ବିଜେଡ଼ି ଓ ବିଜେପି ମଧ୍ୟରେ ସଲାସୁତରା ଚାଲିଛି : ନରସିଂହ

ବିଜେଡ଼ି ଓ ବିଜେପି ମଧ୍ୟରେ ସଲାସୁତରା ଚାଲିଛି : ନରସିଂହ

ବିଜେଡ଼ି ଓ ବିଜେପି ମଧ୍ୟରେ ସଲାସୁତରା ଚାଲିଛି : ନରସିଂହ
ଭୁବନେଶ୍ୱର : ସ୍ମିତାରାଣୀ ବିଶ୍ୱାଳ ମୃତୁ୍ୟ ପ୍ରସଙ୍ଗରେ ଗୃହରେ ଗର୍ଜିଛି କଂଗ୍ରେସ । ଜଣେ ସରକାରୀ ଅଧିକାରୀଙ୍କୁ ହତ୍ୟା କରାଯାଇଥିଲେ ବି ମାମଲାର ଦିଗକୁ ପୁଲିସ,ପ୍ରଶାସନ ଓ ରାଜନେତା ଭିନ୍ନ ମୋଡ଼ ଦେବାକୁ ଚକ୍ରାନ୍ତ କରିଛନ୍ତି । ହତ୍ୟାକୁ ଆତ୍ମହତ୍ୟା ବୋଲି ଦର୍ଶାଇ ତଦନ୍ତକୁ ବାଟବଣା କରାଯାଉଛି । ସରକାରୀ ଦଳ ଦ୍ୱାରା ନିୟନ୍ତ୍ରଣାଧିନ ରାଜ୍ୟ ପୁଲିସ ସ୍ମିତାରାଣୀଙ୍କୁ ନ୍ୟାୟ ଦେଇପାରିବ ନାହିଁ । ଏଭଳି ସଂଗୀନ ମାମଲାର ତଦନ୍ତ ସିବିଆଇ କିମ୍ବା ହାଇକୋର୍ଟ ବିଚାରପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଦ୍ୱାରା ହେଉ ବୋଲି ବିରୋଧୀ କଂଗ୍ରେସ ଦାବି କରିଛି । ବିଧାନସଭାରେ ଏସଂକ୍ରାନ୍ତୀୟ ମୁଲତବୀ ପ୍ରସ୍ତାବ ସମ୍ପର୍କରେ ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେଯେ, ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିଜେ ଉତର ନରଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଅପରପକ୍ଷରେ ସ୍ମିତାରାଣୀ ପ୍ରସଙ୍ଗରେ ବିଜେପି ଆଲୋଚନା ନକରି ଗୃହରେ ହାଲାବୋଲ କରୁଛି । ବିଜେପି ଓ ବିଜେଡ଼ି ମଧ୍ୟରେ ସଲାସୁତରା ଚାଲିଛି । ମୁଲତବୀ ଆଲୋଚନା ନକରିବା ପାଇଁ ଉଭୟ ବିଜେଡ଼ି ଓ ବିଜେପି ଚାହୁଁଛନ୍ତି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି । ନରସିଂହ କହିଲେଯେ, ରାଜ୍ୟରେ ନାରୀ ନିର୍ଯ୍ୟାତନା ବଢ଼ିବାରେ ଲାଗିଛି । ଆନୁପାତିକ ଦୃଷ୍ଟିକୋଣରୁ ନାରୀ ନିର୍ଯ୍ୟାତନା ଜନିତ ମାମଲାରେ ଓଡ଼ିଶା ସର୍ବାଗ୍ରେ ରହିଛି । ନାରୀ ନିର୍ଯ୍ୟାତନା ସଂକ୍ରାନ୍ତୀୟ ୯୪.୭% ମାମଲା ବିଭିନ୍ନ କୋର୍ଟରେ ପଡ଼ିରହିଛି । ୨୦୧୭ ସୁଦ୍ଧା୯୦୦୯୫ ମାମଲା ପଡ଼ି ରହିଥିବାବେଳେ ମାତ୍ର ୫୦୪୧ ମାମଲାରେ ଦଣ୍ଡବିଧାନ କରାଯାଇଛି । ସେହିପରି ୫ ଲକ୍ଷ ୧୭ ହଜାର ୭୦୯ ଆଇପିସି ମାମଲା ପଡ଼ି ରହିଥିବାବେଳେ ମାତ୍ର ୨୦୪୨୮ ମାମଲାରେ ଦଣ୍ଡବିଧାନ ହୋଇଛି । ଗତ ଦୁଇ ବର୍ଷରେ ୨୪ ଲକ୍ଷ ଲୋକଙ୍କୁ ବିଭିନ୍ନ ଅପରାଧରେ ଗିରଫ କରାଯାଇଥିବାବେଳେ ୧୭ ହଜାର ଜଣଙ୍କୁ ଦଣ୍ଡିତ କରାଯାଇଛି । ଦଣ୍ଡବିଧାନ ହାର ବହୁ କମ ଥିବାରୁ ଅପରାଧିଙ୍କ ସାହସ ବଢ଼ିଯାଉଛି ବୋଲି ସେ କହିଥିଲେ । ସେହିପରି ସ୍ମିତାରାଣୀ ମୃତୁ୍ୟ ପ୍ରସଙ୍ଗରେ ଶ୍ରୀ ମିଶ୍ର କହିଲେଯେ, ଜଣେ ସରକାରୀ କର୍ମଚାରୀ ସରପଂଚ ସ୍ୱାମୀଙ୍କ ବ୍ୟକ୍ତିଗତ ଅତିଥି ଭବନରେ ମୃତୁ୍ୟବରଣ କଲେ । ପୁଲିସ ଏହାକୁ ଆତ୍ମହତ୍ୟା ବୋଲି ଦର୍ଶାଉଛି । ତେବେ ସରକାରୀ ଅଧିକାରୀ ଜଣକ ସେହି ଅତିଥି ଭବନକୁ କ’ଣ ଆତ୍ମହତ୍ୟା କରିବାକୁ ଯାଇଥିଲେ ? ବୋଲି ସେ ପ୍ରଶ୍ନ କରିଛନ୍ତି । ରାମକୋ କମ୍ପାନୀ କର୍ମଚାରୀଙ୍କ ସହଯୋଗରେ ଚା’ ବେପାର କରୁଥିବା ଲୋକ ଶହ ଶହ କୋଟି ଟଙ୍କାର ମାଲିକ ହୋଇପାରିଛି । ଉକ୍ତ ଅତିଥିଭବନଟି ବେଆଇନ ଭାବେ ସରକାରୀ ଜମିରେ ନିର୍ମାଣ କରାଯାଇଛି । ସେଠାରେ ସେକ୍ସ ର୍ୟାକେଟ ଚାଲିଥିଲା । ଝିଅଙ୍କୁ ଆଣି ସେଠାରେ ଉପଭୋଗ କରାଯାଉଥିଲା । ମୃତୁ୍ୟର କିଛି ସମୟ ପୂର୍ବରୁ ନିଜ ପିଲାଙ୍କୁ ଖାଇବାକୁ ଦେବା ପାଇଁ ସ୍ମିତାରାଣୀ କହିଥିଲେ । ଏସବୁ ପ୍ରମାଣରୁ ଜଣାପଡ଼ୁଛିଯେ, ତାଙ୍କୁ ଶଯ୍ୟାଶାୟିନୀ କରିବା ପାଇଁ ବାଧ୍ୟ କରାଯାଇଥିଲା । କିନ୍ତୁ ସେ ଅସହମତି ପ୍ରକାଶ କରିବାରୁ ତାଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରାଯାଇଛି । ପୁଲିସ କିମ୍ବା ତାଙ୍କ ପରିବାର ଲୋକଙ୍କୁ ନଜଣାଇ ହସପିଟାଲ ନିଆଯାଇଛି । ଯେଉଁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି ତାହା ମଧ୍ୟ ଗ୍ରହଣୀୟ ନୁହେଁ । ଏହି ରିପୋର୍ଟର ବି ଶବ ବ୍ୟବଚ୍ଛେଦ କରାଯିବା ଦରକାର ବୋଲି ସେ ଦାବି କରିଥିଲେ । ମୁଖ୍ୟମନ୍ତ୍ରୀ ନାରୀଙ୍କୁ ସମ୍ମାନ ଦେବା କଥା କହୁଛନ୍ତି, କିନ୍ତୁ ଏହି ମାମଲାର ତଦନ୍ତ ଯେଉଁଭଳି ଢ଼ଙ୍ଗରେ ଚାଲିଛି ସେଥିରେ ସ୍ମିତାରାଣୀଙ୍କୁ ନ୍ୟାୟ ମିଳିପାରିବ ନାହିଁ । ଏହାର ସିବିଆଇ ତଦନ୍ତ କରାଯିବା ଦରକାର । ନଚେତ ହାଇକୋର୍ଟ ବିଚାରପତିଙ୍କ ତତ୍ୱାବଧାନରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଗଠନ କରାଯାଇ ତଦନ୍ତ କରାଯାଉ ବୋଲି ନରସିଂହ ଦାବି କରିଥିଲେ । ବିରୋଧୀ କଂଗ୍ରେସ ପକ୍ଷରୁ ଆଲୋଚନାରେ ଭାଗ ନେଇ ବିଧାୟକ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ତାରା ବାହିନୀପତି, ଅଧିରାଜ ମୋହନ ପାଣିଗ୍ରାହୀ ପ୍ରମୁଖ ସରକାରଙ୍କ ଉପରେ ବର୍ଷିଥିଲେ । ରାଜ୍ୟ ପୁଲିସ ସରକାରୀ ଦଳର ହାତବାରିସି ସାଜିଥିବାରୁ ଏଭଳି ସଂଗୀନ ମାମଲାର ତଦନ୍ତ ସିବିଆଇ କିମ୍ବା ଏସଆଇଟି ଦ୍ୱାରା ହେଉ ବୋଲି ସେମାନେ ଦାବି କରିଥିଲେ ।