ଶେଷ ହେଲା ଧୋନିଙ୍କ ଯୁଗ !

ଶେଷ ହେଲା ଧୋନିଙ୍କ ଯୁଗ !

ଶେଷ ହେଲା ଧୋନିଙ୍କ ଯୁଗ !
ନୂଆଦିଲ୍ଲୀ - ଗତ ଦିନିକିଆ ବିଶ୍ୱକପ୍ ପରଠାରୁ ଆଉ ଭାରତୀୟ ଦଳକୁ ଫେରିନାହାନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ପାଖାପାଖି ୬ ମାସ ଧରି ବିରତି ସମୟ ବିତାଉଥିବା ୩୮ ବୟସ୍କ ଧୋନି ମଧ୍ୟ ନିଜର ଅବସର ନେଇ କିଛି ସ୍ପଷ୍ଟ କରୁନାହାନ୍ତି । ଅନ୍ୟପକ୍ଷରେ ଅବସର ନିଷ୍ପତ୍ତି ଧୋନି ନିଜେ ନେବେ ବୋଲି ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) କହୁଛି । ଫଳରେ ଧୋନିଙ୍କ ଅବସର ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ଚାଲୁଛି । ନିକଟରେ ଏନେଇ ଧୋନିଙ୍କ ସହ ଆଲୋଚନା କରିଥିବା କଥା ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଥିଲେ । ଧୋନି ଖୁବ୍ ଶୀଘ୍ର ଅବସର ସଂପର୍କରେ ନିଷ୍ପତ୍ତି ଶୁଣାଇବେ ବୋଲି ଶାସ୍ତ୍ରୀ କହିଥିଲେ । ଏପରିକି ଧୋନି ଯଦି ଆଗାମୀ ଆଇପିଏଲରେ ଭଲ ପ୍ରଦର୍ଶନ କରନ୍ତି, ତେବେ ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ଟ୍ୱେଣ୍ଟି-୨୦ ବିଶ୍ୱକପ୍ ଖେଳିପାରନ୍ତି ବୋଲି ଶାସ୍ତ୍ରୀ ଏକାଧିକ ଥର କହିସାରିଛନ୍ତି । ହେଲେ ଗୁରୁବାର ବିସିସିଆଇ ତା'ର କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ଏହି ବିଶ୍ୱକପ୍ ବିଜେତା ଅଧିନାୟକଙ୍କୁ ବାଦ୍ ଦେଇଥିବାରୁ ଧୋନିଙ୍କ ଯୁଗ ଶେଷ ହୋଇଗଲା ବୋଲି ଆଲୋଚନା ହେଉଛି । ଧୋନିଙ୍କ ଭବିଷ୍ୟତ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଧୋନିଙ୍କ ବ୍ୟତୀତ ଅନ୍ୟ ପ୍ରମୁଖ ତାରକାଙ୍କ ମଧ୍ୟରେ ଅମ୍ବାତି ରାୟୁଡୁ, ଦୀନେଶ କାର୍ତିକ ଓ ଖଲିଲ ଅହମ୍ମଦଙ୍କ ନାମ ମଧ୍ୟ କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ୍ ପଡ଼ିଛି । ଏହା ବାଦ୍ ଗତବର୍ଷର ତାଲିକାରେ ଆଉ ବିଶେଷ କିଛି ପରିବର୍ତ୍ତନ କରାଯାଇନାହିଁ । ଅଷ୍ଟ୍ରେଲିଆରେ ପଦାର୍ପଣ କରିଥିବା ଟେଷ୍ଟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଥିବାରୁ ତାଲିକାରେ ଯୋଡ଼ି ହୋଇଛନ୍ତି । ସେହିପରି ଟେଷ୍ଟ୍ ୱିକେଟରକ୍ଷକ ରିଦ୍ଧିମାନ ଶାହା ମଧ୍ୟ ପଦୋନ୍ନତି ପାଇଛନ୍ତି । ତାଲିକାରେ ନୂଆ ନାମ ମଧ୍ୟରେ ନଭ୍ଦୀପ୍ ସୈନି, ଦୀପକ ଚହର, ଶାର୍ଦୁଲ ଠାକୁର, ଶ୍ରେୟସ ଆୟର ଓ ୱାସିଂଟନ୍ ସୁନ୍ଦର ରହିଛନ୍ତି । ୨୦୧୯-୨୦୨୦ ଋତୁ ପାଇଁ ବିସିସିଆଇ ୪ଟି ଭିନ୍ନ ଭିନ୍ନ ଗ୍ରେଡରେ ମୋଟ ୨୭ ଜଣ ଖେଳାଳିଙ୍କୁ ସାମିଲ କରିଛି । ଗତବର୍ଷ ଏହି ତାଲିକାରେ ୨୯ ଜଣ ରହିଥିଲା ବେଳେ ଏଥର ୨୭କୁ ହ୍ରାସ କରାଯାଇଛି । ଏହି ତାଲିକାରେ ସବୁଠୁ ପ୍ରମୁଖ ଗ୍ରେଡ୍- ଏ+ରେ ତିନି ଜଣ ଖେଳାଳି ସାମିଲ ରହିଛନ୍ତି । ସେମାନଙ୍କୁ ୭ କୋଟି ଟଙ୍କା ଲେଖାଏଁ ମିଳିବ ।