ଆଉ ନିର୍ବାଚନ ଲଢିବିନି: ଦାମ
ଆଉ ନିର୍ବାଚନ ଲଢିବିନି: ଦାମ
admin
Oct 3, 2019 - 09:06
Updated: Oct 3, 2019 - 09:06
ଭୁବନେଶ୍ୱର:ଆଉ ନିର୍ବାଚନ ଲଢିବେନି ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ । ଏନେଇ ଖୋଦ ଶ୍ରୀ ରାଉତ ଘୋଷଣା କରିଛନ୍ତି । ତେବେ ସେ ଲୋକଙ୍କ ସହ ରହିବେ ଓ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି । ସେହିପରି ବିଜେପିର କାର୍ଯ୍ୟକଳାପକୁ ନେଇ ସେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ।
ସେ କହିଛନ୍ତିଯେ, ନିର୍ବାଚନ ଲଢ଼ିବାକୁ ବୟସ ନାହିଁ । ବିଧାନସଭାରେ ଆମ ଭଳି ପୁରୁଖା ନେତାଙ୍କ ପୁଅ ପୁତୁରା ବିଧାୟକ ହେଲେଣି । ଆମର ଆଉ ଆବଶ୍ୟକତା ନାହିଁ । ସେ ଜଣେ ଅଣକଂଗ୍ରେସ ନେତା । ଜନତା ଦଳ ଓ ବିଜୁ ଜନତା ଦଳରେ ଦୀର୍ଘ ବର୍ଷ ଧରି ରହିଥିଲେ । ପରେ ସେ ବିଜେପିକୁ ଯାଇଥିଲେ । କିନ୍ତୁ ବିଜେପି ଯଦି ତାଙ୍କୁ ନପଚାରିବ ସେ ଆଉ କ’ଣ ଗୋଡେ଼ଇକି ଯିବେ ବୋଲି ଡାକ୍ତର ରାଉତ କହିଛନ୍ତି ।
ସେହିପରି ବିଜେପୁର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରକାଶ ପାଇଥିବା ଷ୍ଟାର ପ୍ରଚାରକ ତାଲିକାରେ ତାଙ୍କ ନାମକୁ ସାମିଲ କରାନଯିବା ପ୍ରସଙ୍ଗରେ ଦାମ ବାବୁ ରୋଷ ଝାଡ଼ିଛନ୍ତି । ସେ କହିଛନ୍ତି ଯେ, ନିର୍ବାଚନ ପୂର୍ବକଥା, ପରକଥା ଭିତରେ ଆକାଶପାତାଳ ପ୍ରଭେଦ । ନିର୍ବାଚନ ପୂର୍ବରୁ ବିଜେପି ନେତା ମୋତେ ଡାକି ଦଳରେ ମିଶାଇଥିଲେ । ନିର୍ବାଚନ ପରେ ମୋତେ ଆଉ ପଚାରୁନାହାନ୍ତି । ବିଜେପୁର ନିର୍ବାଚନ କଥା ମୁଁ ଗଣମାଧ୍ୟମରୁ ଜାଣିଲି । ମୋତେ କେଉଁଠିକୁ ଡାକୁ ନାହାନ୍ତି କି ପଚାରୁନାହାନ୍ତି । ଏହି ଅବସ୍ଥାରେ ମୁଁ ଆଉ କେମିତି ନିର୍ବାଚନ ଲଢିବ । ମୋତେ ଗୋଷ୍ଠୀଭୁକ୍ତ କରି ମୋତେ ଆଉ ଡାକୁନାହାନ୍ତି । ନିର୍ବାଚନ ଲଢିବାକୁ ଆଉ ମୋର ବୟସ ନାହିଁ ବୋଲି ଦାମ ବାବୁ କହିଛନ୍ତି ।
ଏହାଛଡ଼ା ଯେଉଁ ଦଳ ମୋତେ ପଚାରୁନି, ମୁଁ କଣ ଗୋଡେ଼ଇକି ପ୍ରାର୍ଥୀ ହେବି । ମୋର ସ୍ଥିତି ସେ ଦଳ ଅନୁଭବ କରୁନାହିଁ, ମୁଁ ଆଉ କଣ କହିବି । ସାଧାରଣ ଜୀବନରେ ଜଣେ ବ୍ୟକ୍ତି ପାଇଁ ଦଳ ଅନିବାର୍ଯ୍ୟ ନୁହେଁ । ନିର୍ବାଚନ ପରେ ବିଜେପିର କେହି ମୋ ସହ କଥା ହୋଇନାହାନ୍ତି । ଓଡ଼ିଶାରେ ହେଉ ବା ଦିଲ୍ଲୀରେ ହେଉ, କେହି ମୋ ସହ କଥା ହୋଇନାହାନ୍ତି । ମୋତେ ଡାକିନଥିଲେ, ମୁଁ ୨ଥର ମନକୁ ମନ ବୈଠକକୁ ଯାଇଥିଲି । ବୈଠକ ସରିଲା ପରେ ମୋତେ କିଛି କହିଲେନି, ମୁଁ ଆସିଲି । ମୁଁ ଆଉ ନିର୍ବାଚନ ରାଜନୀତି ପାଇଁ ଆଗ୍ରହୀ ନୁହେଁ । ତେବେ ଲୋକଙ୍କ ସହ ରହିବି ବୋଲି ଦାମବାବୁ ସ୍ପଷ୍ଟଭାବେ କହିଛନ୍ତି ।
ପ୍ରକାଶ ଯେ, ୨୦୧୯ ସାଧାରଣ ନିର୍ବାଚନ ପରେ ଡାକ୍ତର ରାଉତ ନିଷ୍କ୍ରିୟ ହୋଇଯାଇଥିଲେ । ନିର୍ବାଚନ ସମୟରେ ବିଜୁ ଜନତା ଦଳର ତୁଙ୍ଗ ନେତା ଭାବେ ପରିଚିତ ଡାକ୍ତର ରାଉତ ବିଜେପିରେ ଅତର୍କିତ ଭାବେ ଯୋଗ ଦେଇଥିଲେ । ବାସ୍ତବରେ ଡାକ୍ତର ରାଉତ ସବୁବେଳେ ବିଜେପିର ଆଦର୍ଶକୁ ହିଁ ବିରୋଧ କରିଆସୁଥିଲେ । ତେବେ ଦଳରେ ଯୋଗଦେବା ପରେ ତାଙ୍କୁ ବିଜେପି ବାଲିକୁଦା ଏରସମାରୁ ପ୍ରାର୍ଥୀ କରିଥିଲା । କିନ୍ତୁ ଡାକ୍ତର ରାଉତ ତୃତୀୟ ସ୍ଥାନକୁ ଖସିଯାଇଥିଲେ । ଅପରପକ୍ଷରେ ତାଙ୍କ ପୁଅ ପାରାଦୀପରୁ ବିଜେଡ଼ି ଟିକେଟରେ ଲଢ଼ି ବିଜୟୀ ହୋଇଥିଲେ । ସେତେବେଳେ ଡାକ୍ତର ରାଉତ ନିଜ ବିଜୟ ଅପେକ୍ଷା ନିଜ ପୁଅର ବିଜୟକୁ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରୁଥିଲେ ବୋଲି ଚର୍ଚ୍ଚା ହେଉଥିଲା ।