ସମଗ୍ର କନ୍ଧମାଳ ଦୁଲୁକୁଛି ନିର୍ବାଚନ ପ୍ରଚାରରେ

ସମଗ୍ର କନ୍ଧମାଳ ଦୁଲୁକୁଛି ନିର୍ବାଚନ ପ୍ରଚାରରେ

ସମଗ୍ର କନ୍ଧମାଳ ଦୁଲୁକୁଛି ନିର୍ବାଚନ ପ୍ରଚାରରେ
କନ୍ଧମାଳ: ପ୍ରାର୍ଥୀ ମାନେ ଏବେ ଭୋଟର ମୁହାଁ ହୋଇଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଗାଡିରେ ମାଇକ ଯୋଗେ ନାନା ପ୍ରକାରର ଆକର୍ଷଣୀୟ ଗୀତରେ ପ୍ରଚାର ଆରମ୍ଭ କଲେଣି । ଫଳରେ ପ୍ରଚାରର ମାହୋଲ ତିଆରି ହେବାସହିତ ଏଥିରେ ଅଂଚଳ ସବୁ ଦୁଲୁକୁଛି । ପ୍ରଚାରରେ ଏମିତି ସେମିତି ଗୀତ ନାହିଁ ବେଶ୍ ମଜାଳିଆ ଗୀତ । ବିଜେପି, ବିଜେଡି, କଂଗ୍ରେସ ସବୁ ଦଳ ଆରମ୍ଭ କରିଛନ୍ତି ଗୀତରେ ଗୀତରେ ପ୍ରଚାର । କେବଳ ଦଳୀୟ ପ୍ରାର୍ଥୀ ନୁହଁନ୍ତି, ସ୍ୱାଧିନ ପ୍ରାର୍ଥୀ ବି ପଛରେ ରହିନାହାନ୍ତି ସେମାନେ ବି ଗୀତରେ ଗୀତରେ ନିଜ ସପକ୍ଷରେ ପ୍ରଚାରକୁ ଧିରେ ଧିରେ ବଢାଇବାରେ ଲାଗିଛନ୍ତି । ଏବେ ଚାଲିଥିବା ହିଟ୍ ଗୀତ ସବୁ ସକାଳୁ ସଂଧ୍ୟାଯାଏଁ ଶୁଣିବାକୁ ମିଳୁଛି । ବିଭିନ୍ନ ଦଳୀୟ ନେତା ମାନେ ଏମିତି ହିଟ୍ ଗୀତର ସାହାରା ନେଇ ପ୍ରଚାର ଆରମ୍ଭ କରିଥିବା ବେଳେ ଏହା ଭୋଟରଙ୍କୁ ମଧ୍ୟ ବେଶ୍ ଆକର୍ଷିତ କରୁଛି । ହାତରେ ଆଉ ସମୟ ନାହିଁ ମାତ୍ର ୧୩ ଦିନ । ସହରଠୁ ଆରମ୍ଭ କରି ବ୍ଲକ ପଂଚାୟତ ଏପରିକି ଗଳିକନ୍ଦିକୁ ଗଲାଣି ପ୍ରଚାର ଗାଡି । ସବୁଦଳର ଦଳୀୟ ପ୍ରଚାର ପତ୍ର ବ୍ୟାନର ମଧ୍ୟ ଲାଗିଛି ସେମାନଙ୍କ ଗାଡିରେ । ତା’ସାଙ୍ଗକୁ ସାଉଣ୍ଡ ସିଷ୍ଟମ ନୂଆ, ପୁରୁଣା ଓଡିଆ ଓ ହିନ୍ଦୀ ଗୀତର ସୁର ଓ ଲୟରେ ବିଭିନ୍ନ ଦଳୀୟ ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର କରୁଛନ୍ତି । ନିଜ ଦଳର ସଫଳତା ଓ ବିରୋଧିଙ୍କ ବିଫଳତା ଗୀତରେ ସ୍ଥାନିତ କରାଯାଇଛି । ଏହାସହ ପ୍ରାର୍ଥୀଙ୍କ ବ୍ୟକ୍ତିଗତ ଏଜେଣ୍ଡା ବି ରହିଛି । ଜିତିଲେ କ’ଣ କରିବେ କ’ଣ ନାହିଁ । ସବୁକିଛି ରହିଛି ଗୀତରେ । ପ୍ରକୃତରେ ଗୀତ ଗୁଡିକ ଶୁଣିବା ବେଳେ କାନକୁ ଭଲ ଲାଗୁଥିବାରୁ ମନଛୁଆଁ ହେଉଛି, କିନ୍ତୁ ଏହିସବୁ ଗୀତଗୁଡିକର ଶବ୍ଦ ସବୁ କାନର ପର୍ଦା ଫଟେଇ ଦେଲାପରି ଅନୁଭବ ହେଉଛି । ଫଳରେ ଲୋକଙ୍କ ଦୈନନ୍ଦିନ ଜୀବନରେ ବାଧାସୃଷ୍ଟି କରୁଛି ଏହି ସବୁ ପ୍ରଚାର ଗାଡିଗୁଡିକର ମାତ୍ରାଧିକ ଶବ୍ଦ । ଏମିତି ହିଟ୍ ଗୀତର ତାଳେ ତାଳେ ବିଭିନ୍ନ ଦଳର ପ୍ରଚାର କାର୍ଯ୍ୟ ଅଗେଇ ଚାଲିଥିବା ବେଳେ ମଝିରେ ମଝିରେ ଜିନ୍ଦାବାଦ୍ ଶବ୍ଦ ବି ପ୍ରଚାରକୁ ଆହୁରି ସରଗରମ କରୁଛି । ସେହିପରି ବିଜେପି ଓ ବିଜେଡିର ଏଲଇଡି ସ୍କ୍ରିନ ମାଧ୍ୟମରେ ସରକାରଙ୍କ ସଫଳତାର ଭିଡ଼ିଓ ଚିତ୍ରକୁ ମଧ୍ୟ ପ୍ରଚାରରେ ସାମିଲ କରାଯାଇଛି । ଏଭଳି ପ୍ରଚାର ଲୋକଙ୍କୁ ଭୋଟ କେନ୍ଦ୍ର ଆଡକୁ ନିକଟତର କରିବା ସହ ଏହା ପ୍ରଥମ ପସନ୍ଦ ପାଲଟିଛି । ଫୁଲବାଣୀରେ ନିର୍ବାଚନୀ ମାହୋଲ ଦିନକୁ ଦିନ ସରଗରମ ହେବାରେ ଲାଗିଛି । ପ୍ରାର୍ଥୀମାନେ ଜୋରଦାର ପ୍ରଚାର ଚଳାଇଛନ୍ତି । ଆସନ୍ତା ୧୮ ରେ ଏଠି ହେବ ଭୋଟ ଗ୍ରହଣ । ଫଳରେ ପ୍ରାର୍ଥୀମାନେ ନିଜ ନିଜର କର୍ମୀ ଓ ସମର୍ଥକ ମାନଙ୍କୁ ଧରି ସାହି ସାହି ବୁଲି ପ୍ରଚାର ଆରମ୍ଭ କରିଦେଲେଣି ।