ଚନ୍ଦ୍ରଶେଖରଙ୍କୁ ନବୀନ ନିବାସରୁ ଡାକରା

ଚନ୍ଦ୍ରଶେଖରଙ୍କୁ ନବୀନ ନିବାସରୁ ଡାକରା

ଚନ୍ଦ୍ରଶେଖରଙ୍କୁ ନବୀନ ନିବାସରୁ ଡାକରା
ଭୁବନେଶ୍ୱର: ବିଜେଡିର କାର୍ଯ୍ୟକାରିଣୀ ବୈଠକରେ ଜଣେ କର୍ମୀଙ୍କୁ ଚାପୁଡ଼ା ମାରିବା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ମହଙ୍ଗା ପଡ଼ିପାରେ । କାରଣ ଚାପୁଡ଼ା ମାରିବା ସମ୍ପର୍କିତ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଆଜି ନବୀନ ନିବାସରୁ ଡାକରା ଆସିଛି । ଆଜି ଅପରାହ୍ନ ୪ଟାରେ ସାଂସଦ ଶ୍ରୀ ସାହୁ ନବୀନ ନିବାସ ଯିବାର କାର୍ଯ୍ୟକ୍ରମ ରହିଛି । ମଙ୍ଗଳବାର ପାରଳାଖେମୁଣ୍ଡିରେ ବିଜେଡ଼ିର କାର୍ଯ୍ୟକାରିଣୀ ବୈଠକ ବସିଥିଲା । ଏହି ଅବକାଶରେ ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସଂଗ୍ରାମ ସାହୁ ବିଜେଡ଼ିରେ ଯୋଗଦେବା ପାଇଁ ଆସିଥିଲେ । ତେବେ ଉତରୀୟ ପକାଇବେଳେ ସାଂସଦ ଶ୍ରୀ ସାହୁ ସଂଗ୍ରାମଙ୍କୁ ଚାପୁଡ଼ା ମାରିଥିଲେ । କେଉଁ କାରଣ ପାଇଁ ସଂଗ୍ରାମଙ୍କୁ ଚାପୁଡ଼ା ମାରିଲେ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଚର୍ଚ୍ଚା ଅନୁଯାୟୀ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ଚନ୍ଦ୍ରଶେଖର ବିଜେଡ଼ିରେ ସାମିଲ ହୋଇଥିଲେ । ପ୍ରାୟ ୨୦ ହଜାର ସମର୍ଥକଙ୍କ ସହ ଚନ୍ଦ୍ରଶେଖର ଓ ବ୍ରହ୍ମପୁରର ବିଧାୟକ ବିକ୍ରମ ପଣ୍ଡା ବିଜେଡ଼ିରେ ଯୋଗ ଦେଇଥିଲେ । ତେବେ ସେହି ସମୟରେ ସଂଗ୍ରାମ ବିଜେଡ଼ିରେ ଯୋଗଦେବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ଫଳରେ ଚନ୍ଦ୍ରଶେଖର ତାଙ୍କ ଉପରେ କ୍ଷୁବ୍ଧ ଥିବା ଚର୍ଚ୍ଚା ହେଉଛି । ଯାହାର ପ୍ରତିଫଳନ ମଂଚ ଉପରେ ଦେଖିବାକୁ ମିଳିଥିଲା ବୋଲି ବ୍ରହ୍ମପୁର ରାଜନୀତିକ ମହଲରେ ଚର୍ଚ୍ଚା ଜୋରଧରିଛି ।