ସାମ୍ବାଦିକମାନଙ୍କ ପାଇଁ ବଡ ଘୋଷଣା, କରୋନାରେ ମୃତ୍ୟୁବରଣ କଲେ ମିଳିବ ୧୫ ଲକ୍ଷର ସହାୟତା
ସାମ୍ବାଦିକମାନଙ୍କ ପାଇଁ ବଡ ଘୋଷଣା, କରୋନାରେ ମୃତ୍ୟୁବରଣ କଲେ ମିଳିବ ୧୫ ଲକ୍ଷର ସହାୟତା
admin
Apr 27, 2020 - 11:10
Updated: Apr 27, 2020 - 11:10
କାର୍ଯ୍ୟରତ ସାମ୍ବାଦିକମାନେ କରୋନାରେ ଆକ୍ରାନ୍ତ ହୋଇ ମୃତୁ୍ୟବରଣ କଲେ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି ।
କରୋନା ବିରୋଧରେ ଏବେ ସାରା ଦେଶ ଲଢ଼ୁଛି । ଏହି ସମୟରେ ଡାକ୍ତର, ପୁଲିସଙ୍କ ଭଳି ସାମ୍ବାଦିକମାନେ ବି ଆଗଧାଡ଼ିର ଯୋଦ୍ଧା ସାଜିଛନ୍ତି । କରୋନା ସମୟରେ ସାଧାରଣ ଜନତାଙ୍କ ଦୁର୍ଦ୍ଧଶା, ବାହାର ରାଜ୍ୟରେ ଫସି ଯାଇଥିବା ଶ୍ରମିକଙ୍କ ସମସ୍ୟା ସମ୍ପର୍କରେ ତଥ୍ୟମୂଳକ ଖବର ପ୍ରକାଶ କରାଯାଉଥିବାବେଳେ କରୋନା ସମ୍ପର୍କିତ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି । ତେବେ ଅନ୍ୟ କରୋନା ଯୋଦ୍ଧାମାନଙ୍କ ପାଇଁ ରାଜ୍ୟ ସରକାର ୫୦ ଲକ୍ଷର ବୀମା ବ୍ୟବସ୍ଥା କରିଥିବାବେଳେ ସାମ୍ବାଦିକମାନଙ୍କ ପାଇଁ କିଛି କରାଯାଇନଥିଲା । ଏନେଇ ସାମ୍ବାଦିକଙ୍କ ମହଲରୁ ମଧ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତେବେ ଏକ୍ଷେତ୍ରରେ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଆଗେଇ ଆସିଥିଲେ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ସହ ଆଲୋଚନା କରିଥିଲେ । ଅନ୍ୟ କେତେକ ରାଜ୍ୟମାନଙ୍କରେ ସାମ୍ବାଦିକମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବୀମା କରାଯାଇଥିବାବେଳେ ଓଡ଼ିଶାରେ କିନ୍ତୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦିଆଯିବ ।
ସୂଚନାଯୋଗ୍ୟଯେ, ଶ୍ରୀ ମଙ୍ଗରାଜ ଜଣେ ସାମ୍ବାଦିକ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଜଣେ ସଫଳ ସାମ୍ବାଦିକଭାବେ ସୁନାମ ଅର୍ଜନ କରିଥିବା ଶ୍ରୀ ମଙ୍ଗରାଜ ପରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ସମ୍ପ୍ରତି ସେ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ଅଛନ୍ତି । ସାମ୍ବାଦିକମାନଙ୍କର ବିକାଶ ଓ ଉନ୍ନତି ପାଇଁ ସେ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ସେଥିପାଇଁ ଓଡ଼ିଶା ୱେବ ସାମ୍ବାଦିକ ସଂଘର ସଭାପତି ସମର ପ୍ରଧାନ, ସମ୍ପାଦକ ଶୁଭ୍ରାଂଶୁ ପଣ୍ଡା, ଉପସଭାପତି ମାନସ ମହାପାତ୍ର, ଯୁଗ୍ମ ସମ୍ପାଦକ ବିଦ୍ୟାଧର ପାତ୍ର ଓ କୋଷାଧ୍ୟକ୍ଷ ଜିତେନ୍ଦ୍ର ମହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜଙ୍କୁ ଧନ୍ୟବାଦ ଜଣାଇଛନ୍ତି ।