ମୋଦୀଙ୍କ ବିରୁଦ୍ଧରେ ଲଢିବେ ପ୍ରିୟଙ୍କା

ମୋଦୀଙ୍କ ବିରୁଦ୍ଧରେ ଲଢିବେ ପ୍ରିୟଙ୍କା

ମୋଦୀଙ୍କ ବିରୁଦ୍ଧରେ ଲଢିବେ ପ୍ରିୟଙ୍କା
ନୂଆଦିଳ୍ଲୀ: ରାଜୀବ ତନୟା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦୁଇ ମାସ ପୂର୍ବେ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହେଲାବେଳେ ସେ କେଉଁଠାରୁ ନିର୍ବାଚନ ଲଢିବେ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଥିଲା । କଂଗ୍ରେସ ପର୍ଯ୍ୟାୟ କ୍ରମେ ପାର୍ଥିତାଲିକା ପ୍ରକାଶ କଲାବେଳେ ପ୍ରିୟଙ୍କାଙ୍କ ନାମକୁ ଏଥିରେ ଅନ୍ତର୍ଭୁକ୍ତ କରି ନଥିଲା । କଂଗ୍ରେସ ସମର୍ଥକ ତାଙ୍କ ପାର୍ଥିତ୍ୱ ନେଇ ଦ୍ୱନ୍ଦ୍ୱରେ ଥିବାବେଳେ ମା’ ସୋନିଆ ଓ ଭାଇ ରାହୁଲ ପରିବାରର ଦୁଇ ଗଡ ଭାବେ ପରିଚିତ ରାଏ ବରେଲି ଓ ଆମେଥିରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ଏହାପରେ ପ୍ରିୟଙ୍କାଙ୍କ ପ୍ରାର୍ଥିତ୍ୱ ଅଧିକ ଅସ୍ପଷ୍ଟ ହେବାରେ ଲାଗିଲା । ଅନେକ ବିଶ୍ୱାସ କରୁଥିଲେ ଯେ ପ୍ରିୟଙ୍କା ଏଥର ପ୍ରାର୍ଥୀ ନ ହୋଇ କେବଳ ଦଳ ପାଇଁ ପ୍ରଚାର କରିବେ କିନ୍ତୁ ଶନିବାର ଏହି ପ୍ରହେଳିକା ଉପରୁ ସମାନ୍ୟ ପରଦା ହଟିଛି । ପ୍ରିୟଙ୍କା ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । କଂଗ୍ରେସର ସାଧାରଣ ସମ୍ପାଦିକା ଭାବେ ଉତରପ୍ରଦେଶର ଉତରାଅଚଂଳ ପ୍ରଭାରୀ ପ୍ରିୟଙ୍କା ସିଧାସଳଖ ମୋଦୀଙ୍କ ବିପକ୍ଷରେ ପ୍ରାର୍ଥୀ ହେବାକୁ ଆଗ୍ରହୀ ଥିବା ତାଙ୍କ ନିକଟତମ ସୂତ୍ରରୁ ସୂଚନା ମିଳିଛି । ପ୍ରିୟଙ୍କାଙ୍କ ଏହି ତଥାକଥିତ ଇଚ୍ଛା ଯଦି କାର୍ଯ୍ୟକାରୀ ହୁଏ ତେବେ ଚଳିତ ଲୋକସଭା ନିର୍ବାଚନରେ ବାରାଣସୀ ହେବ ସବୁଠୁ ଚର୍ଚ୍ଚିତ ମଇଦାନ ।