ସେବାଦଳ ଲୋକଙ୍କ ମୌଳିକ ଅଧିକାର ପାଇଁ ଲଢେଇ କରିବ

ସେବାଦଳ ଲୋକଙ୍କ ମୌଳିକ ଅଧିକାର ପାଇଁ ଲଢେଇ କରିବ

ସେବାଦଳ ଲୋକଙ୍କ ମୌଳିକ ଅଧିକାର ପାଇଁ ଲଢେଇ କରିବ
ଭୁବନେଶ୍ୱର : କଂଗ୍ରେସ ସେବାଦଳ ଦେଶର ସର୍ବ ପୁରାତନ ସଂଗଠନ । ସ୍ୱାଧିନତା ପୂର୍ବ ଓ ପରବର୍ତୀ ସମୟରେ ସେବାଦଳ ଲୋକମାନଙ୍କର ଅଧିକାର ପାଇଁ ସଦାସର୍ବଦା ସ୍ୱର ଉତୋଳନ କରିବା ସହିତ ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ପାଇଁ ସେବା ଓ ତ୍ୟାଗର ଉଦାହରଣ ପାଲଟିଛି ବୋଲି କଂଗ୍ରେସ ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇ ଅତିଥିମାନେ ମତ ପ୍ରକାଶ କରିଥିଲେ । କଂଗ୍ରେସ ସେବାଦଳ ପକ୍ଷରୁ ସେବାଦଳ କର୍ମୀମାନଙ୍କର ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ସେବାଦଳକୁ କଂଗ୍ରେସର ମେରୁଦଣ୍ଡ କହିବା ସହ କର୍ମୀମାନେ ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ଆଗାମୀ ଏକବର୍ଷ ଭିତରେ ଅନ୍ୟୁନ ଜଣେ ସେବାଦଳ କର୍ମୀ ବୁଥ୍ରେ ରହିବାକୁ ପରାମର୍ଶ ଦେଇଥିଲେ । ବୟୋଜ୍ୟେଷ୍ଠ ସ୍ୱାଧିନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ସେବାଦଳ କର୍ମୀମାନଙ୍କୁ ଉତ୍ସାହିତ କରି ସମାଜ ସେବାରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ । କଂଗ୍ରେସ ସେବାଦଳର ନବନିଯୁକ୍ତ ପ୍ରଦେଶ ଅଧ୍ୟକ୍ଷ ମନୋଜ ଜେନାଙ୍କୁ ସମ୍ବର୍ଦ୍ଧନା ଦେବା ସହ ନବ ନିର୍ବାଚିତ କଂଗ୍ରେସ ବିଧାୟକ ଓ ସାଂସଦମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେବାଦଳର ରାଜ୍ୟ ପ୍ରଭାରୀ ଚନ୍ଦ୍ର ପ୍ରକାଶ ବାଜପେୟୀ ସେବାଦଳ ହିଁ କଂଗ୍ରେସକୁ କ୍ଷମତାକୁ ଆଣିବା ସହ ସାଧାରଣ ଜନତାଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ହେବ ବୋଲି କହିଥିଲେ । ଅନ୍ୟତମ ପ୍ରଭାରୀ ପୂର୍ଣ୍ଣ ଘୋଷ ସେବାଦଳର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । ପ୍ରଦେଶ କଂଗ୍ରେସର ଉପସଭାପତି ପ୍ରଫେସର କୈଳାସ ଆଚାର୍ଯ୍ୟ ସେବାଦଳର ଗଠନ ଓ ଇତିହାସ ବିଷୟରେ ବାଖ୍ୟା ରଖିଥିଲେ । ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ, ମହମ୍ମଦ ମୋକିମ୍, ପ୍ରଦେଶ କଂଗ୍ରେସ ସଂପାଦକ ଚିନ୍ମୟ ସୁନ୍ଦର ଦାସ, ଶିକ୍ଷକ କଂଗ୍ରେସ ଉପସଭାପତି ନିରଦ ବରଣ ଖୁଂଟିଆ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ପରଲୋକଗତ ସ୍ୱାଧିନତା ସଂଗ୍ରାମୀ ମହମ୍ମଦ ବାଜି, ସେବାଦଳର ପୂର୍ବତନ ସଂଗଠକ ଚିତରଂଜନ ପ୍ରଧାନ, ରତ୍ନାକର ସେନାପତିଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ସେବାଦଳର ସାଧାରଣ ସଂପାଦକ ଜ୍ୟୋତିଷ କୁମାର ସାହୁ ପ୍ରାରମ୍ଭିକ ସ୍ୱାଗତ କରିଥିଲେ ଓ ରାଜ୍ୟ ମହିଳା ସଂଗଠିକା ଉଷାରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେବାଦଳ କର୍ମକର୍ତା ସର୍ବଶ୍ରୀ ରାମ ପ୍ରସାଦ ଜୟସ୍ୱାଲ, କୁଳମଣି ସାହୁ, ନିରେଶ କୁମାର ପାତ୍ର, ଦିନେଶ ପରିଡା, ମୁନୁ ସରାଫ, ରବି ବେହେରା, ଜୟଦେବ ପରିଡା, ସୁରେନ୍ଦ୍ର ପାଣି, ଜାନକୀ ବଲ୍ଲଭ ରାଉତ, ବୈଦ୍ୟନାଥ ସାହୁ, ସନ୍ଧ୍ୟାରାଣୀ ଦାସ, ନିରୁପମା ଜଗତ, ମୁରଲୀ ମନୋହର ଯାଦବ, ଲଳିତ କୁମାର ସାହୁ, ଅଜୟ ମହାନ୍ତି, ଜୟଦେବ ବେହେରା, ବନଲତା ବେହେରା, ମାଧବ ବିଶ୍ୱାଳ, ପ୍ରସନ୍ନ ବେହେରା, ଭୋଳାନାଥ ସାଗର ପ୍ରମୁଖ ଉପସ୍ଥିତ ଥିଲେ ।