କଂଗ୍ରେସ ଭବନ ଆସିଲେନି ମୁକିମ

କଂଗ୍ରେସ ଭବନ ଆସିଲେନି ମୁକିମ

କଂଗ୍ରେସ ଭବନ ଆସିଲେନି ମୁକିମ
ଭୁବନେଶ୍ୱର - କଂଗ୍ରେସ ଏବେ ଘରସଜଡ଼ା ଆରମ୍ଭ କରିଛି । ଗୋଟିଏ ପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ପାଇଁ କେତେକ ନେତା ପ୍ରୟାସ କରୁଥିବାବେଳେ ଅପରପକ୍ଷରେ ନୂଆ ଟିମ ଗଢ଼ି ସଂଗଠନକୁ ଚଳଚଂଚଳ କରିବାକୁ ଅଂଟା ଭିଡ଼ିଛନ୍ତି ନିରଞ୍ଜନ । ଏଥିପାଇଁ କଂଗ୍ରେସ ଭବନରେ ଘନଘନ ବୈଠକ ମଧ୍ୟ ବସୁଥିବା ଲକ୍ଷ୍ୟ କରାଯାଉଛି । ରାଜ୍ୟ କଂଗ୍ରେସକୁ ସଜାଡ଼ିବା ପାଇଁ ପ୍ରଭାରୀ ଜିତେନ୍ଦ୍ର ସିଂହ ଓଡ଼ିଶାରେ ଥିବାବେଳେ ବିଭିନ୍ନ ଜିଲ୍ଲାର ସାଂଗଠନିକ କାର୍ଯ୍ୟକ୍ରମର ସମୀକ୍ଷା ମଧ୍ୟ କରୁଛନ୍ତି । ଏହିକ୍ରମରେ ଶୁକ୍ରବାର କଂଗ୍ରେସ ଭବନରେ କଟକ ଜିଲ୍ଲା କଂଗ୍ରେସର ସାଂଗଠନିକ କାର୍ଯ୍ୟକ୍ରମ ନେଇ ପ୍ରଭାରୀ ଶ୍ରୀ ସିଂହ ଓ ସଭାପତି ଶ୍ରୀ ପଟ୍ଟନାୟକ ସମୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ କଟକର ପ୍ରମୁଖ ନେତାମାନଙ୍କୁ ମଧ୍ୟ ଅବଗତ କରାଯାଇଥିଲା । ତେବେ ଆଶ୍ଚର୍ଯ୍ୟର କଥା ଏଭଳି ଗୁରୁତ୍ୱପୂର୍ଣ୍ଣ ବୈଠକରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୁକିମଙ୍କୁ ଦେଖିବାକୁ ମିଳିନଥିଲା । କଟକ ନଗର କଂଗ୍ରେସ ଦାୟିତ୍ୱରେ ଥିବା ମୁକିମ ବିଧାୟକ ହେବା ପରେ ପିସିସି ଚଉକି ଉପରେ ଆଖି ପକାଇଛନ୍ତି । କେବେ ତାଙ୍କ ନେତୃତ୍ୱରେ ଭୁବନେଶ୍ୱରର ବିଭିନ୍ନ ହୋଟେଲରେ ବୈଠକ ହେଉଛି ତ କେବେ ତାଙ୍କ ଇଶାରାରେ ସୋନିଆ ଓ ରାହୁଲ ଗାନ୍ଧୀଙ୍କୁ ଭେଟୁଛନ୍ତି କଂଗ୍ରେସ ନେତା । ମୁକିମ ପିସିସି ରେସରେ ଥିଲେ ବି ନିରଞ୍ଜନ ହିଁ ଦାୟିତ୍ୱରେ ରହିବେ ବୋଲି ଏଆଇସିସି ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି । ତେବେ ଆଜିର ବୈଠକରେ ମୁକିମଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଜୋରଧରିଛି ।