ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
କାମାକ୍ଷାନଗର: ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ତୁନରଗଡ଼ି ଗାଁରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ମୃତ ମହିଳା ତୁନରଗଡ଼ି ଗ୍ରାମରା ନବ କିଶୋର କବାଟଙ୍କ ପତ୍ନୀ ରିଙ୍କି ଓରଫ ନିରୁପମା ମହାଖୁଡ଼ (୨୬) । ପୁଲିସ ସ୍ୱାମୀକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି । ପୁଲିସ ସୂତ୍ରରୁ ପ୍ରକାଶ, ନବକିଶୋର ୩ ବର୍ଷ ତଳେ ଭୁବନ ଥାନା ବଡ଼କାଠିଆ ଗାଁର ନିରୁପମାକୁ ବିବାହ କରିଥିଲେ । ବିଭିନ୍ନ କାରଣ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା । ରିଙ୍କି ମୋବାଇଲରେ କଥା ହେବାକୁ ନବକିଶୋର ପସନ୍ଦ କରୁନଥିଲେ । ଗୁରୁବାର ସନ୍ଧ୍ୟାରେ ରିଙ୍କି ମୋବାଇଲରେ କଥା ହେଉଥିବା ବେଳେ ନବକିଶୋର ତାଙ୍କୁ ବାରଣ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ନବକିଶୋର ତାଙ୍କୁ ମାଡ଼ ମାରିଥିଲେ । ଏହି ଘଟଣାକୁ ନେଇ ରାତି ପ୍ରାୟ ଗୋଟାଏ ସମୟରେ ରିଙ୍କି ଘରକୁ ଲାଗିଥିବା ଛୋଟ ଚାଳ ଘରେ କିରୋସିନି ଢ଼ାଳି ଆତ୍ମହତ୍ୟା କରିଥିବା ନବକିଶୋର ପୁଲିସ ଆଗରେ ସଫେଇ ଦେଇଛନ୍ତି । ଅନ୍ୟ ପଟେ ନବକିଶୋର ଏ ସମ୍ପର୍କରେ ରାତିରେ କାହାକୁ ଜଣାଇନଥିବା ବେଳେ ସକାଳେ ସାହି ପଡିଶା ଘଟଣା ସମ୍ପର୍କରେ ଜାଣି ରିଙ୍କିଙ୍କ ପରିବାର ଲୋକ ଓ ପୁଲିସକୁ ସୂଚନା ଦେଇଥିଲେ । ବାପା-ମା’ ଛେଉଣ୍ଡ ରିଙ୍କିଙ୍କୁ ତାଙ୍କ ସ୍ୱାମୀ ନବକିଶୋର ହତ୍ୟା କରି ଯୋଜନାବଦ୍ଧ ଭାବେ ଚାଳଘରେ ନିଅାଁ ଲଗାଇ ଆତ୍ମହତ୍ୟା ରୂପ ଦେଇଥିବା ରିଙ୍କିଙ୍କ ପିଉସା ପୂର୍ଣ୍ଣଚନ୍ଦ୍ର ମହାଙ୍କୁଡ ଓ ଦାଦା କହ୍ନେଇ ମହାଙ୍କୁଡ଼ ଅଭିଯୋଗ କରିଛନ୍ତି । ରିଙ୍କିଙ୍କ ଭାଇ ଆଦିତ୍ୟ କଙ୍କଡ଼ାହାଡ଼ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।