ବିଜେପି ଜିଲ୍ଲା ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ

ବିଜେପି ଜିଲ୍ଲା ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ

ବିଜେପି ଜିଲ୍ଲା ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ
ଭୁବନେଶ୍ୱର: ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଏକାମ୍ର ହାଟ ନିକଟରେ ୧୦ରୁ ଅଧିକ ଦୁର୍ବୃତ୍ତ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି । ଆକ୍ରମଣରେ ଗୁରୁତର ଆହତ ଶ୍ରୀ ଖୁଣ୍ଟିଆଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତି କରାଯାଇଛି । ପ୍ରକାଶ ଯେ, ଶ୍ରୀ ଖୁଣ୍ଟିଆ ନିଜର ଜଣେ ବନ୍ଧୁଙ୍କ ଅଫିସରେ ବସିଥିଲେ । ଏତିକି ବେଳେ ହଠାତ ଦୁର୍ବୃତ୍ତମାନେ ଅଫିସ ଭିତରକୁ ପଶି ଆସି ତାଙ୍କୁ ଆକ୍ରମଣ କରିଥିଲେ । ଶ୍ରୀ ଖୁଣ୍ଟିଆଙ୍କୁ ଆକ୍ରମଣ ସହ ଦୁର୍ବୃତ୍ତମାନେ ତାଙ୍କ ବନ୍ଧୁଙ୍କ ଅଫିସରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ତେବେ କିଏ କେଉଁ ଉଦେ୍ଧଶ୍ୟରେ ତାଙ୍କୁ ଆକ୍ରମଣ କରିଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ । ସୂଚନାଯୋଗ୍ୟଯେ, ଗତ କିଛିଦିନ ଧରି ଭୁବନେଶ୍ୱର ଜିଲ୍ଲା ବିଜେପିରେ ବିବାଦ ଲାଗି ରହିଛି । ବହୁ ନେତା ଭିନ୍ନଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇଥିବା ଦେଖିବାକୁୁ ମିଳିଛି । ଏମିତିକି ଗୋଷ୍ଠୀବିବାଦ ହିଂସାର ବି ରୂପ ନେଇଛି । ଅତୀତରେ ପରସ୍ପର ବିରୋଧୀ ନେତାମାନେ ଥାନାର ମଧ୍ୟ ଦ୍ୱାରସ୍ଥ ହୋଇଛନ୍ତି । ତେଣୁ ଦଳର ଆଭ୍ୟନ୍ତରୀଣ ବିବାଦ କାରଣରୁ ହରେକୃଷ୍ଣଙ୍କ ଉପରେ ଆକ୍ରମଣ ହୋଇଛି ନା ବ୍ୟବସାୟିକ ନା ରାଜନୈତିକ ଦୃଷ୍ଟିକୋଣରୁ ଆକ୍ରମଣ ହୋଇଛି ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ଯେଉଁ ସ୍ଥାନରେ ହରେକୃଷ୍ଣଙ୍କ ଉପରେ ଆକ୍ରମଣ ହୋଇଥିଲା ସେଠାରେ ସିସିଟିଭି ଲାଗିଥିବା ଜାଣିବାକୁ ମିଳିଛି । ସିସିଟିଭି ଫୁଟେଜରୁ କିଛି ପ୍ରମାଣ ମିଳିବ ବୋଲି ଆଶା କରାଯାଉଛି ।