ଭଗବାନ ସର୍ବତ୍ର ବିଦ୍ୟମାନ, ମନ୍ଦିର ଭଙ୍ଗାରେ ଲାଗିବନି ରୋକ୍: ମାଡ୍ରାସ ହାଇକୋର୍ଟ

ଭଗବାନ ସର୍ବତ୍ର ବିଦ୍ୟମାନ, ମନ୍ଦିର ଭଙ୍ଗାରେ ଲାଗିବନି ରୋକ୍: ମାଡ୍ରାସ ହାଇକୋର୍ଟ

ଭଗବାନ ସର୍ବତ୍ର ବିଦ୍ୟମାନ, ମନ୍ଦିର ଭଙ୍ଗାରେ ଲାଗିବନି ରୋକ୍: ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ଭଗବାନ ସର୍ବତ୍ର ବିଦ୍ୟମାନ। ଜବରଦଖଲ ଜମିରେ ମନ୍ଦିର କେବେ ହେଲେ ସମ୍ଭବ ନୁହେଁ। ତେଣୁ ମନ୍ଦିର ଭଙ୍ଗା ଉପରେ ଲାଗିବ ନାହିଁ ରୋକ। ଶୁକ୍ରବାର ଏପରି କିଛି କିଛି କହିଛନ୍ତି ମାଡ୍ରାସ ହାଇକୋର୍ଟ। ଏଥିସହ ସର୍ବସାଧାରଣ ଜମିରେ ଥିବା ଗୋଟିଏ ମନ୍ଦିରର ଉଚ୍ଛେଦ ଉପରେ ରୋକ ଲଗାଇବାକୁ ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି।

ଜଷ୍ଟିସ ଏସ୍ ବୈଦ୍ୟନାଥ ଓ ଜଷ୍ଟିସ ଡି ଭାରତ ଚକ୍ରବର୍ତ୍ତୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଆବେଦନକାରୀ ଜବରଦଖଲ ଜମିରେ ଗୋଟିଏ ମନ୍ଦିର ତିଆରି କରିଛନ୍ତି। ମନ୍ଦିର ପାଇଁ ଜାତୀୟ ରାଜପଥର ଜମିକୁ ହଡ଼ପ କରିବାକୁ ଦିଆଯିବନି। କାରଣ ଏହା ଏକ ସର୍ବସାଧାରଣ ସମ୍ପତ୍ତି। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଏହି ସର୍ବସାଧାରଣ ଜମି ଉପରେ ସମସ୍ତଙ୍କ ଅଧିକାର ରହିଛି।

ଯଦି ଆବେଦନକାରୀ ଶ୍ରଦ୍ଧାଳୁମାନେ ଭଗବାନଙ୍କ ପୂଜା କରନ୍ତୁ ବୋଲି ଚାହୁଁଛନ୍ତି, ତା’ହେଲେ ସେ ନିଜ ଇଚ୍ଛାରେ ଅନ୍ୟ କୌଣସି ଜମି କିମ୍ବା ମନ୍ଦିରର ଯେକୌଣସି ଜମି ବ୍ୟବହାର କରିପାରିବେ। ସେମିତି କିଛି ଜମି ଥିଲେ ଭଗବାନଙ୍କ ପ୍ରତିମୂର୍ତ୍ତିକୁ ସେଠାକୁ ସ୍ଥାନାନ୍ତର ମଧ୍ୟ କରିପାରିବେ। କିନ୍ତୁ ସର୍ବସାଧାରଣ ଜମିରେ ମନ୍ଦିର କେବେ ହେଲେ ସମ୍ଭବ ନୁହେଁ। ତାମିଲନାଡୁର ପେରାମ୍ବାଲୁର ଜିଲ୍ଲାର ଭେପ୍ପାନଥାଟ୍ଟାଇ ସ୍ଥିତ ଗୋଟିଏ ମନ୍ଦିରକୁ ଉଚ୍ଛେଦ କରିବାକୁ ରାଜ୍ୟ ରାଜପଥ ବିଭାଗ ଚାହୁଁଛି। ଏହା ଜାତୀୟ ରାଜପଥ ଜମିରେ ଥିବାରୁ ବିଭାଗ ପକ୍ଷରୁ ମନ୍ଦିର କର୍ତ୍ତୃପକ୍ଷଙ୍କୁ ନୋଟିସ କରାଯାଇଥିଲା। ଏହା ବିରୋଧରେ ଏସ୍ ପେରିୟାସାମୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଆବେଦନର ଶୁଣାଣି କରି ଶୁକ୍ରବାର ମାଡ୍ରାସ ହାଇକୋର୍ଟ ଏପରି ମତ ରଖିଛନ୍ତି।

ମନ୍ଦିର ଦ୍ୱାରା ଦୀର୍ଘ ବର୍ଷ ହେଲା କୌଣସି ଟ୍ରାଫିକ ସମସ୍ୟା ସ୍ୟଷ୍ଟି ହେଉନାହିଁ ଓ ଶ୍ରଦ୍ଧାଳୁଙ୍କ ଭାବାବେଗ ପାଇଁ ସର୍ବସାଧାରଣ ଜମିରେ ମନ୍ଦିର ନିର୍ମାଣ ହୋଇଛି ବୋଲି କହିବା ଯଥାର୍ଥ ନୁହେଁ। ଆବେଦନକାରୀ ଉକ୍ତ ଜମିର ମାଲିକାନା ମନ୍ଦିର ଟ୍ରଷ୍ଟ ଅଧୀନରେ ରହିଛି ବୋଲି କୌଣସି ପ୍ରମାଣ ନାହିଁ।

ସେହିପରି ଯଦି ଆମେ ଆବେଦନକାରୀଙ୍କ ଦାବିକୁ ମାନି ନେଉଛୁ, ତା’ହେଲେ ସବୁ ସର୍ବସାଧାରଣ ଜମିରେ ଅନେକ ଲୋକ ଧର୍ମାନୁଷ୍ଠାନ ନିର୍ମାଣ କରିବାକୁ ଅଧିକାର ପାଇଯିବେ। ଧର୍ମାନୁଷ୍ଠାନ ଦ୍ୱାରା କୌଣସି କ୍ଷତି ହେଉନି ବୋଲି ଆବେଦନ ଆମ ପାଖକୁ ଆସିବ। ତେଣୁ ସର୍ବସାଧାରଣ ଜମିରେ ମନ୍ଦିର କେବେ ହେଲେ ଗ୍ରହଣୀୟ ନୁହେଁ।