ବିଜେଡି ନେତାଙ୍କ ଡ୍ରାଇଭର କରିଥିଲେ ଦୁଷ୍କର୍ମ!
ବିଜେଡି ନେତାଙ୍କ ଡ୍ରାଇଭର କରିଥିଲେ ଦୁଷ୍କର୍ମ!
admin
Sep 27, 2019 - 08:41
Updated: Sep 27, 2019 - 08:41
ଭୁବନେଶ୍ୱର: ଜୁନାଗଡ଼ ଗଣଦୁଷ୍କର୍ମ ନୂଆ ମୋଡ଼ ନେଇଛି । ବିଜେଡି ନେତାଙ୍କ ଡ୍ରାଇଭର ଏହି ଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ । ପୀଡ଼ିତାଙ୍କ ବୟାନକୁ ଭିତ୍ତି କରି ଏଭଳି ସଂଗୀନ ଅଭିଯୋଗ ଆଣିଛି ବିଜେପି । ଏହି ଘଟଣାରେ ବିଜେଡି ନେତାଙ୍କ ଲିଙ୍କ ଥିବା ବିଜେପି ଅଭିଯୋଗ ଆଣିଛି । ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏହା କହିଛନ୍ତି । ଏଥିସହ ପୀଡ଼ିତାଙ୍କୁ ଲିଫ୍ଟ ଦେଇଥିବା ଡ୍ରାଇଭର ଲଳିନ୍ଦ୍ର ଶବରକୁ ପୁଲିସ କାହିଁକି ଛାଡ଼ିଲା ତାର ଖୁଲାସା କରାଯାଉ ବୋଲି ଶ୍ରୀମତୀ ସାମନ୍ତସିଂହାର ଦାବି କରିଛନ୍ତି ।
ସେ କହିଛନ୍ତି ଯେ, ଲଳିନ୍ଦ୍ର ଶବର ଜଣେ ବିଜେଡି ନେତାଙ୍କ ବସର ଡ୍ରାଇଭର । ଲଳିନ୍ଦ୍ର କଳାହାଣ୍ଡି ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରବୋଧ ରଥଙ୍କ ବସର ଡ୍ରାଇଭର । ବିଜେଡି ନେତାଙ୍କ ଡ୍ରାଇଭର ହୋଇଥିବାରୁ ତାଙ୍କୁ ଛାଡ଼ି ଦିଆଯାଇଛି । ଲଳିନ୍ଦ୍ରଙ୍କୁ ଖସାଇବାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବଡ଼ ଭୂମିକା ରହିଛି । ଗୁଣଦୁଷ୍କର୍ମ ମାମଲାରେ ଦିବ୍ୟଶଙ୍କର କଣ ପାଇଁ ଆଗୁଆ ମୁଣ୍ଡ ପୂରାଇଲେ ବୋଲି ଶ୍ରୀମତୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି । ଏହି ଘଟଣାରେ ଦିବ୍ୟଶଙ୍କରଙ୍କ ଭୂମିକା ‘ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି’ ଭଳି ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି । ଲୋକ ନଜରକୁ ହଟାଇବାକୁ ଏଭଳି ନାଟକ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।
ପ୍ରକାଶ ଯେ, ଜୁନାଗଡ଼ରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣା ସମ୍ପର୍କରେ ଗଣଦୁଷ୍କର୍ମ ପୀଡ଼ିତା ଗଣମାଧ୍ୟମକୁ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ଡ୍ରାଇଭର ଲଳିନ୍ଦ୍ର ଶବରକୁ ମୁଖ୍ୟ ଖଳନାୟକ ବୋଲି ପୀଡ଼ିତା କହିଛନ୍ତି । ଏପରିକି ଜଙ୍ଗଲରେ ଲଳିନ୍ଦ୍ର ହିଁ ତାଙ୍କୁ ପ୍ରଥମେ ଦୁଷ୍କର୍ମ କରିଥିବା ସେ କହିଛନ୍ତି । ତେବେ ଲଳିନ୍ଦ୍ରକୁ କାହିଁକି ଛାଡ଼ି ଦିଆଯାଉଛି ବୋଲି ପୀଡ଼ିତା ଜଣକ ପ୍ରଶ୍ନ କରିଛନ୍ତି । ଏପରିକି ଲଳିନ୍ଦ୍ରକୁ ଛାଡ଼ି ଦିଆଗଲେ ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ।
ସେ କହିଛନ୍ତି ଯେ, ଘଟଣା ଦିନ ଲଳିନ୍ଦ୍ର ଶବର ସହ ବାଇକରେ ଲିଫ୍ଟ ନେଇ ଯାଉଥିଲି । ରାସ୍ତାରେ ଲଳିନ୍ଦ୍ର ପାଖକୁ ବାରମ୍ବାର ମୋବାଇଲରେ କଲ ଆସୁଥିଲା । ଘଟଣାସ୍ଥଳରେ ଲଳିନ୍ଦ୍ର ଗାଡ଼ି ଧିମାଇଲା ଓ ୬ ଜଣ ଯୁବକ ମୋତେ ଉଠାଇ ନେଲେ । ଜଙ୍ଗଲରେ ଲଳିନ୍ଦ୍ର ହିଁ ମୋତେ ପ୍ରଥମେ ଦୁଷ୍କର୍ମ କରିଥିଲା । ପରେ ପରେ ଆଉ ଜଣେ ଯୁବକ ମୋ ସହ ଦୁଷ୍କର୍ମ କରିଥିଲା । ଲଳିନ୍ଦ୍ର ମୁଖ୍ୟ ଖଳନାୟକ, ତାକୁ କାହିଁକି ଛାଡ଼ି ଦିଆଯାଉଛି । ଲଳିନ୍ଦ୍ର ସହ ସମସ୍ତ ଅଭିଯୁକ୍ତମାନଙ୍କୁ ଫାଶି ଦିଆଯାଉ । ଲଳିନ୍ଦ୍ରକୁ ଛାଡ଼ି ଦିଆଗଲେ ମୁଁ ଆତ୍ମହତ୍ୟା କରିବି ବୋଲି ପୀଡ଼ିତା ଜଣକ କହିଛନ୍ତି ।