ଭୁବନେଶ୍ବର ଏକ ନମ୍ବର ହାଟରେ ନିଆଁ, ମଞ୍ଚେଶ୍ବରରେ ଟ୍ରକ୍ ଜଳିଗଲା

ଭୁବନେଶ୍ୱର ମଞ୍ଚେଶ୍ଵର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ଦୁଇଟ୍ ଟ୍ରକ୍ । ଗୋଟିଏ ଟ୍ରକର କ୍ୟାବିନ୍ ଇଂଜିନ ଜଳି ଯାଇଥିବା ବେଳେ ଆଉ ଗୋଟିଏ ଟ୍ରକ୍ ସାମାନ୍ୟ ଜଳି ଯାଇଛି । ଉପସ୍ଥିତ ଲୋକ ଓ ଦମକଳ ବାହିନୀର ତ୍ବରିତ ପଦକ୍ଷେପ ପାଇଁ ବର୍ତି ଯାଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ସ୍ଥାନୀୟ ଲୋକଙ୍କ ସୁଚନା ଅନୁସାରେ ମହିନ୍ଦ୍ରା ଛକ ଥିବା ଅଳିଆ ଗଦାରେ କେହି ଜଣେ ଶନିବାର ସଂଧ୍ୟାରେ ନିଆଁ ଲଗାଇ ଦେଇଥିଲା । ଅଳିଆ ଗଦାରେ ନିଆଁ ହୁତୁ ହୁତୁ ହୋଇ ଜଳିବାରୁ ଲୋକେ ଛାନିଆଁ ହୋଇ ପଡ଼ିଥିଲେ। ଫଳରେ ନିକଟରେ ଥୁଆ ହୋଇଥିବା ୨ଟି ଆଇଚର ଟ୍ରକ୍ ନିକଟକୁ ନିଆଁ ବ୍ୟାପି ଯାଇଥିଲା । ଲୋକମାନେ ଅକ୍ଲାନ୍ତ ପରିଶ୍ରମ କରି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଲୋକମାନେ ୨ ଗାଡ଼ିକୁ ପଛକୁ ଠେଲି ଠେଲି ନେଇ ଯାଇଥିଲେ। ଖବରପାଇ ଦମ୍କଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ମହିନ୍ଦ୍ର ସୋ ରୁମ ଛକରୁ କେନାଲ ବନ୍ଧକୁ ଯାଇଥିବା ରାସ୍ତା କଡ଼ରେ ଦୀର୍ଘଦିନ ହେବ ଅଳିଆ ଗଦା ହୋଇ ରହିଛି । ଅନ୍ୟ ପଟେ ନିଶାଡିମାନେ ନିଶା ଖାଇ ନିଆଁ ଲଗେଇ ଦେଇଥିବା ଚର୍ଚା ହେଉଛି।
ସେପଟେ ଏକ ନମ୍ବର ହାଟରେ ବଡ ଧରଣରେ ଅଗ୍ନିକାଣ୍ଡ ଘଟି ଯାଇଛି । ହାଟରେ ଥିବା 4ଟି କଂଚା ପରିବା ଗୋଦାମରେ ଶନିବାର ରାତିରେ ଭୟଙ୍କର ନିଆଁ ଲାଗି ଯାଇଥିଲା । ଠିକ୍ ସମୟରେ ଦମକଳ ବିଭାଗ ପହଂଚି ନିଆଁକୁ ଲିବାଇଥିଲା । ନଚେତ୍ ପୁରା ହାଟରେ ନିଆଁ ବ୍ୟାପୀ ଯିବାର ସମ୍ଭାବନା ଥିଲା । ହାଟ ଶ୍ରମିକଙ୍କ ସୁଚନା ଅନୁସାରେ ସେମାନେ ରାତି 11ଟା ସୁଦ୍ଧା ଖାଇପିଇ ସାରି ଗୋଦାମରେ ଶୋଇ ପଡିଥିଲେ, ତେବେ ରାତି ପ୍ରାୟ ଗୋଟାଏ ବେଳେ ହଠାତ୍ ନିଆଁ ଲାଗିଯାଇଥିବା ଦେଖିବାକୁ ପାଇଥିଲେ ଲୋକେ । ଚିତ୍କାର କରିବାରୁ ଅନ୍ୟମାନେ ଉଠି ନିଆଁ ଲିଭାବାରେ ଲାଗିଥିଲେ । ଗୋଦାମରେ ବାଉଁଶ ତାଟି, ପ୍ଲାଷ୍ଟିକ୍ ଡାଲା, ଟ୍ରେ, ଶୁଖିଲା କାଠ ଥିବାରୁ ନିଆଁ ଭୟଙ୍କର ବ୍ୟାପି ଯାଇଥିଲା । ତେବେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲା । ନହେଲେ ସାରା ହାଟକୁ ନିଆଁ ବ୍ୟାପିବାର ସମ୍ଭାବନା ଥିଲା ।