ମହାବଳ ନଖ କହି ବିକୁଥିଲା କଲରାପତରିଆ ନଖ, ତା’ ପରେ କ’ଣ ହେଲା ପଢ଼ନ୍ତୁ
ମହାବଳ ନଖ କହି ବିକୁଥିଲା କଲରାପତରିଆ ନଖ, ତା’ ପରେ କ’ଣ ହେଲା ପଢ଼ନ୍ତୁ
ସମ୍ବଲପୁର : ମହାବଳ ବାଘ ନଖ ରଖିଲେ ଧନ ସଂପତ୍ତି ବଢ଼ିଥାଏ। ଭାଗ୍ୟର ପରିବର୍ତ୍ତନ ହୋଇଥାଏ। ବାଘ ନଖକୁ ହାତର ମୁଦି କରି କିମ୍ବା କେହି କେହି ବେକରେ ପଦକ କରି ପକାଇଥାନ୍ତି। ଲୋକମାନଙ୍କ ଏହି ବିଶ୍ବାସକୁ ନେଇ ଶିକାରୀମାନେ ବାଘ ଶିକାର କରିଥାନ୍ତି। ବାଘ ଏକ ବିରଳ ପ୍ରାଣୀ ହୋଇଥିଲେ ମଧ୍ୟ ଶିକାରୀ କଳବଳ କୌଶଳ ଖର୍ଚ୍ଚ କରି ବାଘ ଶିକାର କରିଥାନ୍ତି। ତେବେ ଏବେ ଚତୁର ଶିକାରୀ ଓ ବେଆଇନ୍ ବେପାରୀ, କଲରାପତରିଆ ବାଘର ନଖକୁ ବାଘ ନଖ କହି ମୋଟା ମୂଲ୍ୟରେ ବିକ୍ରି କରୁଛନ୍ତି। ଏମିତି ଏକ ଚତୁର ବେପାରୀକୁ ଗିରଫ କରିଛି ସମ୍ବଲପୁର ପୁଲିସ ଏବଂ ଜଙ୍ଗଲ ବିଭାଗ। ସମ୍ବଲପୁର ଜିଲ୍ଲା ହୀରାକୁଦ ରେଂଜ୍ ଡିଏଫ୍ଓ ଅନୁଶ ପ୍ରଜ୍ଞା ଦାସ ବିଶେଷ ସୂତ୍ରରୁ ଖବର ପାଇ ସମ୍ବଲପୁର ପୁଲିସ ସହାୟତାରେ ଚଢ଼ଉ କରିଥିଲେ। ଏହି ମୂଲ୍ୟବାନ ପଶୁ ସଂପଦର ବିକ୍ରୟ ପାଇଁ ମୂଲଚାଲ ଚାଲୁଥିବା ବେଳେ ଜଣେ ମଧ୍ୟସ୍ଥିକୁ ଉଭୟ ଜଙ୍ଗଲ ବିଭାଗ କର୍ମଚାରୀ ଓ ପୁଲିସ କାବୁ କରି ନେଇଥିଲେ। ଗିରଫ ଯୁବକ ହେଲା ଆକାଶ ଅଗ୍ରୱାଲ୍ (୩୭)। ତା’ ନିକଟରୁ ଚିତାବାଘ ନଖ, ଜଙ୍ଗଲୀ କୁକୁର ଚମଡ଼ା, ରୁମ, ବଜ୍ରକାପ୍ତା ଖୋଳପା ଜବତ କରାଯାଇଛି। ସଂପୃକ୍ତ ଯୁବକକୁ କୋର୍ଟ ଚାଲାଣ କରାଯାଇଛି। ବାଘ ନଖ କହି କଲରାପତରିଆ ବାଘ ନଖକୁ ୫ ହଜାର ଟଙ୍କାରେ ବିକ୍ରି କରାଯାଉଥିଲା। ହୀରାକୁଦ ଜଳଭଣ୍ଡାରକୁ ଲାଗି ରହିଥିବା ଦ୍ରେବିଗଡ଼ ସଂରକ୍ଷିତ ଅଭୟାରଣ୍ୟରେ କଲରାପତରିଆ ବାଘ ଦେଖାଯାଆନ୍ତି। ସମ୍ଭବତଃ ଏହି ଅଭୟାରଣ୍ୟରୁ ଚିତାବାଘ ନଖ ସଂଗ୍ରହ କରାଯାଇଥିବା ଅନୁମନ କରାଯାଉଛି। ଜଙ୍ଗଲବିଭାଗ ଏହା ଉପରେ ଅଧିକ ତଦନ୍ତ ଚଳାଇବା ସହିତ ଏହି କାରବାରରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।




admin 