ରାଜନୀତି ହାଲଚାଲ:ଭଣ୍ଡାରୀପୋଖରୀ

ରାଜନୀତି ହାଲଚାଲ:ଭଣ୍ଡାରୀପୋଖରୀ

ରାଜନୀତି ହାଲଚାଲ:ଭଣ୍ଡାରୀପୋଖରୀ
ଭୁବନେଶ୍ୱର : ଭଦ୍ରକ ଜିଲ୍ଲାର ଅନ୍ୟତମ ବିଧାନସଭା କ୍ଷେତ୍ର ଭଣ୍ଡାରୀପୋଖରୀ । ଆରମ୍ଭରୁ ସଂରକ୍ଷିତ ଥିବା ଏହି ବିଧାନସଭା କ୍ଷେତ୍ର ୨୦୦୯ ସାଧାରଣ ନିର୍ବାଚନରେ ଅଣସଂରକ୍ଷିତ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ହୋଇଗଲା । ବନ୍ତ ବ୍ଲକର ୨୫ଟି ଓ ଭଣ୍ଡାରୀପୋଖରୀ ବ୍ଲକର ୨୩ଟି ମୋଟି ୪୮ଟି ପଂଚାୟତକୁ ନେଇ ଗଠିତ ଏହି ବିଧାନସଭା କ୍ଷେତ୍ର । ୨୦୦୯ ସାଧାରଣ ନିର୍ବାଚନରେ ଭଦ୍ରକ ବିଧାନସଭା ଆସନ ଟିକେଟରୁ ବଂଚିତ ହେବା ପରେ ପ୍ରଫୁଲ୍ଲ ସାମଲଙ୍କୁ ଏହି ନିର୍ବାଚନ କ୍ଷେତ୍ରରୁ ବିଜେଡି ପକ୍ଷରୁ ପ୍ରାର୍ଥୀ କରାଯାଇଥିଲା । ଏହି ନିର୍ବାଚନରେ ଶ୍ରୀ ସାମଲ ବିଜୟୀ ହେବା ସହ ପରବର୍ତୀ ୨୦୧୪ ସାଧାରଣ ନିର୍ବାଚନରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ନବାଗତ ସୁବ୍ରତ ଦାସଙ୍କୁ ପ୍ରାୟ ୩୪ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଥିଲେ । ଆଗାମୀ ନିର୍ବାଚନରେ ଶ୍ରୀ ସାମଲ ନିଜର ବିକାଶମୂଳକ କାର୍ଯ୍ୟକୁ ଆଧାର କରି ହ୍ୟାଟ୍ରିକ ବିଜୟ ହାସଲ କରିବା ଲକ୍ଷ୍ୟରେ ଅଛନ୍ତି । ଅପରପକ୍ଷରେ ଗତ ତ୍ରିସ୍ତରୀୟ ପଂଚାୟତି ନିର୍ବାଚନରେ ଭଣ୍ଡାରିପୋଖରୀ ପଂଚାୟତ ସମିତି ବିରୋଧୀ ହାତକୁ ଯାଇଥିବା ବେଳେ ବନ୍ତ ପଂଚାୟତ ସମିତି ଅଳ୍ପକେ ଶାସକ ଦଳ ହାତରେ ରହିଯାଇଥିଲା । ବହୁବାର ମନ୍ତ୍ରୀପଦ ମଣ୍ଡନ କରିବା, ବାଦ ପଡ଼ିବା, ପୁନଃ ମନ୍ତ୍ରିତ୍ୱ ହାସଲ କରିବା ଭଳି ବହୁ ରାଜନୈତିକ ଉତ୍ଥାପନର ସମ୍ମୁଖୀନ ହୋଇଥିବା ଶ୍ରୀ ସାମଲ ଏବେ ମଧ୍ୟ ତୃତୀୟ ମହଲାର ଶୁଭଦୃଷ୍ଟିରେ ଥିବା ଚର୍ଚ୍ଚା ହେଉଛି । ତେଣୁ ଦଳୀୟ ଟିକେଟ ହାସଲ ପାଇଁ ତାଙ୍କୁ ହୁଏତ କଷ୍ଟକର ହୋଇନପାରେ ବୋଲି ରାଜନୈତିକ ସମୀକ୍ଷକଙ୍କ ମତ । ଅପରପକ୍ଷରେ ପିସିସି ପୁର୍ନଗଠନ ପରେ ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ କୁଆଡ଼େ ଏଠାରୁ ପ୍ରାର୍ଥୀ ହେବେ ବୋଲି କେତେକ ମହଲରେ ଆଲୋଚନା ଚାଲିଛି । ଅନୁରୂପ ଭାବେ ୨୦୧୪ ମସିହାରେ ଦଳୀୟ ଟିକେଟରୁ ବଂଚିତ ହୋଇ ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ସୁଜାତା ଜେନା, ପ୍ରାକ୍ତନ ସାଂସଦ ଅନନ୍ତ ସେଠୀଙ୍କ ଜାମାତା ପ୍ରେମାନନ୍ଦ ସେଠୀ ଓ ତାଙ୍କ ପୁତ୍ର ଚିରଞ୍ଜୀବ ଟିକେଟ ଦୌଡ଼ରେ ଥିବା ଚର୍ଚ୍ଚା ହେଉଛି । ସେହିପରି କଂଗ୍ରେସ ଦଳ ପରିତ୍ୟାଗ କରି ବିଜେପିରୁ ପ୍ରାର୍ଥୀ ହୋଇଥିବା ଦ୍ରିନାରାୟଣ ଧଳ ଏହି ଆସନ ପାଇଁ ଦୃଢ଼ ଦାବିଦାର ଭାବେ ଉଭା ହୋଇଛନ୍ତି । ଅନ୍ୟତମ ବରିଷ୍ଠ ଦଳୀୟ ନେତା ପଂଚାନନ ରାଉତଙ୍କ ନାମକୁ ନେଇ ମଧ୍ୟ ଆଲୋଚନା ହେଉଛି । ଗତ ୨୦୦୯ରେ ବିଜେଡି ଟିକେଟ ନମିଳିବାରୁ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ଯୁବନେତା ଉଦୟନାରାୟଣ ନନ୍ଦଙ୍କ ନାଁ ଏଥର ମଧ୍ୟ ଚର୍ଚ୍ଚାରେ ରହିଛି । ଶ୍ରୀ ନନ୍ଦ ଜଣେ ଶିକ୍ଷାବିତ, ଚାଟାର୍ଡ ଆକାଉଂଟାଟ ଓ ଶିଳ୍ପପତି । କୌଣସି କୌଣସି କାରଣରୁ ମନ୍ତ୍ରୀ ଶ୍ରୀ ସାମଲଙ୍କ ବିକଳ୍ପ ଚିନ୍ତା କଲେ ଶ୍ରୀ ନନ୍ଦ ବିଜେଡି ସୁପ୍ରିମୋଙ୍କ ପ୍ରଥମ ପସନ୍ଦ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।