ମୋଦିଙ୍କ କଥା ରଖିଲେନି ପାୱାର

ମୋଦିଙ୍କ କଥା ରଖିଲେନି ପାୱାର

ମୋଦିଙ୍କ କଥା ରଖିଲେନି ପାୱାର
ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ରାଜନୀତିକ ଅସ୍ଥିରତା ଲାଗି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ମଧ୍ୟରେ ରୁଦ୍ଧଦ୍ୱାର ଆଲୋଚନା ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା । ଉଭୟଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଥିଲା ତାହାକୁ ନେଇ ଅନେକ ଅନୁଶୀଳନ ବି ପ୍ରକାଶ ପାଇଥିଲା । କିନ୍ତୁ ଏବେ ଏହାର ରହସ୍ୟ ଖୋଲିଛନ୍ତି ଶରଦ ପାୱାର । ବିଜେପି ସହ ମେଂଟ ପାଇଁ ମୋଦି ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ପାୱାର କହିଛନ୍ତିଯେ, ନଭେମ୍ବର ୨୦ରେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ଅଦିନିଆ ବର୍ଷା ଯୋଗୁଁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିବାରୁ ସେନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ମୋଦି କହିଥିଲେଯେ, ଆମେ ଏକାଠି ହୋଇ କାମ କଲେ ମୁଁ ଖୁସି ହେବି । କିନ୍ତୁ ପାୱାରଙ୍କ ପ୍ରତୁ୍ୟତର ଥିଲା, ଆପଣଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ଭଲ ଅଛି ଓ ଆଗକୁ ବି ରହିବ । କିନ୍ତୁ ରାଜନୀତିକ ଦୃଷ୍ଟିରୁ ଏହା ମୋ ପାଇଁ ଠିକ ହେବନାହିଁ ।’ ସେହିପରି ରାଜ୍ୟରେ ଅଣବିଜେପି ସରକାର ଗଠନ ପାଇଁ ସେ ଶିବସେନା ଓ କଂଗ୍ରେସ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ । ଅପରପକ୍ଷରେ ନିଜ ପୁତୁରା ଅଜିତ ପାୱାରଙ୍କ ବିଦ୍ରୋହ ତାଙ୍କୁ ହତଚକିତ କରିଥିଲା ବୋଲି ପାୱାର କହିଛନ୍ତି । ସେ କହିଲେଯେ, ଫଡ଼ନାଭିସ ତାଙ୍କ ସହ କଥା ହେବାକୁ ଚାହାନ୍ତି ବୋଲି ଅଜିତ ତାଙ୍କୁ କହିଥିଲେ । ତେଣୁ ସେ ତାଙ୍କୁ ଯିବା ପାଇଁ ଅନୁମତି ଦେଇଥିଲେ । କିନ୍ତୁ ପରେ ଅଜିତଙ୍କ ନିଷ୍ପତି ତାଙ୍କୁ କଷ୍ଟ ଦେଇଥିଲେ । ତେବେ ଇତିମଧ୍ୟରେ ଅଜିତ ନିଜ ଭୁଲ ବୁଝି ପାରିଛନ୍ତି ବୋଲି ସେ କହିଛନ୍ତି । ସେହିପରି ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁନଥିଲେ । କିନ୍ତୁ ସେ ମୁଖ୍ୟମନ୍ତ୍ରୀ ନହେଲେ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ଥିବାରୁ ପାୱାର ତାଙ୍କୁ ବୁଝାଶୁଝା କରାଇ ରାଜି କରାଇଥିଲେ ।