ମନ୍ତ୍ରୀ ମାନିଲେ ଦର ବଢିଛି
ମନ୍ତ୍ରୀ ମାନିଲେ ଦର ବଢିଛି
admin
Nov 20, 2019 - 07:19
Updated: Nov 20, 2019 - 07:19
ଭୁବନେଶ୍ୱର: ରାଜ୍ୟରେ ପନିପରିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପାଇବାରେ ଲାଗିଛି। ତେଲ, ଡାଲିଠାରୁ ଆରମ୍ଭ କରି ଅଧିକାଂଶ ସାମଗ୍ରୀର ମୂଲ୍ୟ ବଢ଼ି ଚାଲିଛି। ଫଳରେ ଖାଉଟି ବହୁ ହନ୍ତସନ୍ତ ହେଉଛି। ଏହାକୁ ନେଇ ବୁଧବାର ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି। ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଦର ବୃଦ୍ଧିକୁ ସ୍ବୀକାର କରିଛନ୍ତି।
ରାଜ୍ୟରେ ଅହେତୁକ ଖାଦ୍ୟ ଦର ବୃଦ୍ଧି ନେଇ ଆଜି ଗୃହରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉତ୍ତର ରଖିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ଡାଲି, ଖାଇବା ତେଲ, ଆଳୁ ଓ ପିଆଜ ଦର ବୃଦ୍ଧି ପାଇଛି । ତେବେ ଏହି ସାମୟିକ ଦର ବୃଦ୍ଧିକୁ ଜାତୀୟ ସମସ୍ୟା ବୋଲି ମନ୍ତ୍ରୀ କହିଛନ୍ତି ।
ସେ କହିଛନ୍ତି ଯେ, ଏହି ସବୁ ସାମଗ୍ରୀ ପାଇଁ ଆମେ ପେଡ଼ାଶୀ ରାଜ୍ୟ ଉପରେ ନିର୍ଭର କରୁ । ସେହିପରି ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେବାକୁ ଯାଇ ମନ୍ତ୍ରୀ କହିଛନ୍ତି ଯେ, ସରକାର ବ୍ୟବସାୟୀଙ୍କ ସହ ବୈଠକ କରି ଦର ଉପରେ ନଜର ରଖିଛନ୍ତି । କଳାବଜାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଧଶ ଦିଆଯାଇଛି । ଆଳୁ, ପିଆଜ ପାଇଁ ଷ୍ଟୋରେଜ କଣ୍ଟ୍ରୋଲ ଅର୍ଡର ଲାଗୁ ହୋଇଛି । କେନ୍ଦ୍ର ସହ ସମନ୍ୱୟ ରଖି ୧୦୦ କୋଟିର ଏକ ପାଣ୍ଠି ଗଠନ ହୋଇଛି । ରାଜ୍ୟ ସରକାର ସୁଲଭ ଦରରେ ପିଆଜ ବିକ୍ରି କରୁଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।