ବିଜେପି ଛାଡ଼ିଲେ ଅଶୋକ ପାଣିଗ୍ରାହୀ
ବିଜେପି ଛାଡ଼ିଲେ ଅଶୋକ ପାଣିଗ୍ରାହୀ
admin
Oct 12, 2019 - 11:36
Updated: Oct 12, 2019 - 11:36
ଭୁବନେଶ୍ୱର : ବିଜେପିରୁ ଅଶୋକ ପାଣିଗ୍ରାହୀ ଇସ୍ତଫା ଦେଇଛନ୍ତି । ଦଳରେ ତାଙ୍କୁ କେହି ଗୁରୁତ୍ୱ ଦେଲେନି ଓ ପଚାରିଲେନି ବୋଲି ଅଭିଯୋଗ କରି ଅଶୋକ ଦଳ ଛାଡ଼ିଛନ୍ତି । ବିଜେପୁର ଉପନିର୍ବାଚନ ପାଇଁ ମଇଦାନରେ ପ୍ରଚାର ସରଗରମ ଚାଲିଥିବାବେଳେ ଅଶୋକ ବିଜେପି ଛାଡ଼ିବା ଦଳକୁ ଝଟକା ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି ।
ଦଳରୁ ଇସ୍ତଫା ଦେବା ପରେ ଶ୍ରୀ ପାଣିଗ୍ରାହୀ କହିଛନ୍ତିଯେ, ଦଳରେ ତାଙ୍କୁ କେହି ପଚାରିଲେନାହିଁ । ଦଳ ତାଙ୍କୁ ବିଶ୍ୱାସ ନକରି କୌଣସି ଦାୟିତ୍ୱ ମଧ୍ୟ ଦେଲାନାହିଁ । କର୍ମୀମାନଙ୍କ ପରାମର୍ଶରେ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି । ଦଳରେ ଅଣଦେଖା ପାଇଁ ସେ ସାଂଗଠନିକ ଦାୟିତ୍ୱରେ ଥିବା ନେତାଙ୍କୁ ଦାୟୀ କରିଛନ୍ତି । ତେବେ ବିଜେଡ଼ିକୁ ଯିବାନେଇ ସମ୍ଭାବନା ନଥିବା ସେ କହିଛନ୍ତି । ମୁଁ ସେମାନଙ୍କ ସହ କିଛି ସମ୍ପର୍କ ରଖିନି କି ଅଫର ପାଇନାହିଁ ବୋଲି ସେ କହିଛନ୍ତି । ତେବେ ପରବର୍ତ୍ତୀ କାର୍ଯ୍ୟପନ୍ଥା କଣ ହେବ ପ୍ରଶ୍ନରେ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ଏରିଆକୁ ଯାଇ କର୍ମୀମାନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବି । ଏପରିକି ଯଦି କର୍ମୀମାନେ କହିବେ ତେବେ ବିଜେପି ବିରୋଧରେ ପ୍ରଚାର କରିବେ ବୋଲି ସେ କହିଛନ୍ତି ।
୨୦ ୧୮ ଉପନିର୍ବାଚନ ପୂର୍ବରୁ ଅଶୋକ ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ତାଙ୍କର ୨୦ ହଜାରରୁ ଉଦ୍ଧ୍ୱର୍ ପକେଟ ଭୋଟ ଥିବାରୁ ଦଳ ତାଙ୍କୁ ପ୍ରାର୍ଥୀ ମଧ୍ୟ କରିଥିଲା । କିନ୍ତୁ ହାଇଭୋଲଟେଜ ଉପନିର୍ବାଚନରେ ସେ ୪୦ ହଜାରରୁ ଉଦ୍ଧ୍ୱର୍ ଭୋଟରେ ପରାସ୍ତ ହୋଇଥିଲେ । ତେବେ ସେତେବେଳେ ଅଶୋକଙ୍କୁ ପ୍ରାର୍ଥୀ କରାଯିବାରୁ ବିଜେପିରେ ବି ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଅଶୋକ ବିଜେପିରେ ଯୋଗଦେଇ ଟିକେଟ ପାଇଥିବାରୁ କେତେକ ବିଜେପି ନେତା ଦଳ ଛାଡ଼ି ଶଙ୍ଖ ଫୁଙ୍କିବାକୁ ବାଧ୍ୟ ହୋଇଥିଲେ । ତେବେ ଉପନିର୍ବାଚନ ପରେ ପରେ ଅଶୋକଙ୍କୁ ଦଳ ଆଉ ଗୁରୁତ୍ୱ ଦେଇନଥିଲା । ଗତ ସାଧାରଣ ନିର୍ବାଚନରେ ଦଳ ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରିଥିଲା । ସେବେଠାରୁ ଅଶୋକ ବିଜେପି ଉପରେ କ୍ଷୁବ୍ଧ ଥିଲେ ।
ତେବେ ଚଳିତ ଉପନିର୍ବାଚନରେ ସେ ପ୍ରାର୍ଥୀ ହେବାପାଇଁ ଆଗ୍ରହୀ ଥିଲେ । କିନ୍ତୁ ପୁନଶ୍ଚ ସନତ ପ୍ରାର୍ଥୀ ହେବାରୁ ସେ କ୍ଷୋଭ ପ୍ରକାଶ କରିବା ସହ ଦଳୀୟ ନେତୃବୃନ୍ଦଙ୍କୁ ସମାଲୋଚନା କରିଥିଲେ ।