ଛାତ୍ରନେତାରୁ ରାଜ୍ୟ ସଭାପତି
ଛାତ୍ରନେତାରୁ ରାଜ୍ୟ ସଭାପତି
admin
Jan 17, 2020 - 10:18
Updated: Jan 17, 2020 - 10:18
ଭୁବନେଶ୍ୱର - ବିଜେପିର ନବନିର୍ବାଚିତ ସଭାପତି ସମୀର ମହାନ୍ତି ଛାତ୍ର ଜୀବନରୁ ରାଜନୀତି ସହ ଜଡ଼ିତ ହୋଇଛନ୍ତି । ଯଦିଓ କିଛି ଦିନ ପାଇଁ ସେ ସରକାରୀ ଚାକିରି କରିଥିଲେ, ତେବେ ରାଜନୀତି ପ୍ରତି ଦୁର୍ବଳତା ଯୋଗୁ ଚାକିରି ଛାଡ଼ିଥିଲେ । ଭୁବନେଶ୍ୱରର ବହୁ ସଂଗଠନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ଥିବା ଶ୍ରୀ ମହାନ୍ତି ବିଜେପିର ବିଭିନ୍ନ ପଦପଦବିରେ ସଫଳତାର ସହ ଦାୟିତ୍ୱ ନିର୍ବାହ କରି ଶୀର୍ଷ ନେତୃତ୍ୱଙ୍କ ବିଶ୍ୱାସଭାଜନ ହୋଇପାରିଛନ୍ତି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ ଆଗଧାଡ଼ିର କର୍ମକର୍ତ୍ତା ଭାବେ ତାଙ୍କର ପରିଚୟ ରହିଛି । ଜଣେ ଶୃଙ୍ଖଳିତ ଓ ଉତ୍ସର୍ଗୀକୃତ ନେତା ଭାବେ ଶ୍ରୀ ମହାନ୍ତିଙ୍କର ଦଳ ଭିତରେ ମଧ୍ୟ ବେଶ୍ ଗ୍ରହଣୀୟତା ରହିଛି ।
୧୯୫୯ ମସିହା ମେ' ମାସରେ ଜନ୍ମ ହୋଇଥିବା ଶ୍ରୀ ମହାନ୍ତି ପୁରୁଣା ଭୁବନେଶ୍ୱରର ବାସିନ୍ଦା । ଛାତ୍ର ଜୀବନରେ ସେ ଏବିଭିପିର ବିଭିନ୍ନ ପଦପଦବିରେ ରହିଥିଲେ । ୧୯୭୮-୭୯ ମସିହାରେ ଖୋର୍ଦ୍ଧା ପିଏନ୍ କଲେଜର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ । ଏହି ସମୟରେ ବିଭିନ୍ନ ଛାତ୍ର ଆନେ୍ଦାଳନରେ ସେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପିଏନ୍ କଲେଜରୁ ସ୍ନାତକ ଶିକ୍ଷା ପରେ ସେ ବିଶ୍ୱବିଦ୍ୟାଳୟ ଆଇନ୍ କଲେଜରୁ ଏଲ୍ଏଲ୍ବି ଡିଗ୍ରି ହାସଲ କରିଥିଲେ ।
ବିଡିଏରେ ସହାୟକ ସୂଚନା ଅଧିକାରୀ ଭାବେ ଶ୍ରୀ ମହାନ୍ତି ତାଙ୍କ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଚାକିରିରେ ଥିଲା ବେଳେ ସେ ବିଡିଏ କର୍ମଚାରୀ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ତେବେ କିଛି ବର୍ଷ ପରେ ସେ ସରକାରୀ ଚାକିରି ଛାଡ଼ି ବିଜେପିରେ ସକ୍ରିୟ ହେଲେ । ପ୍ରଥମେ ଭୁବନେଶ୍ୱର ଓ ପରେ ରାଜ୍ୟ ଶାଖାର ବିଭିନ୍ନ ପଦପଦବିରେ ସେ କାର୍ଯ୍ୟ କରିଛନ୍ତି । ଏହା ସହ ତାଙ୍କୁ ବିଭିନ୍ନ ଜିଲ୍ଲାର ସାଂଗଠନିକ ଦାୟିତ୍ୱ ଦିଆଯାଇଥିଲା । ୨୦୦୩ ମସିହାରେ ସେ ପ୍ରଥମ ଥର ପାଇଁ ନିର୍ବାଚନୀ ରାଜନୀତିରେ ପାଦ ନେଇ ବିଏମ୍ସିର କର୍ପୋରେଟର୍ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ ମସିହାରେ ସେ ଏକାମ୍ର ନିର୍ବାଚନମଣ୍ଡଳୀରୁ ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଥିଲେ ବି ପରାଜିତ ହୋଇଥିଲେ । ବିଜେଡି-ବିଜେପି ମେଣ୍ଟ ସରକାରର ଦ୍ୱିତୀୟ ପାଳିରେ ଶ୍ରୀ ମହାନ୍ତି ଓଡ଼ିଶା ଖଦି ବୋର୍ଡର ସଭାପତି ଭାବେ ମନୋନୀତ ହୋଇଥିଲେ । ୨୦୧୬ ମସିହାରେ ବିଜେପିର ଉପସଭାପତି ଭାବେ ଶ୍ରୀ ମହାନ୍ତି ଦାୟିତ୍ୱ ଗ୍ରହଣ କରିଥିଲେ ।
ଶ୍ରୀ ମହାନ୍ତି ବିଭିନ୍ନ କର୍ମଚାରୀ ସଂଗଠନର ନେତୃତ୍ୱ ନେଇ ସେମାନଙ୍କ ଦାବି ପୂରଣ ପାଇଁ ବହୁ ଆନେ୍ଦାଳନରେ ଜଡ଼ିତ ହୋଇଛନ୍ତି । ଏହା ସହ ରାଜଧାନୀର ଅନେକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ସେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ଅଛନ୍ତି । ଭୁବନେଶ୍ୱରରେ କଳିଙ୍ଗ ଇଣ୍ଡଷ୍ଟ୍ରିଆଲ୍ ଟ୍ରେନିଂ ସେଣ୍ଟର୍, କଳିଙ୍ଗ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମ୍ୟାନେଜମେଣ୍ଟ୍, ବିବେକାନନ୍ଦ ପୂର୍ଣ୍ଣାଙ୍ଗ ଆବାସିକ ସ୍କୁଲ୍ ଆଦି ପ୍ରତିଷ୍ଠା କରି ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ସେ କାର୍ଯ୍ୟ କରିଆସୁଛନ୍ତି । ଗୁରୁବାର ଶ୍ରୀ ମହାନ୍ତି ସଭାପତି ଭାବେ ନିର୍ବାଚିତ ହେଲା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଦଳୀୟ କାର୍ଯ୍ୟାଳୟରେ ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଭୁବନେଶ୍ୱରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଥିଲା ।