ବିଜେଡିକୁ ଫେରିଲେ ଜିତୁ ମିତ୍ର
ବିଜେଡିକୁ ଫେରିଲେ ଜିତୁ ମିତ୍ର
admin
Mar 11, 2019 - 07:10
Updated: Mar 11, 2019 - 07:10
ଭୁବନେଶ୍ୱର : ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ବିଜେପି ନେତା ଜ୍ୟୋତିନ୍ଦ୍ରନାଥ ମିତ୍ର ଦଳ ଛାଡ଼ିଛନ୍ତି । ଆଜି ବିଧିବଦ୍ଧ ଭାବେ ନବୀନ ନିବାସରେ ସେ ବିଜେଡ଼ିରେ ସାମିଲ ହୋଇଛନ୍ତି । ପୂର୍ବରୁ ସେ ବିଜେଡ଼ିର ବିଧାୟକ ଥିବାବେଳେ ତାଙ୍କର ଘର ବାହୁଡ଼ା ଖୋର୍ଦ୍ଧାରେ ଦଳକୁ ମଜବୁତ କରିବ ବୋଲି ଆଶା କରାଯାଉଛି । ଫଳରେ ଆସନ୍ତା ନିର୍ବାଚନରେ ସେ ବିଜେଡ଼ି ଟିକେଟ ପାଇବା ନିଶ୍ଚିତ ବୋଲି କୁହାଯାଉଛି ।
ସୂଚନାଯୋଗ୍ୟଯେ, ଜିତୁ ମିତ୍ର ପ୍ରଥମେ କଂଗ୍ରେସରେ ଥିଲେ । ଖୋର୍ଦ୍ଧା ଏନଏସିରେ ସେ ବହୁବାର ନଗରପାଳ ମଧ୍ୟ ହୋଇଥିଲେ । କଂଗ୍ରେସ ତାଙ୍କୁ ଟିକେଟ ନଦେବାରୁ ୨୦୦୦ରେ ସେ ସ୍ୱାଧୀନ ଭାବେ ଲଢ଼ିଥିଲେ । ସ୍ୱାଧୀନ ଭାବେ ଜିତିବା ପରେ ସେ ବିଜେଡ଼ିର ସହଯୋଗୀ ଭାବେ କାର୍ଯ୍ୟ କରିଥିଲେ । ୨୦୦୪ରେ ତାଙ୍କୁ ବିଜେଡ଼ି ଖୋର୍ଦ୍ଧାରୁ ଟିକେଟ ଦେଇଥିଲା । ଜିତୁ ମିତ୍ର ଦ୍ୱିତୀୟ ଥର ପାଇଁ ବିଜୟୀ ହୋଇଥିଲେ । ତେବେ ୨୦୦୯ରେ ବିଜେଡ଼ି ଓ ବାମପନ୍ଥୀ ଦଳ ମଧ୍ୟରେ ମେଂଟ ହୋଇଥିଲା । ଫଳରେ ଖୋର୍ଦ୍ଧା ଆସନରୁ ଶିବାଜୀ ପଟ୍ଟନାୟକ ସ୍ୱାଧୀନ ଭାବେ ଲଢ଼ିଥିଲେ । ଏହାର ପ୍ରତିବାଦରେ ଉଭୟ ଜିତୁ ମିତ୍ର ଓ ରାଜେନ୍ଦ୍ର ସାହୁ ସ୍ୱାଧୀନ ଭାବେ ଲଢ଼ିଥିଲେ । ରାଜେନ୍ଦ୍ର ସାହୁ ସ୍ୱଳ୍ପ ଭୋଟ ବ୍ୟବଧାନରେ ଜିତୁଙ୍କୁ ପରାସ୍ତ କରିଥିଲେ । ପରେ ରାଜଙ୍କୁ ବିଜେଡ଼ି ଟିକେଟ ମିଳିବାରୁ ଜିତୁ ମିତ୍ର ବିଜେପିରେ ଯୋଗଦେଇ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ପୁନଶ୍ଚ ତାଙ୍କୁ ସ୍ୱଳ୍ପଭୋଟରେ ପରାଜୟ ବରଣ କରିବାକୁ ପଡ଼ିଥିଲା । ୨୦୧୯ରେ ସେ ଖୋର୍ଦ୍ଧାରୁ ବିଜେପି ଟିକେଟରେ ଲଢ଼ିବା ସହ ବିଜୟୀ ହେବେବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ପରିବର୍ତିତ ରାଜନୀତିକ ସମୀକରଣରେ ବିଜେପି କାଳୁ ଖଣ୍ଡାତରାୟଙ୍କୁ ଗୁରୁତ୍ୱ ଦେବାରୁ ଜିତୁ ମିତ୍ର ଖପ୍ପା ଥିଲେ । ଏହି ସୁଯୋଗରେ ବିଜେଡ଼ି ତାଙ୍କ ସହ ଯୋଗାଯୋଗ କରି ତାଙ୍କୁ ମନେଇବାରେ ସଫଳ ହୋଇଥିବା କୁହାଯାଉଛି ।