ମାଡ଼ି ଆସୁଛି ସାମୁଦ୍ରିକ ବାତ୍ୟା ନିଭାର , ପ୍ରବଳ ବର୍ଷିବ

ମାଡ଼ି ଆସୁଛି ସାମୁଦ୍ରିକ ବାତ୍ୟା ନିଭାର , ପ୍ରବଳ ବର୍ଷିବ

ମାଡ଼ି ଆସୁଛି ସାମୁଦ୍ରିକ ବାତ୍ୟା ନିଭାର , ପ୍ରବଳ ବର୍ଷିବ
ଭୁବନେଶ୍ୱର: ମାଡ଼ି ଆସୁଛି ଆଉ ଏକ ସାମୁଦ୍ରିକ ବାତ୍ୟା । ଭାରତ ମହାସାଗର ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ୨୫ ତାରିଖ ମଧ୍ୟାହ୍ନରୁ ଅପରାହ୍ନ ମଧ୍ୟରେ ପୁଡୁଚେରୀ ଓ ତାମିଲନାଡୁ ଉପକୂଳ ଦେଇ ଅତିକ୍ରମ କରିବ । ପାଣିପାଗ ବିଜ୍ଞାନୀମାନେ ଏହି ସମ୍ଭାବ୍ୟ ବାତ୍ୟାର ନାମ ‘ନିଭାର’ ରଖିଥିବା ଜଣାପଡ଼ିଛି । ତେବେ ଆଶ୍ୱସ୍ତିକର କଥା ହେଲା ଯେ ଓଡ଼ିଶା ଉପରେ ଏହାର ସିଧା ପ୍ରଭାବ ପଡ଼ିବ ନାହିଁ । ୨୫ ଓ ୨୬ ତାରିଖରେ ହାତଗଣତି କିଛି ଜିଲ୍ଲାକୁ ଛାଡ଼ିଦେଲେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ହେବ ଓ ଶୀତ କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ବିଶିଷ୍ଟ ପାଣିପାଗ ବିଶେଷଜ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ତାମିଲନାଡୁ ସମେତ ଦକ୍ଷିଣ ଭାରତରେ ବାତ୍ୟା ‘ନିଭାର’ର ବିଶେଷ ପ୍ରଭାବ ପଡ଼ିବ । ଓଡ଼ିଶାରେ କେବଳ ବର୍ଷା ହେବ । ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଓ ଭଦ୍ରକ ଆଦି ଜିଲ୍ଲାକୁ ଛାଡ଼ି ଦେଲେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହେବ । ୨୬ ତାରିଖରୁ ବର୍ଷା ବଢ଼ିବ । ଅତିରିକ୍ତ କୋରାପୁଟ, କଳାହାଣ୍ଡି, ବଲାଙ୍ଗୀରରେ ମଧ୍ୟମ ଧରଣର ଓ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ । ତେବେ ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ଢେ଼ଙ୍କାନାଳ ଓ ଅନୁଗୁଳରେ ସ୍ୱଳ୍ପ ବର୍ଷା ଓ ସ୍ଥାନେ ସ୍ଥାନେ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ ଓ ବାଲେଶ୍ୱରରେ ହାଲୁକା ବର୍ଷା ହୋଇପାରେ । ସମ୍ଭାବ୍ୟ ବାତ୍ୟା ଯୋଗୁଁ ୨୪ ତାରିଖରୁ ଶୀତ କମିବ । ୨୯ ତାରିଖରୁ ରାଜ୍ୟର ତାପମାତ୍ରା କମିବ, କିନ୍ତୁ ଡିସେମ୍ବର ୩ ପୂର୍ବରୁ ରାଜ୍ୟରେ ବିଶେଷ ଶୀତ ସମ୍ଭାବନା ନାହିଁ ବୋଲି ଡ.ପଶୁପାଳକ କହିଛନ୍ତି ।