି ଲୋକେ । ତେବେ ଶ୍ରୀମନ୍ଦିରରେ ପାଳିତ ନୀତିର ସମନ୍ଵୟ ରକ୍ଷା ପାଇଁ ସମୀକ୍ଷା ବୈଠକ ଡାକିଛି ଶ୍ରୀମନ୍ଦିର ପ୍ରଶାସନ । ରାଜ୍ୟରେ ପ୍ରଚଳିତ ସମସ୍ତ ପଞ୍ଜିକାର ପଞ୍ଜିକାର ମାନଙ୍କୁ ପାଣ୍ଡୁଲିପି ପୈଠ କରିବାକୁ ଆହ୍ବାନ କରିଛି ଶ୍ରୀମନ୍ଦିର ପ୍ରଶାସନ । ସମସ୍ତ ପାଣ୍ଡୁଲିପି ସମୀକ୍ଷା ପରେ ଏକ ସମ୍ନନ୍ଵୟ ବୈଠକ ହେବ । ତେବେ ଏହାକୁ ଅନେକ ପଞ୍ଜିକାର ଅଗ୍ରାହ୍ୟ କରିବା ଦେଖା ଦେଇଛି । ମାତ୍ର ଦୁଇ ରୁ ତିନି ପାଣ୍ଡୁଲିପି ପହଞ୍ଚିଥିବା ବେଳେ ଡେଡ ଲାଇନ୍ ପୂର୍ବରୁ ରିମାଇଣ୍ଡର ମଧ୍ୟ ଦିଆଯାଇଛି । କିନ୍ତୁ ଅନେକ ପଞ୍ଜିକାରମାନେ ଏଯାଏଁ ବି ପାଣ୍ଡୁଲିପି ଦାଖଲ କରିନାହାନ୍ତି । ଅନେକ ପଞ୍ଜିକା ଓ କ୍ୟାଲେଣ୍ଡର ଆଗୁଆ ଛପା ହେଉଥିବାରୁ ବ୍ୟବସାୟିକ ଦୃଷ୍ଟିକୋଣରୁ ଶ୍ରୀମନ୍ଦିର ପ୍ରଶାସନର ସ୍ଵିର୍କୃତୀ ବିଳମ୍ବ ପରିଲକ୍ଷିତ ହେଉଛି । ଯାହାକୁ ନେଇ ଆଗ୍ରହ ଦେଖାଉଥିବା ପଞ୍ଜିକା ଗୁଡ଼ିକ ବି ପଛଘୁଞ୍ଚା ଦେଉଛନ୍ତି ।
ସେପଟେ ରାଷ୍ଟ୍ରୀୟ ପଞ୍ଚାଙ୍ଗ ଗଣନା ଅନୁସାରେ ଗଣନା କରି ଆସୁଛନ୍ତି ବିଭିନ୍ନ ପଞ୍ଜିକାର । ସୂକ୍ଷ୍ମ ସିଦ୍ଧାନ୍ତ ଦର୍ପଣ ସାଂପ୍ରତିକ ବିଷୁବ ରେଖାର ସ୍ଥିତି ଅବସ୍ଥିତିକୁ ନେଇ ଗଣନା କରି ଆସୁଥିବା ବେଳେ ସ୍ଥୂଳ ସିଦ୍ଧାନ୍ତ ଦର୍ପଣକୁ ମାନି ଆସୁଥିବା ପଞ୍ଜିକାରମାନେ ପୂର୍ବର ସାରଣୀ ଆପଣାଇ ଆସୁଛନ୍ତି । ଯେଉଁଥିପାଇଁ ମେଳକରେ ଦ୍ଵନ୍ଦ ଦେଖାଯାଉଛି । ତେବେ ଶ୍ରୀମନ୍ଦିର ପ୍ରଶାସନ ମୁକ୍ତି ମଣ୍ଡପର ଗଣନା ଅନୁସାରେ ନିର୍ଭରଶୀଳ ଥିବା ବେଳେ ପୁରୁଣା ପଦ୍ଧତି ବା ସାରଣୀକୁ ଆପଣାଇ ଆସୁଛି ମୁକ୍ତି ମଣ୍ଡପ । ଯାହାକି ରାଷ୍ଟ୍ରୀୟ ପଞ୍ଚାଙ୍ଗ ଗଣନା ସହ ମେଳ ଖାଉନାହି । ତେଣୁ ମୁକ୍ତି ମଣ୍ଡପରେ ଦକ୍ଷ ଗଣନାକାରଙ୍କ ଅଭାବ ରହି ଆସିଛି ବୋଲି ଅଭିଯୋଗ କରିଛନ୍ତି ପଞ୍ଜିକାର । ଯେହେତୁ ଶ୍ରୀମନ୍ଦିର ପ୍ରଶାସନର ମୁକ୍ତି ମଣ୍ଡପ ଉପରେ କର୍ତ୍ତୁତ୍ୱ ରହିଛି ,ସେ ଗଣନାକୁ ନିର୍ଭୁଲ କରିବା ପାଇଁ ଏକ ଦକ୍ଷ ଗଣନାକାରଙ୍କ ବୈଠକ କରି ସମାଧାନ କରୁ ବୋଲି କହିଛନ୍ତି ପଞ୍ଜିକ୍କାର । ନଚେତ୍ ରାଷ୍ଟ୍ରୀୟ ପଞ୍ଚାଙ୍ଗ ଗଣନାର ବ୍ୟତିକ୍ରମ କରି ମୁକ୍ତି ମଣ୍ଡପ ଅନୁଯାୟୀ ଗଣନାରେ ପରିବର୍ତ୍ତନ କରିବାକୁ ଅମଙ୍ଗ ହେଉଛନ୍ତି ବିଭିନ୍ନ ପଞ୍ଜିକା ।