ଭବାନୀପାଟଣାରେ କଣ କହିଲେ ମୋଦୀ

ଭବାନୀପାଟଣାରେ କଣ କହିଲେ ମୋଦୀ

ଭୁବନେଶ୍ୱର : ଭବାନୀପାଟଣାର କ୍ରୀଷ୍ଣାନଗର ପଡ଼ିଆରେ ବିଜୟ ସଂକଳ୍ପ ସମାବେଶରେ ଜନତାଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତଙ୍କୁ ଜୁହାର କହି ଓ ବରପୁତ୍ର ମାନଙ୍କୁ ଶ୍ରଦ୍ଧାସୁମନ ଜଣାଇ ଭାଷଣ ଆରମ୍ଭ କଲେ ମୋଦୀ । ଗତ ୫ ବର୍ଷ ମଧ୍ୟରେ ସେ ଜମା ଛୁଟି ନେଇନାହାନ୍ତି । ଜଣେ ଯେତିକି ପରିଶ୍ରମ କରିପାରିବ ସେ ସେତିକି କାର‌୍ୟ୍ୟ କରି ଚାଲିଛନ୍ତି । ଦେଶ ପରବର୍ତନର ସମସ୍ତ ଶ୍ରେୟ ଦେଶବାସୀଙ୍କର । ଦେଶ ହିତ ପାଇଁ ନିଆଯାଇଥିବା ବହୁ ବଡ଼ ଓ କଠିନ ନିଷ୍ପତିକୁ ଓଡ଼ିଶାର ଜନତା ସମର୍ଥନ କରି ଚୌକିଦାର ସହ ଠିଆ ହୋଇଛନ୍ତି । ବିଗତ ୫ ବର୍ଷରେ ୮ ଲକ୍ଷ ପରିବାରକୁ ପକ୍କା ଘର ମିଳିଛି । ୨୪ ଲକ୍ଷ ଘରକୁ ମୁକ୍ତ ବିଜୁଳି ସଂଯୋଗ ମିଳିଛି । ଓଡ଼ିଶାର ୩ ହଜାର ଗାଁକୁ ବିଜୁଳି ପହଁଚିଛି । ଗାଁରେ ଉଜ୍ଜ୍ୱଳା ପହଁଚିଛି । ୧ କୋଟି ୪୦ ଲକ୍ଷ ଲୋକଙ୍କ ବ୍ୟାଙ୍କ ଖାତା ଖୋଲାଯାଇଛି । ୫୦ ଲକ୍ଷ ଶୌଚାଳୟ ନିର୍ମାଣ କରାଯାଇଛି । ଏହି କାମ ମୋଦି କରିଛନ୍ତି ବୋଲି ସମସ୍ତେ କହୁଛନ୍ତି । ହେଲେ ଏହା ଭୁଲ । ଆପଣଙ୍କ ଭୋଟ ହିଁ ଗରିବଙ୍କ ମନରେ ଆଶା ସୃଷ୍ଟି କରିଛି । ମୋଦି କେବଳ ଜଣେ ସେବକ । ଆପଣ ହିଁ ଏହି ସଫଳତାର ହକଦାର ବୋଲି ମୋଦି କହିଛନ୍ତି । ଆପଣଙ୍କ ଭାଗ୍ୟ ବିଧାତା କେଉଁ ପରିବାର ନୁହେଁ, ଆପଣ ନିଜେ ହିଁ ଆପଣଙ୍କ ଭାଗ୍ୟ ବିଧାତା । ୨୦୧୯ରେ ଯଦି ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ହେବେ ତେବେ ବିକାଶ ଆହୁରି ଜୋର ଧରିବ । ବର୍ତମାନର ସରକାର ସହଯୋଗ କରୁନଥିବାରୁ ଅନେକ ଯୋଜନା ଲୋକଙ୍କ ପାଖରେ ପହଁଚି ପାରୁନାହିଁ ବୋଲି ମୋଦି କହିଥିଲେ । ବିଜେଡ଼ି ଓ କଂଗ୍ରେସ ଗରିବଙ୍କୁ ଗରିବ ରଖିବା ପାଇଁ ଷଡ଼ଯନ୍ତ୍ର କରିଛନ୍ତି । ଗରିବଙ୍କୁ ସେମାନେ ଭୋଟ ବ୍ୟାଙ୍କ ଭାବୁଛନ୍ତି । ପ୍ରତି ନିର୍ବାଚନ ପରେ ସେମାନେ ଗରିବକୁ ଧୋକ୍କା ଦେଉଛନ୍ତି । ଯେଉଁଥିପାଇଁ କେତେ ଦାନ ମାଝୀଙ୍କୁ ଆମ୍ବୁଲାନ୍ସ ମିଳିପାରୁନାହିଁ । ଯୁବକମାନଙ୍କୁ ବାହାରକୁ ଦାଦନ ଖଟିବାକୁ ଯିବାକୁ ପଡ଼ୁଛି । କଳାହାଣ୍ଡି ସହ କଂଗ୍ରେସର ପରିଚୟ ରହିଛି । କଳହାଣ୍ଡିରେ ରାଜୀବ ଗାନ୍ଧୀ କହିଥିଲେ, ସେ ଦିଲ୍ଲୀରେ ଟଙ୍କାଏ ପଠାଉଛନ୍ତି ହେଲେ ଆଦିବାସୀଙ୍କ ପାଖରେ ୧୫ ପଇସା ପହଁଚୁଛି । ପଂଚାୟତରୁ ପାର୍ଲାମେଂଟ ପର‌୍ୟ୍ୟନ୍ତ କଂଗ୍ରେସ କ୍ଷମତାରେ ରହିଥିଲା । ଏତେ ବର୍ଷ ଶାସନ ସରିବା ପରେ ବି କଂଗ୍ରେସ ଦେଶରୁ ଗରିବୀ ସମାପ୍ତ କରିପାରିଲା ନାହିଁ । ନିର୍ବାଚନ ଆସିଲେ ଗରିବୀ, ଗରିବୀ, ଗରିବୀ ବୋଲି ସ୍ଲୋଗାନ ଦିଅନ୍ତି । ହେଲେ ଗତ ୫ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଯେଉଁ ଶହେ ପଇସା ପଠାନ୍ତି ତାହା ଗରିବଙ୍କ ଖାତାରେ ପହଁଚି ପାରୁଛି ବୋଲି ମୋଦି କହିଥିଲେ ।