ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପତ୍ର : ଓବିସି, ଏସ୍ଇବିସିଙ୍କୁ ଶିକ୍ଷାନୁଷ୍ଠାନ ଓ ଚାକିରି ସଂରକ୍ଷଣ ଦିଅ

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପତ୍ର : ଓବିସି, ଏସ୍ଇବିସିଙ୍କୁ ଶିକ୍ଷାନୁଷ୍ଠାନ ଓ ଚାକିରି ସଂରକ୍ଷଣ ଦିଅ

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ପତ୍ର : ଓବିସି, ଏସ୍ଇବିସିଙ୍କୁ ଶିକ୍ଷାନୁଷ୍ଠାନ ଓ ଚାକିରି ସଂରକ୍ଷଣ ଦିଅ
ଭୁବନେଶ୍ୱର: ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଓ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (ଏସଇବିସି) ଙ୍କୁ ସଂରକ୍ଷଣ ଦିଆଯାଉ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଆଜି ଏମିତି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ପତ୍ରରେ କହିଛନ୍ତି ଓଡ଼ିଶାରେ ଓବିସି ଓ ଏସ୍ଇବିସି ବର୍ଗ ରାଜ୍ୟ ଜନସଂଖ୍ୟାର ଏକ ପ୍ରମୁଖ ବର୍ଗ । ଏମାନଙ୍କ ମଧ୍ୟରେ ଅନେକ ଗରିବ ଓ ଅଶିକ୍ଷିତ ରହିଛନ୍ତି । ତେଣୁ ଏମାନଙ୍କୁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ବିଶେଷ ସୁବିଧା ଯୋଗାଇବା ନିହାତି ଜରୁରି । ସମ୍ବିଧାନର ଧାରା (୧୫ (୪) ଓ ୧୬ (୪) ର ଉଲ୍ଲେଖ କରି ଭାରତ ସରକାର ଓବିସି ବର୍ଗଙ୍କୁ ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ୨୭% ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ଏହି ସଂରକ୍ଷଣ ବ୍ୟବସ୍ଥାକୁ ସୁପ୍ରିମକୋର୍ଟ ମଧ୍ୟ ମାନ୍ୟତା ପ୍ରଦାନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି, ଅନେକ ରାଜ୍ୟ ସରକାର ରାଜ୍ୟର ଜନସଂଖ୍ୟାର ଏଭଳି ଏକ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି । ମାତ୍ର ଓଡ଼ିଶା ସରକାର ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ଓବିସିକୁ ସଂରକ୍ଷଣ ସୁବିଧା ଦେଉନାହାନ୍ତି । ଏସ୍ଇବିସିଙ୍କୁ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ସୁବିଧା ଦେଉନାହାନ୍ତି । ଉଭୟ ଓବିସି ଓ ଏସ୍ଇବିସି ବର୍ଗ ଉଚ୍ଚଶିକ୍ଷା ଓ ଚାକିରି କ୍ଷେତ୍ରରେ ଯୋଗ ଦେବାରୁ ବଞ୍ଚିତ ହୋଇଛନ୍ତି । ଏହା ପଛରେ ସେମାନଙ୍କ ସାମାଜିକ ଓ ଆର୍ଥିକ ପଛୁଆ ପରିସ୍ଥିତି ମୁଖ୍ୟତଃ ଦାୟୀ । ଏଭଳି ପରିସ୍ଥିତିରେ ଏହି ବର୍ଗର ଲୋକଙ୍କୁ ଶିକ୍ଷାନୁଷ୍ଠାନ ଓ ସରକାରୀ ଚାକିରିରେ ଅଧିକ ସୁଯୋଗ ଉପଲବ୍ଧ କରାଇବାକୁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ।