ନବୀନଙ୍କ ବିଜେପୁର ପ୍ୟାକେଜ

ନବୀନଙ୍କ ବିଜେପୁର ପ୍ୟାକେଜ

ନବୀନଙ୍କ ବିଜେପୁର ପ୍ୟାକେଜ
ଭୁବନେଶ୍ୱର : ଉଭୟ ବିଜେପୁର ଓ ହିଞ୍ଜିଳିରୁ ବିଧାନସଭା ନିର୍ବାଚନ ଜିତିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ପ୍ରତି ଦୁଇମାସରେ ମୁଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରିବେ । ଖୁବଶୀଘ୍ର ଆଉ ଏକ ପ୍ୟାକେଜ ମଧ୍ୟ ଘୋଷଣା କରାଯିବ । ୧. ବିଜେପୁରରେ ୩୪ ହଜାର ପରିବାରର କଚ୍ଚା ଘର ଥିବାବେଳେ ସେମାନଙ୍କୁ ପକ୍କା ଘର ପ୍ରଦାନ କରାଯିବ । ୨. ବରଗଡ଼ ଜିଲ୍ଲାର ୫୦୫ ଗ୍ରାମର ୮ ଲକ୍ଷ ଲୋକଙ୍କ ପାଇଁ ମେଗା ପାଇପ ଜଳ ଯୋଗାଣ ଯୋଜନାରେ ୧୧୨୦ କୋଟିର ୨ଟି ପ୍ରକଳ୍ପ କରାଯାଉଛି । ଆସନ୍ତା ଦୁଇ ବର୍ଷ ମଧ୍ୟରେ ବିଜେପୁର ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ପରିବାରକୁ ପାଇପ ଜଳ ଯୋଗାଣର ବ୍ୟବସ୍ଥା କରାଯିବ । ୩. ଗାଇସିଲଟ ବ୍ଲକର ବରମୁଣ୍ଡା ଗ୍ରାମ ପଂଚାୟତରେ ପାର୍ବତୀଗିରି ମେଗା ଲିଫ୍ଟ ଯୋଜନାରେ ଏକ ପ୍ରକଳ୍ପ କରାଯିବ । ଅଙ୍ଗ ନଦୀରେ ହେବାକୁ ଥିବା ଏହି ପ୍ରକଳ୍ପରେ ୪୮ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଫଳରେ ୩ ହଜାର ଏକର ଜମିକୁ ଜଳସେଚିତ କରାଯାଇପାରିବ । ୪. ବିଜେପୁର ନିର୍ବାଚନମଣ୍ଡଳୀରେ ୨୯ ନଦୀ ଉଠା ଜଳସେଚନ ପ୍ରକଳ୍ପ ଓ ୩୦୦୦ ଗଭୀର ନଳକୂପ ଜଳସେଚନ ପ୍ରକଳ୍ପ କରାଯିବ । ୫. ବିଜେପୁର ଓ ବରପାଲି ଏନଏସିରେ ଜଳଯୋଗାଣ, ଷ୍ଟି୍ରଟ ଲାଇଟ, ରାସ୍ତା, ଡ୍ରେନେଜ, ଟାଉନ ହଲ, କମୁ୍ୟନିଟ ସେଂଟର, କଲ୍ୟାଣ ମଣ୍ଡପ, ଷ୍ଟାଡ଼ିୟମ, ମାର୍କେଟ କମ୍ପ୍ଲେକ୍ସ, ପାର୍କ, ଅଫିସ ଘର ନିର୍ମାଣ କରାଯିବ । ଦୁଇ ସହର ପାଇଁ ୪୦ କୋଟି ଲେଖାଏଁ ପ୍ୟାକେଜ ଘୋଷଣା କରାଯାଇଥିବାବେଳେ ଦୁଇ ବର୍ଷ ମଧ୍ୟରେ ସେହି ସବୁ ଭିତିଭୂମି ବିକାଶ କାର୍ଯ୍ୟ ଶେଷ ହେବ । ୬. ଚାଷୀମାନଙ୍କୁ ଗୁଣାତ୍ମକ ବିଦୁ୍ୟତ ଯୋଗାଇ ଦେବା ପାଇଁ ୬୦ କିଲୋମିଟର ବ୍ୟାପ୍ତ ୩୩ କେଭି ଲାଇନ ଓ ୧୨୫ କିଲୋମିଟର ବ୍ୟାପ୍ତ ୧୧ କେଭି ଲାଇନ ନିର୍ମାଣ କରାଯିବ । ସେହିପରି ଭୋଲଟେଜ କମ ନହେବା ପାଇଁ ୫୦ଟି ନୂତନ ଟ୍ରାନ୍ସଫର୍ମର ସ୍ଥାପନ କରାଯିବ । ୭. ଗାଇସିଲଟ ତହସିଲର ଗୁଡେ଼ରପାଲି, ତାଲପାଲି ଓ ଡାଙ୍ଗବାହାଲରେ ତିନୋଟି ନୂତନ ଆରଆଇ ସର୍କଲ ସ୍ଥାପନ କରାଯିବ । ୮. ବିଜେପୁର ବ୍ଲକର ତାଳପଦର ଠାରେ ଏକ ନୂତନ ପିଏଚସି ସ୍ଥାପନ କରାଯିବା ସହ ସପ୍ତାହକ ମଧ୍ୟରେ ପ୍ରତ୍ୟେକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକୀୟ ଡାକ୍ତରଙ୍କୁ ନିଯୁକ୍ତ କରାଯିବ । ୯. ବିଜେପୁରରେ ଏକ ସରକାରୀ ଆଇଟିଆଇ ସ୍ଥାପନ କରାଯିବ । ଏତଦବ୍ୟତୀତ ଗାଇସିଲଟ ଓ ବରପାଲିରେ ଦୁଇଟି ଦକ୍ଷତା ବିକାଶ କେନ୍ଦ୍ର କରାଯିବ । ୧୦. ୮୦ କିମି ରାସ୍ତା ଓ ଗୋଟିଏ ସେତୁ ପାଇଁ ୮୨ କୋଟିର ପ୍ରକଳ୍ପ କରାଯିବ ।