ମାଟ୍ରିକ ପରୀକ୍ଷା ତଦାରଖ ପାଇଁ ୧୪୦ଟି ସ୍କ୍ୱାଡ୍ ଗଠନ
ମାଟ୍ରିକ ପରୀକ୍ଷା ତଦାରଖ ପାଇଁ ୧୪୦ଟି ସ୍କ୍ୱାଡ୍ ଗଠନ
admin
Mar 26, 2021 - 10:45
Updated: Mar 26, 2021 - 10:45
କଟକ: ଆସନ୍ତା ମେ’ ୩ ତାରିଖରୁ ଆରମ୍ଭ ହେଉଥିବା ମାଟ୍ରିକ ପରୀକ୍ଷା ପାଇଁ ଚଳିତବର୍ଷ ୩୨୨୧ଟି ସେଣ୍ଟର ଚୂଡାନ୍ତ ହୋଇଥିଲାବେଳେ ପରୀକ୍ଷା ପରିଚାଳନା ବ୍ୟବସ୍ଥା ତଦାରଖ ପାଇଁ ୧୪୦ଟି ସ୍କ୍ୱାଡ୍ ଗଠନ କରାଯାଇଛି । ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଦୁଇ ପର୍ୟ୍ୟାୟରେ ସ୍କ୍ୱାଡ୍ ଗଠନ କରାଯାଇଛି । ସେହିକ୍ରମରେ ଏଥର ବୋର୍ଡ ପକ୍ଷରୁ ୪୦ଟି ସ୍କ୍ୱାଡ୍ ଗଠନ କରାଯାଇଥିଲାବେଳେ ଜିଲ୍ଲାସ୍ତରରେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ମାନଙ୍କ ଦ୍ୱାରା ମୋଟ୍ ୧୦୦ଟି ସ୍କ୍ୱାଡ୍ ଗଠନ କରାଯାଇଛି । ଏହି ସ୍କ୍ୱାଡ୍ ପରୀକ୍ଷା ପରିଚାଳନା ବ୍ୟବସ୍ଥା ଏବଂ ସେଣ୍ଟର୍ ଉପରେ ନଜର ରଖିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ଜିଲ୍ଲାସ୍ତରରେ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓଙ୍କ) ସ୍ତରରେ ଗଠିତ ସ୍କ୍ୱାଡ୍ରେ ଓଇଏସ୍ ଅଫିସର ଏବଂ ବରିଷ୍ଠ ଶିକ୍ଷକଙ୍କ ସମେତ କଲେଜ୍ର ବରିଷ୍ଠ ଅଧ୍ୟାପକମାନଙ୍କୁ ନିୟୋଜିତ କରାଯାଇଛି ।
ଏହାବାଦ୍ ସରକାରଙ୍କ ପକ୍ଷରୁ ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର ପର୍ୟ୍ୟବେକ୍ଷକ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ସେଣ୍ଟର୍ ପାଇଁ ପର୍ୟ୍ୟବେକ୍ଷକ ନିୟୋଜିତ ପାଇଁ ବୋର୍ଡ କର୍ତ୍ତୃପକ୍ଷ ଜିଲ୍ଲାପାଳମାନଙ୍କୁ ଚିଠି କରିଛନ୍ତି । ଜିଲ୍ଲା ସ୍ତରରେ ପ୍ରତି ସେଣ୍ଟର ପାଇଁ ନିୟୋଜିତ ଥିବା ପର୍ୟ୍ୟବେକ୍ଷକମାନେ ପରୀକ୍ଷା ପରିଚାଳନା ବ୍ୟବସ୍ଥାର ଟିକିନିଖି ଅନୁଧ୍ୟାନ କରିବେ । ଏପରିକି ସେଣ୍ଟର ଭିତକୁ ପରୀକ୍ଷାର୍ଥୀଙ୍କ ପ୍ରବେଶ, ଯାଞ୍ଚ, ଧାର୍ୟ୍ୟ ସମୟରେ ପ୍ରଶ୍ନପତ୍ର ପ୍ୟାକେଟ୍ ଖୋଲାଯିବା ଏବଂ ପରୀକ୍ଷାର୍ଥୀଙ୍କଠାରୁ ଉତ୍ତର ଖାତା ସଂଗ୍ରହ ପରେ ସୁରକ୍ଷିତ ଢଙ୍ଗରେ ପ୍ୟାକିଙ୍ଗ୍ କରାଯାଇ ନୋଡାଲ୍ ସେଣ୍ଟରରେ ପହଞ୍ଚାଇବା ଆଦି କାର୍ୟ୍ୟର ତଦାରଖ କରିବା କାର୍ୟ୍ୟ ସେଣ୍ଟର ପର୍ୟ୍ୟବେକ୍ଷକ(ସେଣ୍ଟର ଅବଜର୍ଭର୍)ଙ୍କ ଉପରେ ନ୍ୟସ୍ତ କରାଯିବାର ବ୍ୟବସ୍ଥା ରହିଛି । ସେଣ୍ଟରରେ ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ସାମାନ୍ୟ ତ୍ରୁଟି ପରିଲକ୍ଷିତ ହେଲେ ପର୍ୟ୍ୟବେକ୍ଷକମାନେ ତୁରନ୍ତ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଜଣାଇବା ଲାଗି ବ୍ୟବସ୍ଥା ରହିଛି । ସେହିପରି ବୋର୍ଡ ପକ୍ଷରୁ ଗଠିତ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ରାଜ୍ୟର ବିଭିନ୍ନ ସେଣ୍ଟର୍ ଏବଂ ନୋଡାଲ୍ ସେଣ୍ଟର ଯାଞ୍ଚ୍ କରି ନିୟମିତ ବ୍ୟବଧାନରେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରିବେ ।
ସୂଚନାଯୋଗ୍ୟ,ଏଥିର ମାଟ୍ରିକ ପରୀକ୍ଷା ମେ’ ୩ ତାରିଖରୁ ଆରମ୍ଭ ହୋଇ ମେ’ ୧୫ ପର୍ୟ୍ୟନ୍ତ ଚାଲିବ ।