ବ୍ରାଡମ୍ୟାାନ୍ଙ୍କୁ ଟପିଲେ କୋହଲି
ବ୍ରାଡମ୍ୟାାନ୍ଙ୍କୁ ଟପିଲେ କୋହଲି
admin
Oct 12, 2019 - 11:39
Updated: Oct 12, 2019 - 11:39
ପୁନେ : ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସାର୍ ଡନ୍ ବ୍ରାଡମ୍ୟାନଙ୍କୁ ମହାନ ଭାରତୀୟ କ୍ରିକେଟର୍ ସଚିନ ତେନ୍ଦୁଲକର ତାଙ୍କ ୨୩ ବର୍ଷର ଖେଳ ଜୀବନରେ ଅତିକ୍ରମ କରିପାରିନଥିଲେ । ଏବର ଭାରତୀୟ ଅଧିନାୟକ ବିରାଟ କୋହଲି କିନ୍ତୁ ଗୋଟିଏ ପାଳିରେ ଉଭୟଙ୍କୁ ଟପି ଯାଇଛନ୍ତି । ଶୁକ୍ରବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ୍ର ଦ୍ୱିତୀୟ ଦିବସରେ ୨୫୪³ ରନ୍ର ଶ୍ରେଷ୍ଠ ପାଳି ଖେଳିଥିବା କୋହଲି କେବଳ ଭାରତୀୟ କୀର୍ତ୍ତିମାନ ନୁହେଁ, ବିଶ୍ୱ କୀର୍ତ୍ତିମାନକୁ ନିଜ ନାମରେ କରି ନେଇଛନ୍ତି ।
କୋହଲିଙ୍କ ଏହା ଥିଲା ୨୬ତମ ଟେଷ୍ଟ୍ ଶତକ ଏବଂ ସପ୍ତମ ଦ୍ୱିଶତକ । ଏହି ପାଳି ଅବସରରେ କୋହଲି ଏକାଧିକ କୀର୍ତିମାନକୁ କାଟିଛନ୍ତି । କିନ୍ତୁ ସର୍ବାଧିକ ଦ୍ୱିଶତକ ହାସଲରେ ସେ ସଚିନ ତେନ୍ଦୁଲକର ଏବଂ ବୀରେନ୍ଦ୍ର ସେହବାଗ (ଉଭୟ ୬ ଲେଖାଏଁ ଦ୍ୱିଶତକ)ଙ୍କୁ ପଛରେ ପକାଇ ଦେଇଥିଲେ । ଦୁଇ ଭାରତୀୟଙ୍କୁ ଅତିକ୍ରମ କରିବା ପୂର୍ବରୁ କୋହଲି କିନ୍ତୁ ୧୫୦ ରନ୍ ଅତିକ୍ରମ କରିବାବେଳେ ଡନ୍ ବ୍ରାଡମ୍ୟାନ୍୍ଙ୍କୁ ଟପିଯାଇଥିଲେ । ଅଧିନାୟକ ଭାବେ ଟେଷ୍ଟ୍ କ୍ରିକେଟର ବ୍ରାଡମ୍ୟାନ୍ ୮ ଥର ୧୫୦ ରନ୍ ଟପିଥିଲେ, ହେଲେ କୋହଲି ଶୁକ୍ରବାର ନବମ ଥର ପାଇଁ ଦେଢ଼ ଶହ ରନ୍ ଅତିକ୍ରମ କରିଥିଲେ । ୧୫୦ରୁ ୧୯୯ ରନ୍ ଭିତରେ ବ୍ରାଡମ୍ୟାନ୍ ୮ ଥର ପହଞ୍ଚିଥିଲେ । କିନ୍ତୁ ନିଜ ନାମରେ ଥିବା ୧୨ ଦ୍ୱିଶତକକୁ ଏବେ ବି ବ୍ରାଡମ୍ୟାନ୍ ଅତୁଟ ରଖିଛନ୍ତି ।
କୋହଲିଙ୍କ ୨୫୪³ ରନ୍ ମଧ୍ୟ ତାଙ୍କ ସର୍ବୋଚ୍ଚ ଟେଷ୍ଟ୍ ପାଳି । ପୂର୍ବରୁ ସେ କେବେ ବି ୨୫୦ ଟପି ନଥିଲେ । ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ଦିଲ୍ଲୀରେ କୋହଲି କରିଥିବା ୨୪୩ ରନ୍ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ଟେଷ୍ଟ୍ ସ୍କୋର ଥିଲା । ଏହା କୋହଲିଙ୍କ ୬୯ତମ ଅନ୍ତର୍ଜାତୀୟ ଶତକ । ତାଙ୍କ ନାମରେ ୪୩ ଦିନିକିଆ ଶତକ ରହିଛି । ସେହିଭଳି ଟେଷ୍ଟ୍ ଅଧିନାୟକ ଭାବେ କୋହଲି ମଧ୍ୟ ୧୯ ଶତକ ସହିତ ଅଷ୍ଟ୍ରେଲିଆର ରିକି ପଣ୍ଟିଂଙ୍କ ସମକକ୍ଷ ହୋଇଛନ୍ତି । ଉଭୟ ମିଳିତ ଭାବେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ପୂର୍ବତନ ଦକ୍ଷିଣ ଆଫ୍ରିକା ଅଧିନାୟକ ଗ୍ରେମ୍ ସ୍ମିଥ୍ ୨୫ ଶତକ ସହ ଶୀର୍ଷରେ ରହିଛନ୍ତି । ଚଳିତବର୍ଷ କୋହଲି ନିଜର ପ୍ରଥମ ଟେଷ୍ଟ୍ ଶତକ ହାସଲ କରିବା ସହିତ ଶୁକ୍ରବାର ପାଳି ଅବସରରେ ମଧ୍ୟ ୭,୦୦୦ ରନ୍ ଅତିକ୍ରମ କରିଥିଲେ ।