ମିଳିଲା ନାଗାର୍ଜୁନ ବେଶରେ ହଜିଥିବା ଚନ୍ଦ୍ର ସୂର୍ଯ୍ୟ
ମିଳିଲା ନାଗାର୍ଜୁନ ବେଶରେ ହଜିଥିବା ଚନ୍ଦ୍ର ସୂର୍ଯ୍ୟ
admin
Dec 5, 2020 - 06:19
Updated: Dec 5, 2020 - 06:19
ପୁରୀ : ମହାପ୍ରଭୁଙ୍କ ନାଗାର୍ଜୁନ ବେଶରୁ ଚନ୍ଦ୍ର ଓ ସୂର୍ଯ୍ୟ ଗାଏବ ଘଟଣାର ତଦନ୍ତ ଚାଲିଥିବା ବେଳେ ବେଶର ମୁଖ୍ୟ କାରିଗର ବସନ୍ତ କୁମାର ରଣାଙ୍କ ଠାରୁ ଏହି ଚନ୍ଦ୍ର ଓ ସୂର୍ଯ୍ୟ ମିଳିଛି । ସକାଳୁ ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର ଜନୈକ ବ୍ୟକ୍ତିଙ୍କ ଜରିଆରେ ଏହାକୁ ତାଙ୍କ ଘରକୁ ପଠାଇଥିଲେ ବୋଲି ଶ୍ରୀ ରଣା ଗଣମାଧ୍ୟମ ଆଗରେ କହିଛନ୍ତି । ଅନ୍ୟପଟେ ତଦନ୍ତ ଚାଲିଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ରଖିବାକୁ ସିଧାସଳଖ ମନା କରିଦେଇଛନ୍ତି । ସେପଟେ ଚନ୍ଦ୍ର ଓ ସୂର୍ଯ୍ୟ ମହାପ୍ରଭୁଙ୍କ ନାଗାର୍ଜୁନ ବେଶର କି ଏହାକୁ ନୂଆ ଦିଆରି କରାଯାଇଛି, ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ସେବାୟତ ମହଲରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସକାଳୁ ଚନ୍ଦ୍ର ଓ ସୂର୍ଯ୍ୟ ଧରି ତରବରିଆ ଭାବେ ନୀତି ପ୍ରଶାସନଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ମୁଖ୍ୟ କାରିଗର ଶ୍ରୀ ରଣା । କାକୁତି ମିନତି ହୋଇ କହିଥିଲେ ଏହାକୁ ରଖି ଦିଅନ୍ତୁ । ମୁଁ ଏ ଅଡୁଆରେ ପଶିବାକୁ ଚାହୁଁନି । କିନ୍ତୁ ଏଭଳି ଢ଼ଙ୍ଗରେ ଆଣି ଚନ୍ଦ୍ର ସୂର୍ଯ୍ୟ ଫେରାଇବା ଠିକ ନୁହେଁ କହି ନୀତି ପ୍ରଶାସକ ଏହାକୁ ଫେରାଇ ଦେଇଥିଲେ । ତଦନ୍ତ ଚାଲିଥିବାରୁ ଯାହା କିଛି ଦେଉଛନ୍ତି, ଲିଖିତ ଆକାରରେ ଦିଅନ୍ତୁ ବୋଲି ନୀତି ପ୍ରଶାସକ କହିଥିଲେ । ଏହା ପରେ ଶ୍ରୀ ରଣା ନିଜ ଘରେ ଏହି ଚନ୍ଦ୍ର ଓ ସୂର୍ଯ୍ୟକୁ ନେଇ ରଖିଥିଲେ । ଗଣମାଧ୍ୟମକୁ ପ୍ରତିକି୍ରୟାରେ ଶ୍ରୀ ରଣା ଓ ଅନ୍ୟ କାରିଗରମାନେ କହିଛନ୍ତି, ନାଗାର୍ଜୁନ ବେଶ ଦିନ ସୁବର୍ଣ୍ଣର ଚନ୍ଦ୍ର ଓ ସୂର୍ଯ୍ୟ ଲାଗିବ କହି ଭଣ୍ଡାର ମେକାପ ଏହି ସୋଲର ଚନ୍ଦ୍ର ଓ ସୂର୍ଯ୍ୟକୁ ବେଶରୁ କାଢ଼ି ଦେଇଥିଲେ । ଏହି ସମୟରେ ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର ତାଙ୍କୁ ଏହି ଚନ୍ଦ୍ର ସୂର୍ଯ୍ୟକୁ ମାଗିଥିଲେ । କିନ୍ତୁ ସେଦିନ ସେମାନେ ଏହା ଦେବାକୁ ମନା କରି ଦେଇଥିଲେ । ନାଗାର୍ଜୁନ ବେଶ ପରଦିନ ଏହି ଚନ୍ଦ୍ର ସୂର୍ଯ୍ୟ ବାହାରେ ବୁଲୁଥିବା ଜଣାପଡ଼ିଥିଲା । ମୁଖ୍ୟ କାରିଗର ଶ୍ରୀ ରଣା ଗଣମାଧ୍ୟମକୁ କହିଛନ୍ତି ସକାଳେ ଜନୈକ ବ୍ୟକ୍ତି ତାଙ୍କ ଘର ଠାରେ ଏକ ବ୍ୟାଗରେ ଆଣି ଏହାକୁ ଦେଇ ଯାଇଥିଲେ । ପଚାରିବାରେ ରାମ ଭାଇ ଦେଇଛନ୍ତି ବୋଲି କହିଥିଲେ । ପରେ ବ୍ୟାଗ ଖୋଲି ଦେଖିବା ବେଳକୁ ଏଥିରୁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ଚନ୍ଦ୍ର ଓ ସୂର୍ଯ୍ୟ ବାହାରିଥିଲା । ପରେ ଶ୍ରୀ ମନ୍ଦିର ପ୍ରଶାସନକୁ ଏହାକୁ ଫେରାଇବାକୁ ଯାଇଥିଲୁ । ମନ୍ଦିର କମାଣ୍ଡରଙ୍କୁ ବି ଯୋଗାଯୋଗ କରିଥିଲୁ । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଫେରାଇ ଦେଇଥିବା ଶ୍ରୀ ରଣା କହିଛନ୍ତି । ଏ ସମ୍ପର୍କରେ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ଚନ୍ଦ୍ର ସୂର୍ଯ୍ୟ ଶ୍ରୀମନ୍ଦିର ବାହାରକୁ ଯିବା ଘଟଣାର ତଦନ୍ତ ଚାଲିଛି । ଏଭଳି ସ୍ଥିତିରେ ବେଶର ମୁଖ୍ୟ କାରିଗର କାର୍ଯ୍ୟାଳୟକୁ ଆସି ଯେଉଁ ଢ଼ଙ୍ଗରେ ଚନ୍ଦ୍ର, ସୂର୍ଯ୍ୟକୁ ଫେରାଇବାକୁ ଚେଷ୍ଟା କରୁଥିଲେ, ତାହା ଠିକ୍ ନଥିଲା । ଯଦି ମୁଖ୍ୟ କାରିଗର ଏହି ଚନ୍ଦ୍ର, ସୂର୍ଯ୍ୟକୁ ଫେରାଇବାକୁ ଚାହୁଁଛନ୍ତି, ଲିଖିତ ଆକାରରେ ସବିଶେଷ ତଥ୍ୟ ପୂର୍ବକ ଫେରସ୍ତ କରନ୍ତୁ ବୋଲି ଶ୍ରୀ ସାହୁ କହିଛନ୍ତି ।